Unknown

 

 

 

 

 

 

 

 

 

 

 

କହି ହୁଏନା

ରବୀନ୍ଦ୍ର କୁମାର ପଟ୍ଟନାୟକ

 

ସରୋଜିନୀ‚

 

ପତ୍ନୀ ହିସାବରେ ତୁ ମୋ ସୁଖ ଦୁଃଖର ସାଥି–ଲୋକେ କୁହନ୍ତି ପତିପତ୍ନୀଙ୍କର ଅଭେଦ୍ୟ ଆତ୍ମା–ଦୁଇ ଶରୀର ଏକମନ–ତେଣୁ ଯେଉଁ ବହିର ନାମ ‘କହି ହୁଏନା’ ତାକୁ କ’ଣ କହି ତତେ ଦେବି ଭାବିପାରୁ ନାହିଁ–ତତେ ସବୁ କହିଛି‚ ସବୁ କହିବି–‘କହି ହୁଏନା’ ନପଢ଼ି ଭାବିବୁ ନାହିଁ ମୋ ମନରେ ଏପରି କିଛି ଅଛି ଯାହା ତତେ ମୁଁ କହି ପାରୁନି–

 

ତୋ ହାତରେ ଦେଲି–‘କହି ହୁଏନା’ ଏତିକି କହି–

 

ରବୀନ୍ଦ୍ର

Image

 

(ଏକ)

 

ମୁଁ ମଞ୍ଜୁ ମହାପାତ୍ର । ବୟସ ବାଇଶି ବର୍ଷ । ବାପା ମା’ଙ୍କର ଅଲିଅଳି ବଡ଼ଝିଅ‚ ଦେହରେ ମୋର ଭରି ରହିଛି ମଳୟର ସୁରଭି । ମନ ତଳେ ଆଶାର ଅସଂଖ୍ୟ କଳିକା ପାଖୁଡ଼ା ମେଲିଛି । ବାପା ମୋର ଅବସର ପ୍ରାପ୍ତ ପୋଲିସ କର୍ମଚାରୀ । ଏକଥା ସତ ଏକଦା ମୋର ବାପା ସମାଜର ଆଇନ୍‍ ଶୃଙ୍ଖଳା ରଖୁଥିଲେ ! କିନ୍ତୁ ଆମ ଘରର ଶୃଙ୍ଖଳା ରଖିବାକୁ ସେ ଅକ୍ଷମ ଥିଲେ ।

 

ଆମ ଘରେ ମୋ ବୋଉ ଥିଲା ସର୍ବେ ସର୍ବା । ବାପା ଥିଲେ ବୋଉଙ୍କର ଜଣେ ଆଜ୍ଞାବହ କର୍ମଚାରୀ‚ ଏକଥା ସମସ୍ତେ ସ୍ୱୀକାର କରିବେ । ପରିବାର ମଧ୍ୟରେ ମୁଁ ବଡ଼ ଝିଅ ମଞ୍ଜୁ । ମୋ ତଳେ ଆଉ ତିନି ଭଉଣୀ । ସବା ସାନ ଦେବାଶିଷ ମୋର ସାନ ଭାଇ । ବୟସ ମାତ୍ର ବାର ବର୍ଷ ।

 

ମୋର ଠିକ୍ ମନେଅଛି ମୁଁ ଗାଁ ସ୍କୁଲରୁ ମାଟ୍ରିକ୍ ପାସ କରିସାରିବା ପରେ ବାପା ଓ ବୋଉଙ୍କ ମଧ୍ୟରେ ଲାଗିଲା ତୁମୁଳ ଝଗଡ଼ା । ବାପା କହିଲେ–ମଞ୍ଜୁର ପାଠପଢ଼ା ଏତିକିରେ ବନ୍ଦ । ଘର ପାଖରେ ସ୍କୁଲ ଥିଲା ଯାହାହେଉ ମାଟ୍ରିକ ଖଣ୍ଡକ ପାସ କରିଗଲା । ଯୁବତୀ ଝିଅକୁ କଲେଜରେ ପଢ଼ିବା ପାଇଁ ମୁଁ ସହରକୁ ପଠାଇବି ନାହିଁ । ପାଠ ପଢ଼ି ଲାଭ କ’ଣ ? ଯେତେ ପଢ଼ିବ ତା’ଠାରୁ ଉଚ୍ଚ ଶିକ୍ଷିତ ବରପାତ୍ର ଦରକାର । ବଜାର ଦର ହୁ ହୁ ହୋଇ ବଢ଼ିବା ସହିତ ବରପାତ୍ରଙ୍କ ଦର ମଧ୍ୟ ବଢ଼ି ଚାଲିଛି । ଉଚ୍ଚ ଶିକ୍ଷିତ ପାତ୍ରଟିଏ ପାଇବା କେତେ କଷ୍ଟ ତାହା ତୁମେ ଜାଣନି ମଞ୍ଜୁ ବୋଉ ! ମୋର ତ ଚାକିରି ନାହିଁ । ମଞ୍ଜୁକୁ ପଢ଼ାଇବା ପାଇଁ ମୁଁ ଟଙ୍କା ଆଣିବି କେଉଁଠୁ ? ତା’ପରେ ଆଜିକାଲି ସମାଜରେ ମଞ୍ଜୁକୁ ଏକଲା ସହରକୁ ପଠାଇବା ଉଚିତ ହେବନି ।

 

ବାପାଙ୍କ ବକ୍ତବ୍ୟ ନ ସରୁଣୁ ବୋଉ ପଞ୍ଚମ । ଏଇଟା ଆମ ଘରେ ନୂଆ କଥା ନୁହେଁ । ବାପା ବୋଉଙ୍କ ମଧ୍ୟରେ ଏପରି ପ୍ରତିଦିନ ଝଗଡ଼ା ହୁଏ । ବାପା ଭାବନ୍ତି ଘରର ମୁରବି ହିସାବରେ ତାଙ୍କ କଥାହିଁ ରହିବ । ବୋଉ କିନ୍ତୁ ବାପାଙ୍କ କଥାକୁ ମାନିନେବାକୁ ପ୍ରସ୍ତୁତ ନୁହେଁ । ଏସବୁ ଭାବିଲେ ମୋତେ ହସ ମାଡ଼େ ପୁଣି ବାପାଙ୍କ ପାଇଁ ମନଟା ଖରାପ ହୋଇଯାଏ । ବାପା କୁଆଡ଼େ ଦ୍ଵିତୀୟ ବିବାହ କରିଥିଲେ । ମୋ ବୋଉ ବାପାଙ୍କର ଦ୍ଵିତୀୟ ପକ୍ଷ ସ୍ତ୍ରୀ !

 

ଯାହାହେଉ ବାପା ବୋଉଙ୍କ ମଧ୍ୟରେ ଏପରି ଝଗଡ଼ା ହେବାରୁ ସେଦିନ ଆମର ଦୁଇ କିଲୋ ଚାଉଳ‚ ଡାଲି‚ ପରିବା‚ ମସଲା ଓ କାଠ ଇତ୍ୟାଦି ଖର୍ଚ୍ଚ ନ ହୋଇ ରହିଗଲା । ରାତ୍ରୀରେ ଆଉ ସେଦିନ ଚୁଲି ଜଳିନି । ଛୋଟ ଭାଇ ଭଉଣୀମାନଙ୍କୁ ଧରି ମୁଁ ଗୋଟିଏ ଘରେ ଶୋଇଲି‚ ନିଦ କେଉଁଠୁ ହେଉଛି ? କାନ ମୋର ବାପା ବୋଉଙ୍କ କଜିଆ ଶୁଣିବାରେ ।

 

ବୋଉ କହୁଥାଏ–

 

ସହରରେ ରହି ଯେତେ ଝିଅ ପଢ଼ୁଛନ୍ତି ସମସ୍ତେ କଅଣ ଅସତୀ ? ସମସ୍ତଙ୍କ ବାପା ବୋଉ କ’ଣ ମୂର୍ଖ । ସେ କଥା ନୁହେଁ ଯେ ପାଠ ପଢ଼ାଇବାକୁ ତୁମର ଶକ୍ତି ନାହିଁ । ଏସବୁ ତୁମର ବାହାନା ।

 

ବାପା କହୁଥାନ୍ତି–

 

ଆଲୋ ଏ ଦୁନିଆରେ ଆଉ ଅସତୀ ଆସିଲେ କେଉଁଠୁ ! ପାଞ୍ଚ ପଇସାର ନିରୋଧ ସମସ୍ତଙ୍କୁ ଆଜି ସତୀ କରି ଦେଇଛି । ପୁରୁଷ ପିଲା ଭାଡ଼ୁଆ ହୋଇପାରେ । ଝିଅ କେବେ ଅସତୀ ହୋଇ ପାରିବନି । ବେଶି କଥା ବଢ଼ିଲେ ଗର୍ଭପାତ । ହଁ ଗର୍ଭପାତ ଆଜିକାଲି ଆଇନ୍‍ ସିଦ୍ଧି । ସେଇଥିପାଇଁତ ଗତ ବର୍ଷ ସରକାରୀ ହିସାବରୁ ଜଣାଗଲା କେବଳ ବମ୍ବେ ସହରରେ ପାଞ୍ଚ ହଜାର କୁମାରୀ କନ୍ୟା ଗର୍ଭପାତ କରିଛନ୍ତି । ସେ ଯୁଗ ଗଲାଣି । ନାରୀ ଆଉ ଏବେ ଅସତୀ ହେଉ ନାହିଁ । ଅସତୀ ଶବ୍ଦଟା ଏବେ ପୁରୁଷ ପିଲାଙ୍କ ପାଇଁ ପ୍ରଜ୍ୟୁଯ୍ୟ । ଏଇ ଶୁଣ ସାଧା ପୋଷାକଧାରୀ ପୁଲିସ ଏବେ ରାସ୍ତାଘାଟ ସବୁଆଡ଼େ ପ୍ରହରା ଦେଉଛନ୍ତି । ସ୍କୁଲ ଓ କଲେଜ ଯିବା ଆସିବା ବାଟରେ କୁଆଡ଼େ ବଜାରୀ ଟୋକାମାନେ ଝିଅପିଲାମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଛନ୍ତି । ସେମାନଙ୍କୁ ଧରିଆଣି ଥାନାରେ ଖୁବ୍ ଉତ୍ତମ ମଧ୍ୟମ ଦେଉଛି । ବିନା ଖର୍ଚ୍ଚରେ କେତକ ଥାନାରୁ ନଣ୍ଡା ହୋଇ ଫେରୁ ଅଛନ୍ତି‚ କୌଣସି ତୀର୍ଥରେ ମାନସିକ ବାଳ ପକାଇଲା ପରି । ଝିଅମାନଙ୍କର କିଛି ଦୋଷ ନାହିଁ । ସବୁ ଦୋଷ ଏଇ ପୁଅ ପିଲାମାନଙ୍କର ।

 

“ତୁମର ଏ ସମାଲୋଚନା ଶୁଣିବାକୁ ମୋର ଧୈର୍ଯ୍ୟ ନାହିଁ । ମୋତେ ଶେଷକଥା କୁହ ମଞ୍ଜୁ କଲେଜରେ ପଢ଼ିବ କି ନାହିଁ ? ମୁଁ ଜାଣେ ମଞ୍ଜୁ ଆମର ସେପରି ପିଲା ନୁହେଁ । କଟକ ସେ କାହିଁକି ଯିବ ? ଆମ ଘରଠାରୁ ତ ରାଧାମାଧବପୁର କଲେଜ ମାତ୍ର ଆଠ କିଲୋମିଟର । ପ୍ରତିଦିନ ମଟରରେ ସେ ଯିବା ଆସିବା କରିବ । ତୁମେ ରାଧାମାଧବପୁର କଲେଜରେ ତା’ର ନାମ ଲେଖାଇ ଦିଅ” ।

 

“ହୁଁ” !

 

କ’ଣ ହୁଁ ! ମୋ କଥାର ସଫା ସଫା ଜବାବ ଦିଅ । ବୁଝିଲି ମୌନ ସମ୍ମତି ଲକ୍ଷଣ । ସେଇ କଥା ହେଲାଟି । ବେକାର କାହିଁକି ମୋତେ ରଗାଉଥିଲ କହିଲ ?

ଯାହାହେଉ ବାପା ‘ହଁ’ କି ‘ନାହିଁ’ କିଛି କହିଲେ ନାହିଁ । ଶେଷରେ ରାଧାମାଧବପୁର କଲେଜରେ ମୋର ନାଁ ଲେଖାହେଲା । ବାପା କେବେ କଲେଜ ଯାଇ ନାହାଁନ୍ତି । ଆମ ବ୍ଲକର ଚେୟାରମ୍ୟାନ ମଳୟବାବୁ ସବୁକାମ ସୁରୁଖୁରରେ କରିଦେଲେ ।

ମଳୟବାବୁ ନିଜେ କଲେଜ କାର୍ଯ୍ୟକାରୀ କମିଟିର ଜଣେ ଟାଣୁଆ ସଭ୍ୟ । ଆମ ବ୍ଲକର ଚେୟାରମ୍ୟାନ ହିସାବରେ ତାଙ୍କୁ ସମସ୍ତେ ଖାତିର କରନ୍ତି । ମନ୍ତ୍ରୀଙ୍କଠାରୁ ସେକ୍ରେଟେରୀ ପର୍ଯ୍ୟନ୍ତ ମଳୟବାବୁଙ୍କୁ ସମସ୍ତେ ଜାଣନ୍ତି । ମଳୟ ପରି ମଳୟବାବୁଙ୍କର ସବୁ ସ୍ଥାନରେ ଅବାଧ୍ୟ ପ୍ରବେଶ ଥାଏ । ସମସ୍ତେ କୁହନ୍ତି ଆମ ଅଞ୍ଚଳରେ ଯାହା କିଛି ଉନ୍ନତି ହୋଇଛି ସବୁ ସେଇ ମଳୟବାବୁଙ୍କ ଚେଷ୍ଟାରେ । ରାଧାମାଧବପୁର କଲେଜଟି ମଧ୍ୟ ମଳୟବାବୁଙ୍କ ଚେଷ୍ଟାର ଫଳ ।

ମଳୟବାବୁ ଖୁବ୍ ପରୋପକାରୀ । ଆମ କଲେଜର ଅନେକ ଛାତ୍ର‚ ଛାତ୍ରୀଙ୍କୁ ମଳୟବାବୁ ଆର୍ଥିକ ସାହାଯ୍ୟ କରନ୍ତି । ସାହାଯ୍ୟ ପାଉଥିବା ଛାତ୍ରଙ୍କଠାରୁ ଛାତ୍ରୀଙ୍କ ସଂଖ୍ୟା ଟିକିଏ ବେଶି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ଆର୍ଥିକ ଅବସ୍ଥା ବୋଧେ ବହୁତ ଖରାପ ।

ସମସ୍ତେ ମୋ ବୋଉକୁ କଳିହୁଡ଼ି‚ ମୁଖରା କହିଲେ ମଧ୍ୟ ମୁଁ ଜାଣେ ମୋ ବୋଉ ଖୁବ୍ ବୁଦ୍ଧିମତୀ । ତା’ ନ ହେଲେ ମଳୟବାବୁଙ୍କୁ ଧରି ସେ ମୋର ନାଁ କଲେଜରେ ଲେଖାଇଥାନ୍ତା କିପରି-? ବାପା ପାଉଥିବା ପେନସନରେ ଘର ତ ଚଳୁ ନ ଥିଲା । ସେଥିରେ ମୁଁ କଲେଜରେ ପଢ଼ିଥାନ୍ତି କିପରି ?

ବୋଉ ମୋର ଯଦିଓ ଆଦର୍ଶ ଗୃହିଣୀ ନୁହେଁ ତଥାପି ତା’ର ବୁଦ୍ଧି ତୀକ୍ଷ୍‌ଣ । ତା’ର ଇଚ୍ଛା ମୁଁ ପାଠ ପଢ଼ି ଚାକିରି କରିବି ଓ ମୋର ସାନ ଭାଇ‚ ଭଉଣୀମାନଙ୍କୁ ମଣିଷ କରିବି ।

ଯାହାହେଉ ମୋର କଲେଜରେ ନାଁ ଲେଖା କଲେଜ ଦରମା ଦେବା ଓ ମଟରରେ ପ୍ରତିଦିନ ଯିବା ଆସିବା କରିବାରେ କିଛି ଅସୁବିଧା ହେଲାନି । ସବୁ ଟଙ୍କା ଦୟା ପରବଶ ହୋଇ ମଳୟବାବୁ ଯୋଗାଇ ଦିଅନ୍ତି ।

ଏବେ ମଳୟବାବୁଙ୍କୁ ମୋ ବୋଉ ଧରମ ପୁଅ କରିଛି ଯଦିଓ ବୋଉ ଓ ମଳୟବାବୁଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଚାରି କିମ୍ବା ପାଞ୍ଚ ବର୍ଷ ହେବ । ତେଣୁ ମଳୟବାବୁ ବଦଳରେ ମୁଁ ତାଙ୍କୁ ବଡ଼ ଭାଇ ବୋଲି ଡାକେ । ସତରେ ମଳୟବାବୁଙ୍କ ପରି ପର ଉପକାରୀ ଲୋକ ଖୁବ୍ କମ୍‍ ଥିବେ-। ତା’ ନ ହେଲେ ଲୋକେ କ’ଣ ତାଙ୍କୁ ଚେୟାରମ୍ୟାନ କରିଥାନ୍ତେ । ପ୍ରକୃତରେ ସେ ଜଣେ ସମାଜସେବୀ । ବୟସ ବେଶି ନୁହେଁ । ଅନ୍ଦାଜ ଚାଳିଶ ପାଖା ପାଖି ହେବ । ତାଙ୍କ ପୁଅ ଏ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବ । ଝିଅ ଆମ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛି ।

ମଳୟଭାଇ ଜଣେ ସମାଜସେବୀ । ସେ ରାଜନୀତି କରନ୍ତି । ରାଜନୀତି କଲେ କୁଆଡ଼େ ଖଦଡ଼ ପିନ୍ଧିବାକୁ ପଡ଼େ । ନ ହେଲେ ତାଙ୍କର ଯେପରି ସୁନ୍ଦର ସ୍ୱାସ୍ଥ୍ୟ ସାହାବୀ ପୋଷାକ ତାଙ୍କୁ ଖୁବ୍ ମାନନ୍ତା ।

ଆମ କଲେଜ ପାଖ ବଜାରରେ ତାଙ୍କର ଲୁଗା ଦୋକାନ । କଣ୍ଟ୍ରୋଲ ଲୁଗାଠାରୁ ଆରମ୍ଭ କରି ଦାମିକିଆ ଲୁଗା ପର୍ଯ୍ୟନ୍ତ ସବୁ ତାଙ୍କ ଦୋକାନରେ ମିଳେ । ଲୁଗା ଦୋକାନଠାରୁ ଅଳ୍ପ ଦୂରରେ ସିମେଣ୍ଟ ଗୋଦାମ ।

ଲୋକଟାର କେତେ ବୁଦ୍ଧି ! ଦିନ ରାତ୍ରୀ ସବୁବେଳେ କାର୍ଯ୍ୟ ବ୍ୟସ୍ତ । ସମସ୍ତେ କୁହନ୍ତି ବ୍ୟବସାୟ କଲେ ତା’ ସହିତ ରାଜନୀତି କରିବାକୁ ପଡ଼େ । ରାଜନୀତି ନ କଲେ କୁଆଡ଼େ ବ୍ୟବସାୟ ଚଳେନା । ରାଜନୀତି ଓ ବ୍ୟବସାୟ ଏ ଦୁଇଟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

 

ବଡ଼ ଭାଇଙ୍କର ମଟର ସାଇକେଲ ଅଛି । ଦିନେ, ଦିନେ ତାଙ୍କର ମଟର ସାଇକେଲରେ ବସି ମୁଁ ଆମ ଘରକୁ ଫେରେ । ନିଜେ ମଳୟଭାଇ ମୋତେ ତାଙ୍କ ପଛରେ ବସାଇ ଆଣି ଆମ ଘରେ ଛାଡ଼ିଦେଇ ଯାଆନ୍ତି ।

 

ବାପା ସବୁ ଦେଖନ୍ତି । ସବୁ ଶୁଣନ୍ତି, କିନ୍ତୁ ନୀରବ । ପ୍ରତିବାଦ କରି କିଛି ଲାଭ ନାହିଁ ଏକଥା ସେ ବୁଝିଲେଣି । ବୋଉ କିନ୍ତୁ ମନେ ମନେ ଭାରି ଖୁସି ।

 

(ଦୁଇ)

 

ମାଟ୍ରିକ୍ ପଢ଼ିବା ବେଳେ ଦଶମ ଶ୍ରେଣୀରୁ ମୁଁ ଶାଢ଼ି ପିନ୍ଧୁଥିଲି । ମୋ ସାଙ୍ଗ ସାଥୀମାନେ ଶାଲୱାରୀ ପଞ୍ଜାବି ପିନ୍ଧି ଆସନ୍ତି । କିନ୍ତୁ ମୁଁ ପିନ୍ଧି ପାରେନା । ବାପାଙ୍କର କଡ଼ା ଆଦେଶ ବଢ଼ିଲା ଝିଅ ସେ ସବୁ ବାଜେ ପୋଷାକ ପିନ୍ଧିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟରେ ମୁଁ ଶାଢ଼ି ପିନ୍ଧୁଥିଲି-। ସେ ପୁଣି ଦାମିକିଆ ଶାଢ଼ି ନୁହେଁ । ଆମ ଗାଁ ହାଟରୁ ବାପା ନିଜେ ମୋ’ପାଇଁ ଶାଢ଼ି କିଣି ଆଣୁଥିଲେ-

 

କିନ୍ତୁ ଆସ୍ତେ, ଆସ୍ତେ ମୋର ସବୁ ବଦଳି ଗଲା । ଶାଢ଼ି ବଦଳରେ ଏବେ ମୁଁ ଶାଲୱାରୀ ପଞ୍ଜାବି ପିନ୍ଧୁଛି । ଆଧୁନିକ ପ୍ରସାଧାନ ସାମଗ୍ରୀରେ ଆମ ଘର ଭରପୂର । ବାପାଙ୍କର ଏଥିରେ ପ୍ରତିବାଦ କରିବାର କ’ଣ ଅଛି ? ତାଙ୍କ ପଇସାରେ ତ ମୁଁ ସଉକ କରୁନି । ସବୁ ମୋତେ ଯୋଗାଇ ଦେଉଛନ୍ତି ମଳୟଭାଇ ।

 

ଏବେ ମୁଁ ଲକ୍ଷ୍ୟ କରୁଛି ସମସ୍ତେ ମୋତେ ଇର୍ଷା କରୁଛନ୍ତି । ସବୁଠାରେ ମୋର ଆଲୋଚନା । ପର ଆଲୋଚନା କରିବା ଆମ ଲୋକମାନଙ୍କର ଗୋଟାଏ ପରମ୍ପରା ହୋଇ ଆସିଛି । ପୁଣି ପରମ୍ପରାକୁ ଜାବୁଡ଼ି ଧରିବା ଆମର ଜନ୍ମଗତ ପ୍ରକୃତି । ତାହା ବଦଳିବ କିପରି ! ଗାଁ ମଫସଲ ଝିଅମାନଙ୍କ କଥା କହିଲେ ନ ସରେ । କାନ୍ଥକୁ ଦେଖାଇ ବାଡ଼କୁ ଦେଖାଇ କେତେ କଥା ସେମାନେ କୁହନ୍ତି । ଗାଁ ଅନାବାଦି ପଡ଼ିଆରେ ମୁହଁ ସଞ୍ଜ ବେଳେ ଏହି ଗ୍ରାମ୍ୟବଧୂ ଓ ନଳିନାମାନେ ପୁଚି ଖେଳିବା ପରି ଗୋଲାକୃତି ବସି ଯେତେବେଳେ ମଳତ୍ୟାଗ କରନ୍ତି ସେତେବେଳେ ମୋ କଥା ବେଶି ଆଲୋଚନା ହୁଏ । ପର ଆଲୋଚନା କରିବା ପାଇଁ ସେ ସମୟଟା ତାଙ୍କ ପାଇଁ ସୁବିଧା ଜନକ ବୋଧେ । ସମୟେ, ସମୟେ ଗାଧୁଆ ତୁଠରେ ମଧ୍ୟ ମୋ ଆଲୋଚନା ପଡ଼େ । କିନ୍ତୁ ଗାଁ ପୋଖରୀଟି ଆମ ବାରି ପାଖରେ ହୋଇଥିବାରୁ ଖୁବ୍ ସତର୍କତା ଅବଲମ୍ବନ କରି ସେମାନେ ମୋ ସମ୍ବନ୍ଧରେ ଆଲୋଚନା କରନ୍ତି । ମୁଁ କିନ୍ତୁ ସେମାନଙ୍କ ସହିତ ମିଶେନା । ଛି, ସେମାନେ ମଫସଲି । ଚୁଡ଼ି ଶାଢ଼ି ପିନ୍ଧି ଆସେ ନାହିଁ । ସ୍ନୋ, ପାଉଡର, ଅତର, ସାବୁନ କେବେ ଦେଖନ୍ତି ନାହିଁ । ମୋ ପ୍ରତି ସେମାନଙ୍କର କେବଳ ଈର୍ଷା ।

 

କଲେଜରେ ବଜାରୀ ଟୋକା ମୋତେ କଲେଜ କୁଇନ୍ ବୋଲି ଡାକନ୍ତି । ସହପାଠିନୀମାନେ ମୁହଁରେ ଯଦିଓ ହସି ହସି କଥା କୁହନ୍ତି ପେଟରେ ତାଙ୍କର ଅନେକ ସର୍ପର ଗରଳ ଭରି ରହିଥାଏ । ପ୍ରଥମେ, ପ୍ରଥମେ ଏସବୁ ମୋତେ ଅସହ୍ୟ ହେଉଥିଲା । ଏବେ କିନ୍ତୁ ଦେହ ସୁହା ହୋଇଗଲାଣି । ବୋଉ କୁହେ ଆଜିକାଲି ମଣିଷଗୁଡ଼ାଙ୍କର ମାଛି ପ୍ରକୃତି । ଭଲ ଜିନିଷରେ ନ ବସି ମଳ, ମୂତ୍ର, ଛେପ, ଖଙ୍କାରରେ ବସିବା ପ୍ରକୃତି । ଅନ୍ୟର ଖରାପ ଗୁଣ ଆଗ ସମାଲୋଚନା କରିବେ । ଭଲ ଗୁଣ ଥରେ ହେଲେ ମୁହଁରେ ଧରିବେନି ।

 

ମଳୟଭାଇ ସହିତ ମଟର ସାଇକେଲରେ ବସି ମୁଁ ଘରକୁ ଫେରିବା ସମୟରେ ଆମ କଲେଜର ବଜାରୀ ଟୋକାମାନେ ଶିଶିର ମାରନ୍ତି । ହିନ୍ଦି ଫିଲିମ ଡାଇଲଗ୍ ଶୁଣାନ୍ତି । କିଏ କୁହେ–ଭଲ ଦିଶୁଛି ଆଉ କିଏ କୁହେ–ପଡ଼ି ଯିବି କି ଆଉ–ଏଇ କଳିଯୁଗ କୃଷ୍ଣ ଗଲେ–ଇତ୍ୟାଦି, ଇତ୍ୟାଦି-। ସବୁଦିନେ ଏପରି ଶୁଣି, ଶୁଣି ଏସବୁ ମୋର ଦେହ ସୁହା ହୋଇଗଲାଣି ।

 

ମଳୟଭାଇ କୁହନ୍ତି–ସେ ଚାହିଁଲେ ବଜାରୀ ଟୋକାମାନଙ୍କୁ କଲେଜରୁ ବାଧ୍ୟ କରି ବାହାର କରି ଦେଇ ପାରିବେ । କିନ୍ତୁ ଏହାଦ୍ୱାରା ତାଙ୍କର କ୍ଷତି ହେବ । ଆସନ୍ତା ନିର୍ବାଚନରେ ସେ ଏମ୍.ଏଲ.ଏ ପାଇଁ ଠିଆ ହେଉଛନ୍ତି । ସେଇ ବଜାରୀ ଟୋକାମାନେ ହୁଏତ ଭୋଟ ସମୟରେ ତାଙ୍କ ବିରୁଦ୍ଧରେ ପ୍ରଚାର କରି ପାରନ୍ତି । ରାଜନୀତିରେ କାହା ସହିତ ଖୋଲା ଖୋଲି ଶତ୍ରୁତା କରିବନି । ସମସ୍ତଙ୍କ ସହିତ ଥିବ ସମୟ ଓ ସୁବିଧା ଦେଖି ନିଜର ଫାଇଦା ଉଠାଇବ ।

 

ସତରେ ମଳୟଭାଇ ଭାରି ବୁଦ୍ଧିମାନ । ଦଳ ବଦଳାଇ ଏବେ ସେ ଶାସକ ଗୋଷ୍ଠୀକୁ ଆସିଛନ୍ତି । ଦୁଇ ବର୍ଷ ତଳେ ଭୋଟରେ ପରାଜିତ ଦଳର ସେ ଜଣେ ଟାଣୁଆ ସଭ୍ୟଥିଲେ ।

 

ସେଦିନ କଲେଜରେ ବାର୍ଷିକ ଉତ୍ସବ ପାଳିତ ହେଉଥାଏ । ମନ୍ତ୍ରୀ ଆସିବେ । କଲେଜରେ ପ୍ରିନ୍‌ସିପାଲଙ୍କଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟ ବ୍ୟସ୍ତ । ସଭାମଞ୍ଚ, ତୋରଣ, ସବୁ ତିଆରି ଚାଲିଛି । ଆଲୋକମାଳାରେ ଚାରିଆଡ଼େ ସୁସଜ୍ଜିତ । କଲେଜ ଫାଟକ ପାଖରେ ଦୁଇଟି ପୂର୍ଣ୍ଣ କୁମ୍ଭ ଥୁଆ ହୋଇଛି ସତେ ଅବା କୌଣସି ଦେବତା ଆବିର୍ଭାବ ହେବେ । କୌଣସି ଦେବତା ପୂଜାପାଇଁ ହୁଏତ ଏତେ ତତ୍‌ପରତା କେବେ ମଣିଷଠାରେ ଦେଖାଯାଏ ନାହିଁ । ସନ୍ଧ୍ୟା ଛଅଟା ସମୟରେ ମନ୍ତ୍ରୀ ଆସି ପହଞ୍ଚିବେ । ମଳୟଭାଇ ନିଜେ ଯାଇଛନ୍ତି ମନ୍ତ୍ରୀଙ୍କୁ ସାଙ୍ଗରେ ଧରି ଆସିବେ । ତାଙ୍କର କଡ଼ା ନିର୍ଦ୍ଦେଶ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନାର ଯେପରି କିଛି ତ୍ରୁଟି ନ ହୁଏ ।

 

ପ୍ରଥମେ ତୋପ ସଲାମି ଦିଆଯିବ । କଲେଜ ଫାଟକ ପାଖରୁ ଖୋଦ୍ ପ୍ରିନ୍‌ସିପାଲ ମନ୍ତ୍ରୀଙ୍କୁ ସଭାମଞ୍ଚ ପାଖକୁ ପାଛୋଟି ନେବେ । ସଭା କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ । ପିଲାଟି ଦିନରୁ ନୃତ୍ୟବିଦ୍ୟା ପ୍ରତି ମୋର କେବେ ଆଗ୍ରହ ନ ଥିଲା କି ଏବେ ନାହିଁ । ତଥାପି ମଳୟଭାଇଙ୍କ କହିବା ଅନୁଯାୟୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋତେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ପଡ଼ିବ ।

 

ପାଞ୍ଚଟା ବେଳୁ ମୁହଁରେ ପାଉଡର । ଦେହରେ ସମ୍ବଲପୁରୀ ଶାଢ଼ି ଓ ଗୋଡ଼ରେ ଘୁଙ୍ଗୁର ପିନ୍ଧି ମୁଁ ବସିଥାଏ । ଭାରି ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ମନେ ମନେ ସବୁ ଠାକୁରଙ୍କୁ ଡାକୁଥାଏ–ପ୍ରଭୁ ହେ ମୋ ନୃତ୍ୟରେ ସମସ୍ତେ ମୁଗ୍‌ଧ ହୋଇ ଯାଆନ୍ତୁ ସତେ ଅବା କୌଣସି ଖ୍ୟାତିନାମା ଓଡ଼ିଶୀ ନୃତ୍ୟଶିଳ୍ପୀଠାରୁ ଏକା ଥରକେ ମୁଁ ବଳିପଡ଼େ ।

 

ଛଅଟା ବାଜିବାକୁ କିଛି ସମୟ ବାକି ଥିଲା । ପ୍ରିନ୍‌ସପାଲ ଯାଇଁ କଲେଜ ଗେଟ୍ ପାଖରେ ଠିଆ ହୋଇଥାନ୍ତି । ପ୍ରିନ୍‌ସପାଲ ଆମର ତିନୋଟି ବିଷୟରେ ଏମ୍.ଏ. ପାସ୍‌ କରିଛନ୍ତି । ମନ୍ତ୍ରୀଙ୍କ ଯୋଗ୍ୟତା ମାଟ୍ରିକ୍ ଫେଲ । କିନ୍ତୁ ଚୌକିର ମର୍ଯ୍ୟାଦାକୁ ନ ଡରେ କିଏ ?

 

ସନ୍ଧ୍ୟା ସାତଟା ବାଜିଲା । ଆଠଟା ବାଜିଲା । କିନ୍ତୁ ମନ୍ତ୍ରୀଙ୍କର ଦେଖା ନାହିଁ । କଲେଜ ଗେଟ୍ ପାଖରେ ଠିଆ ହୋଇ ପ୍ରିନ୍‌ସପାଲଙ୍କ ଗୋଡ଼ ଘୋଳିକଲା ବୋଧେ ଗୋଟିଏ ଚୌକି ମଗାଇ ସେଠାରେ ସେ ବସିଲେ । ଦୂରରୁ କୌଣସି କାର ଆସିବାର ଦେଖିଲେ ସେ ଠିଆହୋଇ ପଡ଼ୁଥିଲେ ପୁଣି କାରଟି ମେନରୋଡ଼ରେ ତା’ର ଗନ୍ତବ୍ୟ ପଥରେ ଚାଲି ଯିବାର ଦେଖିଲେ ପ୍ରିନ୍‌ସପାଲ ଚୌକିରେ ବସି ପଡ଼ୁଥିଲେ । ଗ୍ରାମ୍ୟ ଚାଟଶାଳିରେ ଦୁଷ୍ଟ ଛାତ୍ରକୁ ଶିକ୍ଷକ ବସ, ଉଠ କରାଇବା ପରି ବିନା ଦୋଷରେ ପ୍ରିନ୍‌ସପାଲ ଆମର ଖାଲି ବସ ଉଠ ହେଉଥିଲେ ।

 

ଏଣେ ମୋର ଦେହ ଓ ମନ ସବୁଥିରୁ ଘୋଳା ଉଠୁଥାଏ । କ’ଣ କରିବି, ନିରୁପାୟ । ଏତେବଡ଼ ଉତ୍ସବରେ ଶାଲୱାରୀ ପଞ୍ଜାବି ପିନ୍ଧି ଅନ୍ୟମାନଙ୍କ ପରି ସ୍ଵେଚ୍ଛାସେବୀ ହେବା ମୋ ଭାଗ୍ୟରେ ନାହିଁ । ସ୍କ୍ରିନ ପଛ ପଟେ ମୁଁ ଲୁଚିକରି ବସି ଥାଏ । ଚିଡ଼ିଆଖାନାର ଜୀବପରି ସ୍କ୍ରିନ ଫାଙ୍କରେ କଲେଜ ଗେଟ୍ ପାଖକୁ ମୁଁ ଲୋଲୁପ ଦୃଷ୍ଟିରେ ଚାହିଁଥାଏ ।

 

ରାତ୍ରୀ ନଅଟା ସମୟରେ ମନ୍ତ୍ରୀ ଆସି ପହଞ୍ଚିଲେ । ସଭାକାର୍ଯ୍ୟ ଚାଲିଲା । କାର୍ଯ୍ୟ ବ୍ୟସ୍ତ ଥିବାରୁ ମନ୍ତ୍ରୀ ଯଥା ସମୟରେ ଆସି ପାରିଲେନି ଏକଥା ଆଗକହି ସେ ଆଗନ୍ତୁକ ଓ ଅତିଥିମାନଙ୍କ ପାଖରେ କ୍ଷମା ମାଗିଲେ । ସାହିତ୍ୟ, ସମାଜ, ଛାତ୍ର ଓ ରାଜନୀତି, ନାରୀଶିକ୍ଷା ଓ ସମାଜ ମଙ୍ଗଳ ସମ୍ବନ୍ଧରେ ମନ୍ତ୍ରୀ ଅନରଗଳ ଦେଢ଼ ଘଣ୍ଟା ଭାଷଣ ଦେଲେ । କଲେଜର ଅଭାବ ଅସୁବିଧା ବର୍ଣ୍ଣନା କରି ପ୍ରିନ୍‌ସପାଲ ଏକ ସଂକ୍ଷିପ୍ତ ଭାଷଣ ଦେଲେ । ଶେଷରେ ମଳୟଭାଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଶେଷ କଲେ ।

 

ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକର୍ମ ଆରମ୍ଭ ହେଲା । ରାତ୍ରୀ ଏଗାରଟା ସମୟରେ । ସେତେବେଳକୁ ଅଧା ଲୋକ ଉଠି ଚାଲି ଯାଇଥିଲେ । ମଞ୍ଚ ଉପରେ ଓଡ଼ିଶୀ ନୃତ୍ୟ କରୁଥିବା ସମୟରେ ମୁଁ ଲକ୍ଷ୍ୟ କରୁଥାଏ ସବା ଆଗରେ ପ୍ରିନ୍‌ସିପାଲ, ମନ୍ତ୍ରୀ ଓ ମଳୟଭାଇ ବସିଥାନ୍ତି । ଘନ, ଘନ କରିତାଳି ଉଠୁଥାଏ । କରତାଳି ଶୁଣି ମୋର ଗୋଡ଼ ଆହୁରି ଚଞ୍ଚଳ ହୋଇ ଉଠୁଥାଏ । ମନ୍ତ୍ରୀଙ୍କ କାନ ପାଖରେ ମଳୟଭାଇ କ’ଣ ଚୁପ, ଚୁପ କରି କହୁ ଥାଆନ୍ତି ।

 

ସବୁ କାମ ସରୁ ସରୁ ରାତ୍ରୀ ବାର ଉପରେ । ମୁଁ ଠିକ୍ କରିଥାଏ ସେଦିନ କଲେଜ ହଷ୍ଟେଲରେ ରହିଯିବି ବୋଲି । କିନ୍ତୁ ମଳୟଭାଇ କହିଲେ–ଡାକବଙ୍ଗଳାରେ ଖିଆ ପିଆ ହେବ । ମନ୍ତ୍ରୀ ଆଜି ଡାକବଙ୍ଗଳାରେ ରହିବେ । ତୋର ନୃତ୍ୟରେ ସେ ମୁଗ୍‌ଧ ହୋଇଛନ୍ତି । ତୁ ମୋ ସହିତ ଆ, ମୁଁ ତାଙ୍କ ସହିତ ପରିଚୟ କରାଇଦେବି ।

 

ମନେ, ମନେ ମୁଁ ଭାରି ଖୁସି । ଏପରି ସୁଯୋଗ କେତେ ଜଣଙ୍କୁ ମିଳେ ? ମନ୍ତ୍ରୀଙ୍କ ସମ୍ମାନାର୍ଥେ ଖୋଦ ପ୍ରିନ୍‌ସିପାଲ ତିନି ଘଣ୍ଟା କଲେଜ ଗେଟ୍ ପାଖରେ ଠିଆ ହୋଇ ପାରିଲେ । ମୁଁ କେଡ଼େ ତୁଚ୍ଛ ! ମନ୍ତ୍ରୀ, ପ୍ରିନ୍‌ସିପାଲ ଓ ସମ୍ମାନସ୍ପଦ ଅତିଥିମାନଙ୍କ ଗହଣରେ ବସି ମୁଁ ରାତ୍ରୀ ଭୋଜନ କରିବି ! ପ୍ରକୃତରେ ଏସବୁ ମଳୟଭାଇଙ୍କ ଯୋଗୁଁ ସିନା !

 

ମନ୍ତ୍ରୀଙ୍କ ସହିତ ମଳୟଭାଇ ମୋର ପରିଚୟ କରାଇ ଦେଲେ । ମୋର ରୂପ, ଗୁଣ ଓ ନୃତ୍ୟର ପ୍ରଶଂସା କଲେ । ପ୍ରିନ୍‌ସିପାଲ ଆଉ ଟିକିଏ ବଢ଼ିଯାଇ ମୋର ପାଠ ପଢ଼ାର ପ୍ରଶଂସା କଲେ-। ଏସବୁ ଶୁଣି ମୋ ମନରେ ଖାଲି ଆନନ୍ଦର ଲହରୀ ଖେଳୁଥାଏ । ଲହରୀର ଅବଶିଷ୍ଟାଂଶ ଫେଣ ଆକାରରେ ସମୁଦ୍ର ବେଳାରେ ପଡ଼ି ରହିବା ସଦୃଶ ମୋ ମନର ସେ ଆନନ୍ଦ ହସ ରୂପରେ ଟିକିଏ, ଟିକିଏ ପଦାକୁ ବାହାରି ଆସୁଥାଏ ।

 

ରାତ୍ରୀ ଭୋଜନ ସରୁ, ସରୁ ଗୋଟାଏ ବାଜିଲା । କେତେ ସୁସ୍ଵାଦକର ଖାଦ୍ୟ ସାମଗ୍ରୀ । ସେସବୁ ସାମଗ୍ରୀର ଆଘ୍ରାଣରେ ମୋର ଅଧା ଭୋଜନ ହୋଇଗଲା । ମନେ, ମନେ ମୁଁ ମୋର ଭାଗ୍ୟକୁ ଖୁବ୍ ପ୍ରଶଂସା କରିବାରେ ଲାଗିଥାଏ । ରାତ୍ରୀ ଭୋଜନ ପରେ ନିମନ୍ତ୍ରିତ ଅତିଥିମାନେ ବିଦାୟ ନେଲେ । ପ୍ରିନ୍‌ସିପାଲ ଡାକିଲେ–ଆସ ମଞ୍ଜୁ ମୁଁ ତୁମକୁ ହଷ୍ଟେଲରେ ଛାଡ଼ିଦେବି ।

 

ପ୍ରିନ୍‌ସିପାଲଙ୍କ ପାଟିରୁ କଥା ନ ସରୁଣୁ ମଳୟଭାଇ କହିଲେ–କାହିଁକି ଆପଣ ଏତେ କଷ୍ଟ କରିବେ । ମୁଁ ବର୍ତ୍ତମାନ ଘରକୁ ଫେରିଯିବି । ମଞ୍ଜୁ ମୋ ସହିତ ଆମ ଘରକୁ ଚାଲିଯିବ । ଆପଣ ଯାଆନ୍ତୁ । ମୁଁ ଟିକିଏ ମନ୍ତ୍ରୀଙ୍କର ଶୋଇବାର ସୁବନ୍ଦୋବସ୍ତ କରି ଦେଇ ଯାଉଛି ।

 

ପ୍ରିନ୍‌ସିପାଲ ଚାଲିଗଲେ । ଡାକବଙ୍ଗଳାରେ ରହିଲୁ ଆମେ ତିନିଜଣ । କେଜାଣି କାହିଁକି ମୋତେ ନିଛାଟିଆ ଲାଗିଲା । କ୍ଷଣିକ ଆଗରୁ ଏତେ କୋଳାହଳ ପରେ, ପରେ ଏତେ ନିର୍ଜନତା ମୋତେ ବଡ଼ ଅସହ୍ୟ ଲାଗିଲା । କ୍ଳାନ୍ତ ହୋଇ ପଡ଼ିଥିବାରୁ ମନ୍ତ୍ରୀ ସହଳ ଶୋଇଗଲେ । ରାତ୍ରୀ ବଢ଼ି ବଢ଼ି ଚାଲିଥାଏ । ଜନପଥ ଶୁନ୍‌ଶାନ । ଏତେବଡ଼ ଡାକବଙ୍ଗଳାଟି ମୋତେ ଗୋଟାଏ ଭୂତକୋଠି ପରି ମନେ ହେଉଥାଏ ।

 

ମୁଁ କହିଲି–“ମଳୟଭାଇ ଚାଲ ଯିବା ନିଦ ମାଡ଼ିଲାଣି, ଶରୀର ମୋର ଅବଶ ହୋଇ ପଡ଼ିଛି । ଆଉ ମୁଁ ରାତ୍ରୀ ଅନିଦ୍ରା ହୋଇ ପାରିବିନି ।”

 

–ଅବଶ ହେବନି ! ଆଗରୁ ଅଭ୍ୟାସ ନ ଥିଲା । ଓଡ଼ିଶୀ ନୃତ୍ୟ କ’ଣ ସହଜ କଥା । ଏଥିପାଇଁ ଅନେକ ସାଧନା ଦରକାର । ଯାହାହେଉ ମୁଁ ଖୁସି, ତୋର ନୃତ୍ୟ ଦେଖି ଆଜି ସମସ୍ତେ ଖୁସି ।

 

–ଥାଉ ମଳୟଭାଇ; ଆଉ ପ୍ରଶଂସା ଶୁଣିବାକୁ ମୋର ଧୈର୍ଯ୍ୟ ନାହିଁ । ନୃତ୍ୟ ପରଠାରୁ ଅନେକ ଶୁଣିଲିଣି । କେଉଁଠି ସେ ସବୁ ରଖିବି ? ଏଥର ଘରକୁ ଯିବା ବ୍ୟବସ୍ଥା କର ।

 

–ତୁ କ୍ଳାନ୍ତ ହୋଇ ପଡ଼ିଛୁ ପରା । ଆରେ ହଁ ମୋ ପାଖରେ ଔଷଧ ଅଛି । ତୁ ଜାଣୁ ଦିନ ରାତ୍ରୀ ମୁଁ ସବୁବେଳେ ଖଟୁଥାଏ । ତୋରି ପରି ମୁଁ ଅବଶ ହୋଇପଡ଼େ । ଡାକ୍ତର ମୋତେ ଗୋଟାଏ ଔଷଧ ଲେଖି ଦେଇଥିଲେ । ସେ ଔଷଧ ସବୁବେଳେ ମୋ ପାଖରେ ଥାଏ । ଆ...ସେଥିରୁ ଟିକିଏ ଖାଇଦେ । ତୋର ସବୁ କ୍ଳାନ୍ତି ଦୂର ହୋଇଯିବ ।

 

ମଳୟଭାଇ ମୋତେ ପାଖ ରୁମ୍‍କୁ ନେଇ ଗଲେ । ଗୋଟାଏ ବୋତଲରୁ କିଛି ପାନୀୟ କାଚ ଗ୍ଲାସରେ ଢାଳି ମୋତେ ପିଇବାକୁ ଦେଲେ । ଉତ୍କଟ ଗନ୍ଧ ହେଉଥାଏ । ଆଖିବୁଜି ଢକ ଢକ କରି ମୁଁ ତାକୁ ପିଇଦେଲି । ମନେ, ମନେ ବୈଜ୍ଞାନିକଗୁଡ଼ାକ ଉପରେ ମୁଁ ରାଗୁଥାଏ । ଏ ବୈଜ୍ଞାନିକଗୁଡ଼ାକ ଯେତେ ଔଷଧ ବାହାର କରିଛନ୍ତି ସେଥିରୁ ଅଧିକାଂଶ ଏପରି ଉତ୍କଟ ଗନ୍ଧ ଓ ସୁସ୍ଵାଦୁ ନୁହେଁ ।

 

ମୋରି ସାମନାରେ ମଳୟଭାଇ ମଧ୍ୟ ସେ ଔଷଧରୁ ଏକ ଗ୍ଲସ୍‍ ପିଇଲେ । ଗୋଟାଏ ଗ୍ଲାସ୍‍ ପିଇସାରି ଯେତେବେଳେ ସେ ଆଉ ଏକ ଗ୍ଲାସ୍‍ ପିଅନ୍ତି ।

 

ମୁଁ ପଚାରିଲି–

 

ବଡ଼ଭାଇ ଏତେ ଔଷଧ କ’ଣ ଏକ ସଙ୍ଗରେ ଖାଆନ୍ତି ?

 

–ଆରେ ମୋର ଅଭ୍ୟାସ ହୋଇଗଲାଣି । ତୁ ଆଉ ପିଇବୁ ନେ ।

 

–ନାଁ, ନାଁ ବଡ଼ଭାଇ, ମୋର ଆଉ ଦରକାର ନାହିଁ । ମୋ ମୁଣ୍ଡ କାହିଁକି ବୁଲାଇଦେଉଛି-। କ’ଣ ତୁମେ ମୋତେ ପିଇବାକୁ ଦେଲ ?

 

ହଠାତ୍ ମଳୟଭାଇ ମୋତେ ତାଙ୍କ କୋଳକୁ ଟାଣି ନେଇ କହିଲେ–ଆଲୋ ପାଗଳୀ ବ୍ୟସ୍ତ ହୁଅନି, ସବୁ କଷ୍ଟ ତୋର ଉପଶମ ହୋଇଯିବ । ଗୋଟାଏ ବିରାଟ ସରୀସୃପ ମୋ ଦେହରେ ଗୁଡ଼ାଇ ହେଲାପରି ମଳୟଭାଇ ମୋତେ ଜାବୁଡ଼ି ଧରିଥାନ୍ତି । ଆସ୍ତେ, ଆସ୍ତେ ମୁଁ ମୋର ଚେତନା ଶକ୍ତି ହରାଉଥାଏ । ମଳୟଭାଇଙ୍କ ବାହୁ ବନ୍ଧନରୁ ମୁକୁଳିବାକୁ ମୋର ଶକ୍ତି ନ ଥାଏ । କ’ଣ ସବୁ ସେ ମୋତେ ବୁଝାଉଥାନ୍ତି ମୋର ଠିକ୍ ମନେ ପଡ଼ୁନି । ମୋର ଚତୁଃପାର୍ଶ୍ଵ ଖାଲି ଦୋହଲିବା ପରି ଲାଗୁଥାଏ ସତେ ଅବା ଭୂମିକମ୍ପ ହେଲାପରି । ସେହି ଭୂମିକମ୍ପରେ ଯେପରି ମୁଁ ଲୀନ ହୋଇଯିବି । ଭୟରେ ମୁଁ ମଳୟଭାଇଙ୍କୁ ଜାବୁଡ଼ି ଧରିଲି ।

 

ସ୍ଵପ୍ନପରି ଲାଗୁଥିଲେ ମଧ୍ୟ ଅନେକ କିଛି ମୁଁ ଜାଣି ପାରୁ ଥାଏ । ଚେତନା ଶକ୍ତି ମୋର ସମ୍ପୂର୍ଣ୍ଣ ଲୋପ ପାଇ ନ ଥାଏ । ମୋତେ ଟେକି ନେଇ ମଳୟଭାଇ ଗୋଟାଏ ଖଟିଆରେ ଶୁଆଇ ଦେଲେ । ଭିତରୁ କବାଟ ଧଡ଼ କରି ବନ୍ଦ କରି ଦେଲେ । ମୁଣ୍ଡ ଉପରେ ସିଲିଙ୍ଗ୍ ଫ୍ୟାନଟା ଖୁବ୍ ଜୋରରେ ଘୂରୁଥାଏ । ଫ୍ୟାନର ସେହି ଘର, ଘର ଶବ୍ଦ ମୋତେ ଅଟ୍ଟହାସ୍ୟ ପରି ଶୁଭୁଥାଏ । ଆଖି ମୋର ମୁଦି ହୋଇ ଆସୁଥିଲେ ମଧ୍ୟ ଜୋର କରି ସେ ଆଖି ଦୁଇଟାକୁ ମୁଁ ଖୋଲା ରଖିଥାଏ । ଭିତରୁ କବାଟ ବନ୍ଦକରି ମଳୟଭାଇ ଆସି ମୋ ପାଖରେ ଶୋଇଲେ । ତାଙ୍କର ସେ ଆଲିଙ୍ଗନ ମୋତେ କୌଣସି ହିଂସ୍ର ଜନ୍ତୁର ଆକ୍ରମଣ ପରି ଲାଗୁଥାଏ । ଗୋଟି, ଗୋଟି କରି ସେ ମୋର ପଞ୍ଜାବି ବୋତାମ ସବୁ ଫିଟାଇବାରେ ଲାଗିଲେ ।

 

ମୁଁ ଚିତ୍କାର କରି ଉଠିଲି–

 

“ଏ କ’ଣ କରୁଛ ମଳୟଭାଇ……”

 

–ଚୁପ୍‍ ପାଟି କରନି । ସେ ଘରେ ମନ୍ତ୍ରୀ ଶୋଇଛନ୍ତି ଶୁଣିବେ ।

 

–ତୁମ ଗୋଡ଼ ଧରୁଛି ମଳୟଭାଇ ମୋତେ ଛାଡ଼ିଦିଅ ।

 

ମୁଁ ଏକା କଲେଜ ହଷ୍ଟେଲକୁ ଚାଲିଯିବି ।

 

–ଆଃ, କାହିଁକି ଏଡ଼େ ପାଟି କରୁଛୁ । ଆଲୋ କୃତଜ୍ଞତା ବୋଲି ତୋ ହୃଦୟରେ କ’ଣ କିଛି ନାହିଁ ?

 

–ମଳୟଭାଇ…

 

–ଛି କାନ୍ଦୁଛୁ । ଆଲୋ ତୋର ବିଶ୍ୱାସ ହେଉଛି ମୁଁ ତୋର ଅନିଷ୍ଟ କରିବି ? କିଛି ହେବନି । ତୁ ଚୁପ୍‍ ରହ ।

 

ମୁଁ ଜାଣିଗଲି ମୋର ସେ କ୍ରନ୍ଦନ ଅରଣ୍ୟରୋଦନ ସହିତ ସମାନ । ନିରୁପାୟ ହୋଇ ମୁଁ ବିଛଣାରେ ପଡ଼ି ରହିଲି । ତା’ପରେ ମୋର ସେ ମାଂସଳ ଶରୀର ଉପରେ ମଳୟଭାଇ ଯେ କେତେ ଅତ୍ୟାଚାର କରିଗଲେ ତାହା ମୁଁ ଲେଖି ପାରୁନି । ମୋ ମନର ଅଶାନ୍ତି ଆଖିର ଅଶ୍ରୁ ରୂପରେ ନିଗଡ଼ି ପଡ଼ୁଥାଏ ।

 

କିଛି ସମୟ ପରେ ମଳୟଭାଇ ଯୁଦ୍ଧର ପରାସ୍ତ ସୈନିକ ପରି ବିଛଣାରେ ମୁହଁମାଡ଼ି ପଡ଼ିଥାନ୍ତି । ତଥାପି ତାଙ୍କର ଗୋଟାଏ ବାହୁ ମୋର ସେ ଉଲଗ୍ନ ଶରୀରଟା ଉପରେ ପଡ଼ିଥାଏ । ଶରବିଦ୍ଧ ହରିଣୀପରି ମୁଁ ବିଛଣାରେ ପଡ଼ିରହି ମୋର ଭାଗ୍ୟ ଓ ଭଗବାନଙ୍କୁ ମନେ ମନେ ଭର୍ତ୍ସନା କରୁଥାଏ ।

 

ତା’ପରେ ବାହାରୁ କବାଟ ଖଡ଼, ଖଡ଼ ହେଲା । ଭୟରେ ମୋର ଛାତି ଥରୁଥାଏ । କିଛି ସମୟ ପୂର୍ବରୁ ବାହାରେ ମୁଁ ଭୂମିକମ୍ପ ଅନୁଭବ କରୁଥିଲି । ଏବେ କିନ୍ତୁ ଭୂମିକମ୍ପ ମୋର ଶରୀର ମଧ୍ୟରେ । କେଉଁଠି କିପରି ମୋ ଶରୀରରେ ଶକ୍ତି ସଞ୍ଚାର ହେଲା କେଜାଣି ତର ତର ହୋଇ ମୁଁ ମୋର ଶାଲୱାରୀ ଓ ପଞ୍ଜାବି ପିନ୍ଧି ଦେଲି । ଛଳନା କରି ଖଟରେ ଶୋଇ ରହିଲି ।

 

ବିଛଣାରୁ ଉଠି ମଳୟଭାଇ ଯାଇ କବାଟ ଖୋଲିଲେ । ମୁଁ ଆଖି ବୁଜି ବିଛଣାରେ ପଡ଼ି ମନେ, ମନେ ଭାବୁଥାଏ ଏ ଦୁନିଆରେ ସମସ୍ତ ମୋ’ପରି ଆଖି ବୁଜି ଦିଅନ୍ତୁ । ଏପରିକି ବାହାରେ ଡାକୁଥିବା ଲୋକଟି ଜଣେ ଅନ୍ଧ ହେଉ । କେହି ମୋର ପାପ ଦେଖି ନ ପାରୁ ।

 

–କ’ଣ ମଳୟବାବୁ ? ଏଥର ଆପଣ ସେ ଘରକୁ ଯାଆନ୍ତୁ ।

 

ଆଖି ବୁଜିଥିଲେ ମଧ୍ୟ କାନ ମୋର ଠିକ୍ କାମ କରୁଥିଲା । ମୁଁ ଜାଣିପାରିଲି ଆଗନ୍ତୁକ ଜଣକ ନିଜେ ମନ୍ତ୍ରୀ ମହାଶୟ । ତା’ହେଲେ ମୋର ସର୍ବସ୍ୱ ଲୁଟି କରିବାକୁ ଏମାନେ କ’ଣ ବିଧିବଦ୍ଧ ଭାବରେ ଗୋଟାଏ ଯୋଜନା କରିଥିଲେ ! ଆଉ ମୁଁ ନୀରବରେ ଶୋଇ ପାରିଲି ନାହିଁ । ବିଛଣାରୁ ଉଠିପଡ଼ି ଲମ୍ବ ହୋଇ ମନ୍ତ୍ରୀଙ୍କ ପାଦତଳେ ପଡ଼ିଗଲି ।

 

–ଆପଣା ମୋର ବାପ ସମାନ, ମୋତେ ବଞ୍ଚାନ୍ତୁ

 

ମୋତେ ବଞ୍ଚାନ୍ତୁ…..

 

ମନ୍ତ୍ରୀ କହିଲେ–ଆରେ ମଳୟବାବୁ ଏସବୁ କ’ଣ ?

 

ପିଲାଟି ଏପରି କାନ୍ଦୁଛି କ’ଣ ? ଯା’ ତୁମେ ମଣିଷ ହୋଇ ପାରିଲନି ମଳୟବାବୁ । ଲୋକର ମନ ନେଇ ସବୁ କରାଯାଏ । ତୁମେ ଗଲ–ମୋ ଖଟରେ ଶୋଇବ ଯାଅ ।

 

ମଳୟଭାଇ ନିଶାରେ ଟଳ ଟଳ ହୋଇ ସେ ଘରକୁ ଚାଲିଗଲେ । ପୁଣି ଭିତରୁ କବାଟ ଦେଲେ ମନ୍ତ୍ରୀ ମହାଶୟ । ମୁହଁରୁ ତାଙ୍କର ଭଣ, ଭଣ ଗନ୍ଧ ବାହାରୁ ଥାଏ । ସେ ମଧ୍ୟ ଖୁବ୍ ପିଇଥାନ୍ତି ।

 

ମନ୍ତ୍ରୀ କହିଲେ–ଦେଖ ମଞ୍ଜୁ, ଏ ଦୁନିଆରେ କିଏ ଗୋଟାଏ ସତୀ ଅଛି କହିଲ ? ଏକଥା କେହି ଜାଣିବେନି । ତୋ ପାଖରେ ମୁଁ ଆଦୌ ଋଣୀ ହେବିନି । ସତ କହୁଛି ଆଠ ଦିନ ମଧ୍ୟରେ ତୋର ଚାକିରି କରାଇ ଦେବି । ଅଭାବରୁ ସ୍ଵଭାବ ନଷ୍ଟ । ମୁଁ ଜାଣେ ତୋର ଦାରୀଦ୍ରତାର ସୁଯୋଗ ନେଇ ମଳୟବାବୁ ତୋ’ଠାରୁ ତାଙ୍କର ଫାଇଦା ଉଠାଉଛନ୍ତି । ମୋ ଉପରେ ଭରସା ରଖ-। ଖୁବ୍ ଶୀଘ୍ର ତୋର ସବୁ ଦୁଃଖ ଦୂର ହେବ ।

 

ଆଉ ସବୁ ଜଘନ୍ୟ କଥା ନ ଲେଖିଲେ ମଧ୍ୟ ମୋ ଡାଏରୀରୁ ଏତିକି ପଢ଼ି ମସ୍ତେ ସବୁ କିଛି ଅନୁମାନ କରିନେବେ । ସେହି କାଳରାତ୍ରୀ ଶେଷ ହେବାକୁ ଆହୁରି ଦୁଇଘଣ୍ଟା ବାକି ଥାଏ । ସେ ଘରୁ ଉଠି ଆସି ମଳୟଭାଇ ଆମକୁ ଉଠାଇଲେ । ନିଶାରେ ମୁଁ ନିଘୋଡ଼ ନିଦରେ ଶୋଇ ଯାଇଥିଲି-। ମୋ ଦେହରେ ହାତ ଦେଇ ଯେତେବେଳେ ମଳୟଭାଇ ମୋତେ ଉଠାନ୍ତି ମୁଁ ଦେଖିଲି–

 

ମୋର ଶାଲୱାରୀ ଓ ପଞ୍ଜାବି ଦୁଇଟି ଖଟ ତଳେ ପଡ଼ିଛି । ମୁଣ୍ଡର କେଶ ଅଲରା, ଦେହରେ ମୋର ଅନେକ ସ୍ଥାନରେ କ୍ଷତ ଚିହ୍ନ । ଅଜନ୍ତାର ଛବି ଓ କୋଣାର୍କର ଉଲଗ୍ନ ମୂର୍ତ୍ତୀ ପରି ମୁଁ ବିଛଣାରେ ପଡ଼ି ରହିଥାଏ ।

 

ଲଜ୍ୟା ବୋଲି ଆଉ କିଛି ମୋ ପାଖରେ ନ ଥିଲା । ସେପରି ଉଲଗ୍ନ ଅବସ୍ଥାରେ ମୁଁ ମୋର ଶାଲୱାରୀ ଓ ପଞ୍ଜାବି ଆଣି ପିନ୍ଧିଲି ମନ୍ତ୍ରୀ ଓ ତଥା କଥିତ ସମାଜସେବୀ ମଳୟଭାଇଙ୍କ ସାମନାରେ । ମୋ ସାମନାରେ ଠିଆ ହୋଇଥିବା ଦୁଇଟି ନର ପିଶାଚ କେବଳ ହସୁଥାନ୍ତି ।

 

ମଳୟଭାଇ କହିଲେ–ଆ…ଆଉ ଡେରି କରନା । ରାତ୍ରୀ ନ ପାହୁଣୁ ମୁଁ ମଟର ସାଇକେଲରେ ନେଇ ତୁମ ଘରେ ଛାଡ଼ି ଦେଇ ଆସିବି । କେହି ଜାଣି ପାରିବେନି ।

 

ମୋର କିଛି କହିବାର ନ ଥିଲା । ମନ୍ତ୍ର ମୁଗ୍‌ଧ ସର୍ପପରି ମୁଁ ମଳୟଭାଇ ପଛେ ପଛେ ଚାଲିଲି ଆମ ଘର ଅଭିମୁଖେ ।

 

(ତିନି)

 

ସେହି ଦିନଠାରୁ ଆଉ କଲେଜ ମୁଁ ଯାଇନି । ମୋର କଲେଜ ପଢ଼ା ସେତିକିରେ ବନ୍ଦ । ବୋଉ ଉପରେ ମୋର ରାଗ ହୁଏ । ବେଶି ରାଗ ହୁଏ ସମାଜସେବୀ ମଳୟବାବୁଙ୍କ ଉପରେ । ଲୋକଟା କେଡ଼େ ବଦମାସ୍ । ଆମ ସରଳ ମନରେ ସେ ଗରଳ ଭରିଦେଲା । ବିଶ୍ୱାସରେ ବିଷ ଦେଇ ମୋର ସର୍ବସ୍ଵ ଲୁଟି କରି ନେଲା ।

 

ମନେପଡ଼େ ଦୁଇ ବର୍ଷ ତଳର କଥା । ମୁଁ ସେତେବେଳେ ଆମ ଗାଁ ସ୍କୁଲରେ ପଢ଼ୁଥାଏ-। ଆମର ଗାଁର ମାଧ ମିଶ୍ର ପୁଅଙ୍କ ସହିତ ବାପା ମୋର ବିବାହ ପ୍ରସ୍ତାବ ଆଣିଥିଲେ । ମାଧବାବୁ ରାସ୍ତା ଖର୍ଚ୍ଚ ବାବଦ ପାଞ୍ଚ ହଜାର ଟଙ୍କା, ଘଣ୍ଟା ସାଇକେଲ, ରେଡ଼ିଓ, କାଠ ଜିନିଷ, ବାସନ କୁସନ ଇତ୍ୟାଦି-ଇତ୍ୟାଦି ଏପରି ଅନେକ କିଛି ଲେଖି ଗୋଟାଏ ବଡ଼ ତାଲିକା ବାପାଙ୍କୁ ଧରାଇ ଦେଲେ ।

 

ଆମ ଘରୁ ଯିବା ସମୟରେ କହିଗଲେ–ଝିଅ ତାଙ୍କ ମନକୁ ପାଇଛି । ପୁଅ ତାଙ୍କର ଶିକ୍ଷିତ, ଡାକ୍ତରୀ ପଢ଼ୁଛି । ଅନେକ ଜାଗାରୁ ପ୍ରସ୍ତାବ ଆସିଲାଣି । କାର ଓ ମଟର ସାଇକେଲ ଦେବାକୁ ଲୋକେ ପ୍ରସ୍ତୁତ ଅଛନ୍ତି । କିନ୍ତୁ ପୁଅ ମନଲାଖି ଝିଅ ମିଳୁନି । କିଏ କାଳି ତ କିଏ ଗେଡ଼ି, କିଏ ଟେରୀ, ସବୁ ଝିଅକୁ ଦେଖି ପୁଅ ନାପସନ୍ଦ କରୁଛି । କିନ୍ତୁ ମଞ୍ଜୁକୁ ଦେଖି ପୁଅ ବିଭା ହେବାକୁ ରାଜି । ତେଣୁ ମୋର ସମ୍ମାନ ଦୃଷ୍ଟିରୁ ଚଳନୀୟ ମୁତାବକ ମୁଁ ଦାବି କରୁଛି । ଏସବୁ ନ ଦେଲେ ବିଭାଘର ହୋଇପାରିବିନି ।

 

ମାଧ ମିଶ୍ରେ ଦେଇଥିବା ଯୌତୁକ ତାଲିକାଟିକୁ ଥରେ ପଢ଼ି ବାପା ଗୋଟାଏ ଦୀର୍ଘଶ୍ୱାସ ପକାଇଲେ । ତାଙ୍କ ପାଟିରୁ ଆଉ କଥା ବାହାରି ନଥିଲା । ଝିଅ ଜନ୍ମ ଦେଇ ନିଜକୁ ସେ ହତଭାଗ୍ୟ ମନେ କରୁଥିଲେ ବୋଧେ ।

 

ମାଧ ମିଶ୍ରଙ୍କ ପୁଅ ଶିଶିରବାବୁଙ୍କୁ ମୁଁ ଅନେକ ଥର ଦେଖିଛି । ଗାଁକୁ ଆସିଲେ ମୋର ସ୍କୁଲ ଫେରନ୍ତା ରାସ୍ତାରେ ସେ ଠିଆ ହୋଇଥାନ୍ତି । ଦୂରରୁ ତାଙ୍କୁ ଦେଖି ମୁଁ ମୁହଁକୁ ତଳକୁ ପୋତି ଚାଲି ଆସେ । ସମୟେ ସମୟେ ଚାରି ଚକ୍ଷୁର ମିଳନ ହୁଏ । ସେ ଚକ୍ଷୁ ମିଳନର ଅବୁଝା ଭାଷା ଆମେ ପରସ୍ପର ବୁଝିବାକୁ ଚେଷ୍ଟାକରୁ । ମୁହଁ ଖୋଲି କେହି କାହାକୁ କିଛି କହି ପାରୁନା ।

 

ବୋଉର ଅନୁରୋଧ କ୍ରମେ ଦିନେ ସେ ଆମ ଘରକୁ ଆସିଥିଲେ । ତାଙ୍କ ସହିତ ମୋର ସେ ପ୍ରଥମ କଥା ଏବେ ମଧ୍ୟ ମୋର ସ୍ପଷ୍ଟ ମନେଅଛି ।

 

–ତମେ କଲେଜରେ ପଢ଼ିବ ମଞ୍ଜୁ ?

 

ମୁଁ ସଂକ୍ଷିପ୍ତ ଉତ୍ତର ଦେଇଥିଲି–ବାପାଙ୍କ ଇଚ୍ଛା ।

 

ମୋ ମୁହଁରୁ କଥା ନ ସରୁଣୁ ସେ କହିଥିଲେ–ନାଁ ନାଁ, ତୁମେ ପଢ଼ । ବାପା, ବୋଉଙ୍କ ସାମନାରେ ମୁଁ କଥା ଦେଇଯାଉଛି ତୁମ ଛଡ଼ା ଆଉ କାହାକୁ ବିଭା ହେବିନି । ହାତରୁ ସୁନା ମୁଦି କାଢ଼ି ସେ ମୋ ହାତରେ ପିନ୍ଧାଇ ଦେଇଥିଲେ ।

 

ସୁନା ମୁଦିଟି ଏବେ ମଧ୍ୟ ମୋ ଆଙ୍ଗୁଠିରେ ମୁଁ ପିନ୍ଧିଛି । ମୁଦିକୁ ଚାହିଁଲେ ଶିଶିରବାବୁଙ୍କ ମୁହଁ ମୋ ଆଖି ଆଗରେ ନାଚି ଉଠେ । ନିଜକୁ ନିଜେ ମୁଁ ଧିକ୍‌କାର କଲି । ଶିଶିରବାବୁଙ୍କୁ ପାଇବାର ଆଶା ମୋ ମନ ଭିତରେ ମଉଳି ଗଲା ।

 

ନାଁ, ନାଁ ମୁଁ ତାଙ୍କୁ ଧୋକା ଦେଇ ପାରିବିନି । ମୁଁ ଉଚିଷ୍ଟ ହୋଇଯାଇଛି । ଅପବିତ୍ର ହୋଇଯାଇଛି । ଜାଣି ଶୁଣି ମୁଁ ଶିଶିରବାବୁଙ୍କୁ ପ୍ରତାରଣା କରିପାରିବିନି । ଶିଶିରବାବୁ ମୋ ପାଖରେ ସାକ୍ଷାତ ଦେବତା ।

 

ସେଦିନ କାଳ ରାତ୍ରୀର ଘଟଣା ପରଠାରୁ ମୁଁ ଘରେ ଖାଲି ଶୋଇ ରହିଲି । ସେ ରାତ୍ରୀର କଳଙ୍କିତ କାହାଣୀ ମୁଁ କାହାକୁ କହି ପାରିଲି ନାହିଁ । କାହା ଆଗେ କହିବି ? ସବୁକଥା କହି ହୁଏନା କିଏ ଶୁଣିବ ମୋର ଦରଦ ଭରା କାହାଣୀ । ଶୁଣିଲେ ବା କିଏ କ’ଣ କରିବ ସମାଜସେବୀ ମଳୟବାବୁଙ୍କର ଓ ମନ୍ତ୍ରୀଙ୍କର । କେବଳ ମୋର ବଦନାମ ସାର ହେବ‌ ।

 

ଆଠଦିନ ପର୍ଯ୍ୟନ୍ତ ଦେହରୁ ମୋର ଦରଜ ଯାଇନି । ଦେହ ଅପେକ୍ଷା ମନର ଦରଜ ବେଶି । ସେଦିନ ରାତ୍ରୀର ଶାଲୱାରୀ ଓ ପଞ୍ଜାବିକୁ ମୁଁ ଟିକି ଟିକି କରି ଚିରିଦେଲି । ଦେଖିଛି ବୋଉ ସେ ଛିଣ୍ଡା ଶାଲୱାରୀ ପଞ୍ଜାବି କନାରେ ଗୋବର ପାଣି ଘର ଲିପେ । ସେହି କଳଙ୍କିତ କନାରେ ଗୋମୟ ଲିପି ଘରକୁ ପବିତ୍ର କରେ । କିନ୍ତୁ ମୋର ଶରୀର ଓ ମନକୁ ପବିତ୍ର କରିବ କିଏ ?

 

କାହାଠାରୁ ମୋର ପାଠ ପଢ଼ା ବନ୍ଦହେବା ଶୁଣି ଶିଶିରବାବୁ ଦିନେ ଆମ ଘରକୁ ଆସିଥିଲେ । ସେଦିନ ମୋ ବୋଉର ଗୋଡ଼ ତଳେ ଲାଗୁ ନ ଥାଏ । ଭାବି ଜାମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ରୋଷାଇ କରିବାରେ ବ୍ୟସ୍ତ ଥାଏ । ମୁଁ କିନ୍ତୁ ଗୋଟିଏ ଘରେ କବାଟ ବନ୍ଦ କରି ଖାଲି କାନ୍ଦୁଥାଏ । କିପରି ଶିଶିରବାବୁଙ୍କୁ ମୁଁ ମୁହଁ ଦେଖାଇବି ? ନିଜ ଭାଗ୍ୟକୁ ନିନ୍ଦୁଥାଏ । ମଳୟବାବୁ ଓ ମନ୍ତ୍ରୀ ମହୋଦୟଙ୍କୁ ଅଭିଶାପ ଦେଉଥାଏ ।

 

କିଛି ସମୟ ପରେ ବାହାରେ କବାଟ ଖଡ଼, ଖଡ଼ ଶବ୍ଦ ହେଲା । ଅନିଚ୍ଛା ସତ୍ତ୍ଵେ ମୁଁ କବାଟ ଖୋଲିଲି ।

 

ବୋଉ କହିଲା–

 

ଏ କ’ଣ ମଞ୍ଜୁ ତୁ କାନ୍ଦୁଛୁ । ଏତେ ବଡ଼ ହେଲୁ ବ୍ୟବହାର କ’ଣ ଶିଖିଲୁ ନାହିଁ । ପୁଅଟା ସେ ଘରେ ଏକଲା ବସିଛି ତା’ ସହିତ ଦୁଇପଦ କଥାବାର୍ତ୍ତା କଲେ କ’ଣ କ୍ଷତି ହେବ ? ଛି, ଛି, ଛି ଏତେ ଲାଜକୁଳି ତୁ । କିପରି ଘର ସଂସାର କରିବୁ କହିଲୁ । ବାପା ଶିଶିର ତୁମେ ଏ ଘରକୁ ଆସ । ତୁମ ସହିତ କଥାବାର୍ତ୍ତା କରିବାକୁ ମଞ୍ଜୁ ଲାଜ କରୁଛି ।

 

ବୋଉ ପାଟିରୁ କଥା ନ ସରୁଣୁ ଶିଶିରବାବୁ ମୁଁ ବସିଥିବା ଘରକୁ ପଶି ଆସିଲେ । ସତେ ଅବା ଏତିକି ସୁଯୋଗ ପାଇଁ ସେ ଅପେକ୍ଷା କରି ବସିଥିଲେ ।

 

ଯୋଡ଼ ହସ୍ତରେ ମୁଁ କହିଲି–ନମସ୍କାର ।

 

ନମସ୍କାର ! ତୁମର କ’ଣ ହୋଇଛି ମଞ୍ଜୁ ? କାହିଁଙ୍କି ତୁମେ ଶୁଖିଯାଇଛ ?

 

ଦେହ ଭଲ ନାହିଁ !

 

ମୋ ଦେହ ମଧ୍ୟ ଭଲ ନାହିଁ । ଋତୁ ପରିବର୍ତ୍ତନ ହେଉଛି । ତେଣୁ କାହାରି ଦେହ ଭଲ ରହୁନି । ଠିକ୍ ଅଛି ତୁମର କ’ଣ ହେଉଛି କହିଲ ମୁଁ ଔଷଧ ଆଣି ଦେବି ।

 

କ’ଣ ମୁଁ କହିବି ? କି ରୋଗ ମୋତେ ହୋଇଛି ? ମୋ ରୋଗ ପାଇଁ କି ଔଷଧ ଦରକାର ? ମୋ ରୋଗ ଚିହ୍ନି ଠିକ୍ ଔଷଧ କ’ଣ ଆଣି ପାରିବେ ଶିଶିରବାବୁ ?

 

ଦେହ ଖରାପ ପାଇଁ ସିନା ଔଷଧ, ମନ ଖରାପ ପାଇଁ ?

 

ଏମିତି ଅନେକ କଥା ମୁଁ ଭାବିଗଲି । କିଛି କହି ପାରିଲି ନାହିଁ ।

 

ମୁଁ ନୀରବ ରହିବା ଦେଖି ଶିଶିରବାବୁ ଅଭିମାନ କରି କହିଲେ–ମୁଁ ଜାଣେ ମଞ୍ଜୁ ତୁମେ ମୋ ପାଖରେ ଆଦୌ ଖୋଲା ହୃଦୟ ନୁହଁ । ମୁଁ ତୁମକୁ ଯେତେ ଆପଣାର କରିବାକୁ ଚାହୁଁଛି ତୁମେ ମୋ’ଠାରୁ ସେତେ ଦୂରେଇ ରହୁଛ । ମୁଁ ଜାଣେ ତୁମପରି ସୁନ୍ଦରୀ ଝିଅକୁ ପାଇବା ପାଇଁ ମୁଁ ଯୋଗ୍ୟ ନୁହେଁ । ତୁମର ତ ପୁଣି ଗୋଟାଏ ପସନ୍ଦ ଅଛି । ଠିକ୍ ଅଛି ତୁମ ମନରେ କଷ୍ଟ ଦେଇଥିବାରୁ ମୁଁ ଦୁଃଖିତ । ଆଉ କେବେ ମୁଁ ତୁମ ଘରକୁ ଆସିବିନି । ଯଦି ମୁଁ ପ୍ରକୃତରେ ତୁମକୁ ମନ, ପ୍ରାଣ ଓ ହୃଦୟ ଦେଇ ଭଲ ପାଉଥାଏ ଦିନେ ନା ଦିନେ ତୁମେ ମୋ କଥା ନିଶ୍ଚୟ ଭାବିବ । ଆଚ୍ଛା ମୁଁ ଯାଉଛି–ଆଉ ମୁଁ ନୀରବ ରହି ପାରିଲିନି । ଧୈର୍ଯ୍ୟର ବନ୍ଧ ମୋର ଭାଙ୍ଗିଗଲା । ଆଖିରୁ ଝରୁଥିଲା ଠୋପା ଠୋପା ଲୁହ । ମୁହଁ ଖୋଲି ମୁଁ ପଛରୁ ଡାକିଲି–

 

: ଶୁଣ ।

 

: କାହିଁକି ପୁଣି ପଛରୁ ଡାକୁଛ ?

 

: ମୋର ଗୋଟାଏକଥା ରଖିବ ?

 

: କୁହ ।

 

: ଯାହାକୁ ତୁମେ ଏତେ ଭଲ ପାଉଛ, ଯାହାପାଇଁ ତୁମେ ଆଶାର ତାଜମହଲ ଗଢ଼ୁଛ; ଯାହାକୁ ତୁମେ ସୁଶ୍ରୀ ସରଳା ଗ୍ରାମ୍ୟବାଳିକା ବୋଲି ମନେକରୁଛ ପ୍ରକୃତରେ ସେ ତାହା ନୁହେଁ । ତୁମେ କୁହୁଡ଼ିରେ ପହଁରୁଛ, ଶିଶିରବାବୁ; ତୁମ ମତରେ ସହରୀ ଝିଅଠାରୁ ସରଳା ଗ୍ରାମ୍ୟ ବାଳିକା ଖୁବ୍ ଭଲ । ମୁଁ ତୁମର ସେ ସରଳା ଗ୍ରାମ୍ୟ ବାଳିକା ମଞ୍ଜୁ ନୁହେଁ । ମୁଁ ପତିତା, ମୁଁ ଅପବିତ୍ରା । ତୁମେ ମୋତେ ଭଲପାଅ । ଜାଣିଶୁଣି ମୁଁ ତୁମ ସରଳ ଜୀବନରେ ଗରଳ ଭରି ଦେବିନି । ତୁମପାଇଁ ଝିଅ ଅଭାବ ହେବନାହିଁ ଶିଶିରବାବୁ ତୁମେ ମତେ ଭୁଲିଯାଅ–ଭୁଲିଯାଅ । ଅମାନିଆ ଲୁହଗୁଡ଼ାକ ଝରଝର ହୋଇ ଝରି ପଡ଼ୁଥାଏ ମୋ ଆଖିପତା ଡେଇଁ । ତଟସ୍ଥ ହୋଇ ଶିଶିରବାବୁ ମୋତେ ଚାହିଁଥାନ୍ତି । କିଛି ସମୟ ନୀରବ ରହି କ’ଣ ଭାବିଚିନ୍ତି ପୁଣି ସେ କହିଲେ–

 

“ଚନ୍ଦ୍ରରେ ମଧ୍ୟ କଳଙ୍କ ଅଛି ମଞ୍ଜୁ । ଶରୀର ଅପବିତ୍ର ହୋଇ ଯାଇପାରେ କିନ୍ତୁ ମନ ହୋଇପାରେନା । ତୁମ ବିରୁଦ୍ଧରେ ଯିଏ ଯେତେ ଅପବାଦ ଦେଲେ ମଧ୍ୟ ମୁଁ ଜାଣେ ତୁମେ ପବିତ୍ର”-। ନାଁ, ନାଁ ଶିଶିରବାବୁ ତୁମେ ତୁମର ମୁଦି ଫେରାଇ ନିଅ । ହାତରୁ ମୁଦିକାଢ଼ି ମୁଁ ଶିଶିରବାବୁଙ୍କ ହାତରେ ପିନ୍ଧାଇ ଦେଲି । ତାଙ୍କର ପାଦଧୂଳି ଆଣି ମଥାରେ ଲଗାଇଲି ।

 

ତୁମେ ମୋ ପାଖରେ ସାକ୍ଷାତ ଦେବତା ଶିଶିରବାବୁ । ତୁମ ଶରୀର ସ୍ପର୍ଶ କଲେ ମୋର ପାପ ହେବ । ତୁମର ପଦଧୂଳି କେବଳ ମୋର କାମ୍ୟ, ମୋତେ ପାଇବାକୁ ତୁମେ ଆଉ ବୃଥା ଚେଷ୍ଟା କରନା । ତୁମପାଇଁ ସୁନ୍ଦରୀ ଝିଅ ଅଭାବ ହେବନି । ଏ ଅଭାଗିନୀକୁ ଭୁଲିଯାଅ । ମୋ ପାପର ଫଳ ମୁଁ ନିଜେ ପାଇଛି ।

 

ପାଦଧୂଳି ଆଣିବା ସମୟରେ ଶିଶିରବାବୁ ମୋ ଦୁଇବାହୁରୁ ମୋତେ ଧରି ତାଙ୍କ କୋଳକୁ ଆଉଜେଇ ନେଲେ । ତାଙ୍କର ସେହି ପ୍ରଶସ୍ଥ ଛାତି ଉପରେ ମୁଣ୍ଡ ଦେଇ ମୁଁ କାନ୍ଦୁଥିଲି । ମୋର ଗଣ୍ଡରେ ସେ ଆଙ୍କି ଦେଉଥିଲେ ଗାଢ଼ ଚୁମ୍ବନ । ଆଃ କେତେ ତୃପ୍ତି, କି ଆନନ୍ଦ, ଗୋଟିଏ ରାତ୍ରୀରେ ମୋତେ ତାଙ୍କ ଛାତିରେ ଆଶ୍ରୟ ଦେଇଥିଲେ କାହିଁ ଏପରି ଶାନ୍ତିତ ସେଥିରେ ମିଳି ନଥିଲା । ପାଶବିକ କାର୍ଯ୍ୟ କେବେ ପ୍ରଣୟର ଆନନ୍ଦ ଦେଇପାରେନା ।

 

କିଛି ସମୟପାଇଁ ଶିଶିରିବାବୁଙ୍କ କୋଳରେ ମୁଁ ନିଜକୁ ହଜାଇ ଦେଲି । ସେହି ଗାଢ଼ ଆଲିଙ୍ଗନଦ୍ଵାରା ଶିଶିରବାବୁଙ୍କ ଦେହରୁ ସମସ୍ତ ସ୍ନେହ ଶ୍ରଦ୍ଧା ଓ ପ୍ରେମ ଯେପରି ମୋ ଶରୀରରେ ପ୍ରବେଶ କରୁଥିଲା । ତାଙ୍କ ବାହୁବନ୍ଧନରୁ ମୁକ୍ତି ପାଇବାକୁ ଆଦୌ ଇଚ୍ଛା ହେଉ ନଥାଏ । କାହାରି ମୁହଁରୁ କଥା ବାହାରୁ ନଥାଏ । ସେହି ନୀରବତା ମଧ୍ୟରେ ଆମେ ଯେପରି ପରସ୍ପରକୁ ଆପଣାର କରିବାକୁ ଚେଷ୍ଟା କରୁଥିଲୁ । କେତେ ମିନିଟ୍ କେତେ ସେକେଣ୍ଡ ଅତିବାହିତ ହୋଇଯାଇଛି ଆମକୁ ଜଣାନାହିଁ । ହଠାତ୍ ମୁଁ ମୋ ଚେତନା ଶକ୍ତି ଫେରି ପାଇଲି । ଶିଶିରବାବୁଙ୍କ ବାହୁ ବନ୍ଧନରୁ ମୁକ୍ତ ହୋଇ କହିଲି–

 

“ବାସ୍‌ ସେତିକି ତୁମପାଇଁ ଯଥେଷ୍ଟ ଶିଶିରିବାବୁ । ତୁମେ ଫେରିଯାଅ । ଆଉଦିନେ ଏ ଘର ଦୁଆର ମାଡ଼ିବନି । ଏ ମୋର ତୁମକୁ ଆଦେଶ ନୁହେଁ, ବରଂ ଅନୁରୋଧ” ଏତିକି କହି ସେ ଘରୁ ମୁଁ ବାହାରି ଆସିଲି ।

 

ଏକମୁହାଁ ହୋଇ ଶିଶିରିବାବୁ ଦାଣ୍ଡଦୁଆର ଦେଇ ଆମ ଘରୁ ବାହାରିଗଲେ । ନିଜକୁ ସେ ଅପରାଧୀ ମନେ କରୁଥିଲେ ବୋଧେ । ହାୟରେ ନିର୍ବୋଧ ଯୁବକ । କ’ଣ କହି ଆଉ ମୁଁ ତମକୁ ବୁଝାଇଥାନ୍ତି ଯେ ମୁଁ ଅପବିତ୍ର, ମୁଁ ଉଚ୍ଛିଷ୍ଟ । ପରର ଉଚ୍ଛିଷ୍ଟକୁ କୈବଲ୍ୟ ତୁଲ୍ୟ ପାଇବାକୁ କାହିଁକି ତୁମର ଏତେ ଆଗ୍ରହ । କ’ଣ ମୋ’ଠାରେ ଅଛି ? ଏଇ ସୁନ୍ଦର ରୂପ ?

 

ତୁମେ ଜାଣନି ଶିଶିରବାବୁ ଏଇ ସୁନ୍ଦରରୂପ ମୋର କଳଙ୍କ । ଏଇ ରୂପପାଇଁ ମୁଁ ଦିନେ ଗର୍ବ କରୁଥିଲି । କିନ୍ତୁ କ’ଣ ହେଲା । କଲେଜରେ ଏତେ ଝିଅ ପଢ଼ୁଛନ୍ତି, ସମସ୍ତେ କାହିଁକି କଲେଜ କୁଇନ୍ ହୋଇ ପାରିଲେନି । ସମସ୍ତେ କାହିଁକି ସମାଜସେବୀ ମଳୟବାବୁ ଓ ଦୁର୍ନୀତି ଶୂନ୍ୟ ମନ୍ତ୍ରୀଙ୍କର ଉପଭୋଗ୍ୟ ହୋଇପାରିଲେନି । ଏଇ ରୂପ ଏଇ ଯୌବନ ମୋର ଦୁଃଖର କାରଣ ।

 

ଏକ ମୁହାଁ ହୋଇ ତଳକୁ ମୁହଁପୋତି ଦ୍ରୁତଗତିରେ ଆଗକୁ ଚାଲିଛନ୍ତି ଶିଶିରବାବୁ । ଆମରି ଘରେ ମୋର ଅନିଚ୍ଛା ସତ୍ତ୍ଵେ ମୋତେ ଆଲିଙ୍ଗନ ଓ ଚୁମ୍ବନ ଦେଇ ସେ ନିଜକୁ ଅପରାଧୀ ମନେ କରୁଛନ୍ତି ବୋଧେ । କାଳେ ମୁଁ ସମସ୍ତଙ୍କୁ ଏକଥା କହିଦେବି । କିଏ ବୋଧେ ଆମଘରେ ତାଙ୍କୁ ଅପମାନ ଦେବ, ସେହି ଭୟରେ ଦ୍ରୁତଗତିରେ ସେ ଚାଲିଛନ୍ତି । ମୋ’ଠାରୁ ପଦିଏକଥା ଶୁଣି ତାଙ୍କ ମୁହଁରେ ବିନ୍ଦୁ ବିନ୍ଦୁ ଝାଳ ଠୋପା ଠୋପା ହୋଇ ନିଗିଡ଼ି, ତାଙ୍କର ଗଞ୍ଜି ଓ ସାର୍ଟ୍‌କୁ ଭିଜାଇ ଦେବଣି । ଶିଶିରବାବୁ ଚାଲିଛନ୍ତି ଆଗକୁ । ଆହୁରି ଆଗକୁ । ରୁକୁଣାରଥ ଅଣ ଲେଉଟା । ଆଉ ବୋଧେ ସେ ଫେରିବେନି ।

 

ହଠାତ୍ ବୋଉ ଘରକୁ ପଶି ଆସି ମୋତେ ଚଢ଼ା ଗଳାରେ ପଚାରିଲା–ଏ ତୁ କ’ଣ କଲୁ ମଞ୍ଜୁ । କ’ଣ ସେ ପୁଅଟାକୁ କହିଲୁ ଯେ ସେ ଚାଲିଗଲେ ? ଛତରଖାଇକୁ ଛତର ଯୋଗଅଛି । ଜାନି, ଯଉତୁକ ଦେବାକୁ ବୋପାରତ ଶକ୍ତି ନାହିଁ । ବସିଥା । ସେପରି ଅଭିଆଡ଼ୀ ହୋଇ ବସିଥା । ପାଠପଢ଼ାତ ବନ୍ଦକଲୁ । କ’ଣ ତୋ ମନରେ ଅଛି । ହେଲେ ଝିଅକୁ କିଛି ଜଣାପଡ଼ୁନି । ଚାରିମାସ କଲେଜରେ ପଢ଼ିଲୁତ ନାନାଦି ଦୁର୍ନାମ । ତୋ’ପାଇଁ କ’ଣ ଆମେ ବୁଢ଼ା ବୁଢ଼ୀ ଦୁହେଁ ବିଷ ଖାଇବୁ ।

 

କାଠ ପିତୁଳୀପରି ମୁଁ ବସିଥାଏ ସତେଅବା ବୋଉର ଭର୍ତ୍ସନା ମୁଁ ଶୁଣିପାରୁନି । ମୋ ପାଟିରୁ କଥା ବାହାରୁ ନଥାଏ । କେବଳ ଏକଲୟରେ ମୁଁ ବୋଉକୁ ଚାହିଁ ରହିଥାଏ ।

 

(ଚାରି)

 

କୁନିଲୋ ଆଜି ଶ୍ରାବଣ କୃଷ୍ଣପକ୍ଷ ସପ୍ତମୀ । ଚାହୁଁ ଚାହୁଁ ତିନିବର୍ଷ ପୂରିଗଲା । ମୋ’ଠାରୁ ତୁ ଦୂରେଇଗଲୁ । କେଉଁଠି ଅଛୁ, କିପରି ଅଛୁ, ମୁଁ ଜାଣେନା । ତୁ ମୋତେ ଛାଡ଼ି ଚାଲିଗଲୁ । ତୋତେ କିନ୍ତୁ ମୁଁ ଛାଡ଼ିପାରୁନି । ତୋର ଅଭୁଲା ସ୍ମୃତିକୁ ଏବେ ମଧ୍ୟ ମୁଁ ସାଇତି ରଖିଛି ।

 

ମାସକ ଆଗରୁ ତୋତେ ସେମାନେ ଗୋଡ଼େ ଗୋଡ଼େ ଜଗୁଥିଲେ । କଡ଼ା ପହରା । କାଳେ ତୁ ମୋ ପାଖକୁ ଚାଲିଆସିବୁ ଏଇ ଭୟରେ ସେମାନେ ଗୋଡ଼େ ଗୋଡ଼େ ଜଗୁଥିଲେ । ଶ୍ରାବଣମାସ ସୋମବାର । ସେଦିନ ତୁ ଉପବାସ କରିଥିଲୁ । ଜିଦ୍ ଧରିଲୁ–ମା’ଙ୍କ ମନ୍ଦିରକୁ ଯିବି, ଶିବ ଦର୍ଶନ କରିବି । କିନ୍ତୁ ତୋତେ ଛାଡ଼ିଲେନି । ତୁ ଜିଦ୍‌ ଧରି ବସିଲୁ–ମା’ କାଳୀଙ୍କୁ ଦର୍ଶନ ନକଲେ ଶିବଙ୍କ ଉପରେ ଫୁଲ ବେଲପତ୍ର ନ ଚଢ଼ାଇଲେ ଜଳସ୍ପର୍ଶ କରିବିନି । ଜନ୍ମଦାତ୍ରୀ ହେଲେ ମଧ୍ୟ ତୋ ମା’ର ହୃଦୟ ଅତି କଠୋର, ଅତି ନିଷ୍ଠୁର । କିନ୍ତୁ ତୋର ବାପାଙ୍କ ହୃଦୟ ଅନ୍ୟ ଉପାଦାନରେ ଗଢ଼ା ।

 

ତୋର ଦେବଭକ୍ତି ପାଖରେ ମା’ ତୋର ହାର ମାନିଲେ । ଯିବାକୁ ତୋତେ ଅନୁମତି ମିଳିଲା । ପ୍ରହରୀ ହୋଇ ତୋତେ ଜଗିବାକୁ ସଙ୍ଗରେ ଗଲେ ତୋର ବାପା । କିନ୍ତୁ ହାୟ । କାଳୀ ମନ୍ଦିରରେ ପହଡ଼ ପଡ଼ିଯାଇଥିଲା । ମା’ କାଳୀଙ୍କ ଦର୍ଶନ ତୁ କରି ପାରିଲୁ ନାହିଁ । ଶିବଙ୍କ ଉପରେ ଫୁଲ ବେଲପତ୍ର ଚଢ଼ାଇ ପାରିଲୁ ନାହିଁ । ଦୁଃଖରେ ଫେରି ଆସିଲୁ । ଜଳସ୍ପର୍ଶ କଲୁନି । ଦୁଃଖରେ ସେପରି ବସି ରହିଲୁ ।

 

ତୋର ବାପା ପୁଣି ତୋତେ ସାଙ୍ଗରେ ନେଇ ଦିନ ଚାରିଟା ସମୟରେ ମନ୍ଦିର ଗଲେ । ମନ୍ଦିରରେ ତୁ ଭୋଗ କଲୁ । ଶିବଙ୍କ ପାଖରେ ତୋର ଦୁଃଖ ଜଣାଇଲୁ । ତୋର ଆରାଧ୍ୟ ଦେବୀ ମା’ କାଳୀଙ୍କ ପାଖରେ ପ୍ରଣତି ଢାଳି ନିଜର ମନକାମନା ଜଣାଇଲୁ ।

 

ବ୍ରାହ୍ମଣ ଭୋଗ କରୁଥାନ୍ତି, ତୁ ହାତଯୋଡ଼ି ବିଗ୍ରହ ସାମନାରେ ଠିଆ ହୋଇଥାଉ । ତୋର ବାପା ତୀକ୍ଷ୍‌ଣ ଦୃଷ୍ଟିରେ ଚାରିଆଡ଼କୁ ଚାହିଁଥାନ୍ତି, କାଳେ କେଉଁ ବାଟେ ମୁଁ ମନ୍ଦିରରେ ପ୍ରବେଶ କରିବି କି ? ବାପାଙ୍କୁ ଦୂରରେ ଥିବା ଦେଖି ବ୍ରାହ୍ମଣଙ୍କୁ ତୁ କହିଲୁ–ନନା, ତାଙ୍କ ପାଇଁ ଭୋଗ ରଖିନେବ । ସେ ଆସିଲେ ଦୟାକରି ତାଙ୍କୁ ଭୋଗ ଦେବ । ମୋର ଅବସ୍ଥା କଥା ତାଙ୍କୁ ବୁଝାଇ କହିବ । ଆଉ ବୋଧେ ମୁଁ ମନ୍ଦିର ଆସି ପାରିବିନି ।

 

ମନ୍ଦିରର ପୂଜାରୀ ସବୁ ଜାଣନ୍ତି ତୋର କହିବା ଅନୁଯାୟୀ ଚାଲାଖ କରି ଶିବଲିଙ୍ଗ ଉପରେ ସେ କିଛି ଭୋଗ ରଖିନେଲେ ତୋର ବାପାଙ୍କର ପ୍ରତିବାଦ କରିବାକୁ ଉପାୟ ନଥିଲା । ଶିବ ଓ ମା କାଳୀଙ୍କୁ ଦର୍ଶନକରି ତୁ ଘରକୁ ଫେରିଲୁ ।

 

ପରଦିନ ସକାଳେ ମୁଁ ମନ୍ଦିର ଯିବାରୁ ନନା ମୋତେ ଭୋଗ ଦେଲେ । ସବୁକଥା ମୋ ଆଗରେ ବର୍ଣ୍ଣନାକଲେ । ସବୁଶୁଣି ମୋ ଆଖିରୁ ଝରି ପଡ଼ିଲା ଦୁଇଧାର ଅଶ୍ରୁ । ନନା କହିଲେ–ବ୍ୟସ୍ତ ହୁଅନିବାବୁ ଖୁବ୍‌ଶୀଘ୍ର ତୁମ ଦୁଃଖ ଦୂରହେବ । ଅଚିରେ ତୁମର ମିଳନ ହେବ । ତୁମ ଉପରେ ଠାକୁରଙ୍କର ଆର୍ଶୀବାଦ ଅଛି । ତୁମର ମିଳନ ନିଶ୍ଚୟ ହେବ । ନନା ମନକୁ ଏକଥା କହୁଥିଲେ କି ପଇସା ଆଶାରେ କହୁଥିଲେ ମୁଁ ଜାଣେନା । ଠିକ୍ ତା’ର ପରଦିନ ଅର୍ଥାତ ମଙ୍ଗଳବାର, ରାତ୍ରୀ ଆଠଟା ହୋଟେଲରୁ ଖାଇ ଫେରିଲା ସମୟରେ ମୁଁ ଦେଖିଛି ତୁ ମେଲଣରେ ଏକଲା ବସିଥିଲୁ । ମୋର ଠିକ୍ ମନେଅଛି ତୁ ଚକଲେଟ୍‌ ରଙ୍ଗର ଗୋଟାଏ ଶାଢ଼ି ପିନ୍ଧିଥିଲୁ । ଏକଲା ବସିଥିଲୁ, ମୁହଁ ତୋର ଶୁଖିଯାଇଥିଲା । ଦୂରରୁ ତୋର ମନକଥା ମୁଁ ଜାଣନ୍ତି କିପରି ?

 

ସେହି ମଙ୍ଗଳବାର କାଳରାତ୍ରୀ ନ ପାହୁଣୁ ତୁ ନିଜକୁ ସର୍ବଗ୍ରାସୀ ନିଆଁରେ ଜାଳିଦେଲୁ । କିରୋସିନି ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇଦେଲୁ । କାହିଁକି ଏପରି କଲୁ ? ତୋତେ ବଞ୍ଚାଇବାପାଇଁ ବାପା ତୋର ଚେଷ୍ଟା କରିଥିଲେ । ଆମ୍ବୁଲାନ୍‌ସ ଡକାଇ ଡାକ୍ତରଖାନା ନେଇଥିଲେ । କିନ୍ତୁ ତୋ ଇଚ୍ଛାରେ ବାଧା ଦେବାକୁ କାହାର ଶକ୍ତି ଅଛି ? ଏଇ ଶ୍ରାବଣମାସ କୃଷ୍ଣପକ୍ଷ ସପ୍ତମୀତିଥି ବୁଧବାରରେ ତୁ ଚିରବିଦାୟ ନେଲୁ । କେହି ତୋତେ ଅଟକାଇ ପାରିଲେନି । ସମସ୍ତେ ଖାଲି ଲୁହ ଢାଳିଥିଲେ । ପ୍ରକୃତି ରାଣୀ ମଧ୍ୟ ଅଧୈର୍ଯ୍ୟ ହୋଇ ପଡ଼ିଥିଲେ । ସୂର୍ଯ୍ୟଦେବ ଦୁଃଖରେ ତାଙ୍କର ମୁହଁ ଲୁଚାଇ ଦେଇଥିଲେ । ଦୁଃଖରେ ଗଛଗୁଡ଼ିକ ବୋଧେ ବାଡ଼େଇ ପିଟି ହେଉଥିଲେ । ଆକାଶରୁ ଝରୁଥଲା ଠୋପା ଠୋପା ଅଶ୍ରୁ ବିନ୍ଦୁ, ଠିକ୍ ମୋ ଆଖିରୁ ଝରିଲା ପରି ।

 

ମାତ୍ର କେତୋଟି ମିନିଟ ମଧ୍ୟରେ ଶ୍ମଶାନର ଚିତାରେ ତୁ ଜଳି ପାଉଁଶ ହୋଇଗଲୁ । ମାଟି ମା’ କୋଳରେ ତୁ ଚିରଶାନ୍ତିରେ ଶୋଇପଡ଼ିଲୁ । ମୁଁ ତୋ’ଠାରୁ ବୟସରେ ବଡ଼ । ତୋ ଆଗରେ ମୁଁ ଯିବା କଥା । ମୋ’ପାଇଁ ତୁ ମୁଣ୍ଡ ଧୋଇଥାନ୍ତୁ । ମୋ’ପାଇଁ ତୁ ଶୋକ କରିଥାନ୍ତୁ । ବିଚିତ୍ର ଏ ବିଧାନ । ମୋ ଆଗରେ ତୁ ଚାଲିଗଲୁ । ତୋ’ପାଇଁ ମୁଁ ଶୋକ କଲି । ତୋର ମୃତ୍ୟୁଦିନ ମୁଁ ପାଳନ କରୁଛି ।

 

ମରିବା ଆଗରୁ କେତେଥର ତୁ ମୋତେ କହିଛୁ–ମୋ ମୁତ୍ୟୁରେ ତୁମେ ଆଗରୁ ଲୁହ ଢାଳିବନି । ତା’ଦ୍ଵାରା ମୋ ଆତ୍ମା କେବେ ଶାନ୍ତି ପାଇବନି । ତମକୁ ମୋର ଏତିକି ଅନୁରୋଧ ମୋ ମୃତ୍ୟୁ ଦିନରେ ମୋର ଆରଧ୍ୟଦେବୀ ମା’ କାଳୀଙ୍କ ସାମନାରେ ଦୁଇଟି ଦୀପ ଜାଳିଦେବ । ମୋ ଆତ୍ମାର ଶାନ୍ତିପାଇଁ ମା’ କାଳୀଙ୍କୁ ଜଣାଇବ ।

 

ତୋର କଥା ମୁଁ ରଖିଛି । ତିନି ବର୍ଷ ହୋଇଗଲା ତୋର ମୃତ୍ୟୁ ଦିନରେ ମୁଁ ଦୁଇଟି ଦୀପ ମହାକାଳୀଙ୍କ ସାମନାରେ ଜଳାଉ ଅଛି । ଏପରି ପ୍ରତି ବର୍ଷ ଜଳାଉଥିବି ମୋ ଜୀବନ ଦୀପ ଲିଭିବା ପର୍ଯ୍ୟନ୍ତ–କିନ୍ତୁ ତୋ ମୃତ୍ୟୁରେ ଲୁହ ଢାଳିବିନି–ଏକଥା ତୁ କହିଥିଲେ ବି ମୁଁ ଲୁହ ଢାଳିଛି । ଠିକ୍ ଲୁହ ନୁହେଁ ଲହୁ ମଧ୍ୟ ।

 

କାଠଯୋଡ଼ୀ ନଈ ବାଲିରେ, ପୁରୀ ସମୁଦ୍ର କୂଳରେ ଓ ଜଗନ୍ନାଥ ମନ୍ଦିରରେ ତୋତେ ମୁଁ ଖୋଜିଛି । ଯେଉଁଠି ଯେଉଁ ଜାଗାରେ ବସି ତୁ ମୋ ସହିତ କଥା କହୁଥିଲୁ ସେ ଜାଗାକୁ ମୁଁ ଯାଇଛି-। ପାଗଳପରି ଗୋଡ଼ି, ମାଟି, ପାଣି, ପବନ ସମସ୍ତଙ୍କୁ ପଚାରିଛି–ମୋ କୁନି କୁଆଡ଼େ ଗଲା-? କେହି ମୋତେ ଉତ୍ତର ଦେଇନି । କେହି ମୋତେ ସାନ୍ତ୍ଵନା ଦେଇନି । ଏମିତି ମୁଁ ତୋତେ ଝରୁଛି ଓ ଝୁରୁଥିବି । କାହିଁକି ମୋ ପ୍ରତି ତୁ ଏତେ ନିଷ୍ଠୁର ହେଲୁ ? ମୋ ମୁହଁ ଶୁଖିଥିଲେ ତୋ ପେଟକୁ ଖାଦ୍ୟ ଯାଏନା । ମୋ ଦେହ ଖରାପ ହେଲେ ତୋର ପୂଜା ପାଠର ସମୟ ବଢ଼ିଯାଏ ମୋର ଆରୋଗ୍ୟ ପାଇଁ, କିନ୍ତୁ ଏବେ ମୋ ଆଖିରୁ ଝରୁଛି ଗଙ୍ଗା ଯମୁନାର ଧାର ତୁ କେଉଁଠି କିପରି ସ୍ଥିର ହୋଇ ରହିଛୁ ?

 

ଏତିକି ଡାଏରୀରେ ଲେଖି ଲେଖକ ଶୋଇ ଯାଇଛନ୍ତି । ଆଉ ବୋଧେ ତାଙ୍କର କଲମ ଚାଲିନି । ଲେଖା ଉପରେ ଠୋପା ଠୋପା ହୋଇ ପଡ଼ିଛି କେତୋଟି ଅଶ୍ରୁବିନ୍ଦୁ । ଲେଖକ ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ବୋଧେ । ଏଇ ତରୁଣ ଲେଖକ ମୋର ପଡ଼ୋଶୀ । ମଳୟଭାଇ ଭଡ଼ା ଘର ନେଇ ଏବେ ମୋତେ କଟକରେ ରଖି ଅଛନ୍ତି । ମୋ ଘରକୁ ଲାଗି ଅନ୍ୟ ବଖରାରେ ରୁହନ୍ତି ଲେଖକ । ତାଙ୍କର ଚାରି ପାଞ୍ଚୋଟି ଉପନ୍ୟାସ ପ୍ରକାଶ ପାଇଲାଣି ।

 

ଲେଖକ ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି । ହାତରେ କଲମ ଧରା ହୋଇଛି । ମୁଣ୍ଡ ପାଖରେ ପଡ଼ିଛି ଅଧାଲେଖା ଡାଏରୀ । କୌଣସି ନୂଆ ଉପନ୍ୟାସର ପାଣ୍ଡୁଲିପି ଭାବି ମୁଁ ଡାଏରୀଟିକୁ ଲୁଚାଇ ଆଣି ପଢ଼ିଥିଲି । ଡାଏରୀ ନୁହେଁ ତ ଜଣେ ବିଦଗ୍‌ଧ ନାୟକର କରୁଣ କାହାଣୀ । ନିଦରୁ ଉଠି ଲେଖକ କାଳେ ମୋତେ ଭୁଲ ବୁଝିବେ ସେଥିପାଇଁ ଶେଷ ଆଡ଼କୁ ଦୁଇ ତିନି ପୃଷ୍ଠା ପଢ଼ି ମୁଁ ପୁଣି ନେଇ ଡାଏରୀଟିକୁ ଲେଖକଙ୍କ ମୁଣ୍ଡ ପାଖରେ ରଖିଦେଲି ।

 

ମଳୟଭାଇ ମୋତେ ଆଣି କଟକରେ ରଖିଛନ୍ତି । ମୁଁ ବଳେ ବଳେ ତାଙ୍କ ହାତରେ ଧରା ଦେଇଛି । ମୋର ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖି ଗାଁ ମାଇପେ ଫୁସ୍ ଫାସ୍‌ ହେଲେ । ସେମାନଙ୍କ ଆଖିରେ କିଛି ଲୁଚି ରହେ ନାହିଁ । ଦୂରବୀକ୍ଷଣ ଯନ୍ତ୍ରଠାରୁ ସେମାନଙ୍କ ଆଖି ଆହୁରି ଶକ୍ତିଶାଳୀ । ଗାଁ ପୋଖରୀ, ଗାଁ ମନ୍ଦିର, ଗାଁ ଭାଗବତ ଘର, ଗାଁ ଲାଇବ୍ରେରୀ ସବୁଠାରେ ମୋ କଥା ଆଲୋଚନା ହେଲା ମୁଁ କୁଆଡ଼େ ମା’ ହେବାକୁ ଯାଉଛି । ମୋ ଗର୍ଭରେ ଥିବା ସନ୍ତାନର ବାପ କିଏ ? ସମାଜସେବୀ ମଳୟଭାଇ ନା ମନ୍ତ୍ରୀ ମହାଶୟ ??? କିଏ ତା’ର ବାପ ? ଯଦି ସେ ଦୁନିଆକୁ ଆସେ ନିଜକୁ କ’ଣ କୋଲି ପରିଚୟ ଦେବ ?

 

ମୁଁ ମା’ ହେବାକୁ ଯାଉଛି ଏକଥା ଚାରିଆଡ଼େ ପ୍ରଚାର ହେଲା । ଆମ ଗାଁର ଗୋଡ଼ି, ମାଟି, ପାଣି, ପବନ ମଧ୍ୟ ମୋତେ ଉପହାସ କରିବାକୁ ଲାଗିଲେ । କେତେକ କହିଲେ–ମଞ୍ଜୁକୁ ଆଉ କିଏ ବାହା ହେବ ? ଆଉ କେତେକ ଥଟ୍ଟାକରି କହିଲେ–କାହିଁକି ଟିକିଏ ଅଏଲିଙ୍ଗ୍ ଅର୍ଥାତ୍ ମରାମତି କରିଦେଲେ ପୁଣି ଯେଉଁ ନୂଆକୁ ସେଇ ନୂଆ । ଏପରି କେତେ କଥା । ସହି ପାରିଲେନି ମୋର ବାପା । ବୃଦ୍ଧ ଅବସ୍ଥାରେ ଏତେ ବଡ଼ ଧକ୍‌କା ତାଙ୍କୁ ଅସହ୍ୟ ହେଲା । ଶେଷରେ ସେ ଆତ୍ମହତ୍ୟା କଲେ । ତାଙ୍କର ଆଉ ବଞ୍ଚିବା ଉଚିତ ନ ଥିଲା ।

 

ବୋଉ ଏବେ ମୋତେ ଦୋଷ ଦେଉଛି । ମୁଁ କୁଆଡ଼େ ଆମ କୁଳର କଳଙ୍କ । ବିଷଖାଇ ଆତ୍ମହତ୍ୟା କରିବା କୁଆଡ଼େ ମୋ ପକ୍ଷରେ ଉଚିତ । ମୁଁ କାହିଁକି ଆତ୍ମହତ୍ୟା କରିବି ? ମୋତେ କଳଙ୍କିନୀ କଲା କିଏ ? ପାଠପଢ଼ି ମଣିଷ ହେବି । ସ୍ୱାମୀ ସହିତ ସୁଖର ସଂସାର କରିବି । ମୋ କୋଳକୁ କୁନି କୁନି ପୁଅ ଝିଅ ଆସିବେ । ମୋ ସ୍ୱାମୀ ବଡ଼ ଡାକ୍ତର ହେବେ ଇତ୍ୟାଦି ଇତ୍ୟାଦି ଅନେକ ସୁଖ ସ୍ୱପ୍ନ ମୁଁ ଦେଖିଥିଲି । ମନେ ମନେ ଅନେକ ଆଶାର ଅଟ୍ଟାଳିକା ଗଢ଼ିଥିଲି । ମୋ ନିଦ ଭାଙ୍ଗି ଯାଇଛି । ମୋ ସ୍ଵପ୍ନ ସରି ଯାଇଛି । ମୋ ଆଶାର ଅଟ୍ଟାଳିକା ମୋରି ସାମାନାରେ ଭାଙ୍ଗି ମାଟିରେ ମିଶି ଯାଇଛି । ମୁଁ ଏବେ ଜାଗ୍ରତ । ମୁଁ ବଞ୍ଚିବି, ମୋ ପାଇଁ ନୁହେଁ । ମୋ ଗର୍ଭରେ ଥିବା ଶିଶୁ ସନ୍ତାନ ପାଇଁ, ଯିଏ ତା’ର ବାପ ହେଉନା କାହିଁକି ମୁଁ ତା’ର ମା’ । କିନ୍ତୁ କାହା ଆଗେ କହିବି ସେ ଅକୁହାକଥା–କିଏ ବୁଝିବ ? କାହିଁକି ବା ବୁଝିବ ? ସବୁକଥା ପୁଣି କହି ହୁଏନା ।

 

ବୋଉ ମୋତେ ଘରୁ ତଡ଼ି ଦେଇଥିଲା । ନିରୁପାୟ ହୋଇ ବଳେ ବଳେ ମୁଁ ମଳୟଭାଇ ପାଖକୁ ଯାଇଥିଲି । ସନ୍ଧ୍ୟା ହୋଇ ଆସୁଥାଏ । ସୂର୍ଯ୍ୟଦେବ ତାଙ୍କ ମା’ କୋଳରେ ଆଶ୍ରୟ ନେଉଥାନ୍ତି । ବିହଙ୍ଗ ଦଳ ଫେରି ଯାଉଥାନ୍ତି ନିଜ ନିଜ ନୀଡ଼କୁ ଆଶ୍ରୟ ପାଇଁ । ନିରାଶ୍ରୟ ହୋଇ ସେଦିନ ସନ୍ଧ୍ୟାରେ ମୁଁ ଯାଇଥିଲି ମଳୟଭାଇଙ୍କ ପାଖକୁ । ସୂର୍ଯ୍ୟଦେବଙ୍କ ପରି ମା’ କୋଳରେ ମୋର ଆଶ୍ରୟ ନ ଥିଲା । କିମ୍ବା ବିହଙ୍ଗଙ୍କ ପରି ମୁଁ ମୋର ନୀଡ଼ ରଚନା କରି ନ ଥିଲି । ବହୁତ ଭାବିଚିନ୍ତି ମୁଁ ମଳୟଭାଇଙ୍କ ପାଖକୁ ଯାଇଥିଲି । ମୋତେ ଦେଖି ତାଙ୍କ ପାଟିରୁ ଲାଳ ବାହାରିଥିଲା-। କାରଣ ସେ ଆମିଷ ପ୍ରିୟ ଓ ମାଂସାଶୀ । ଛେଳି, କୁକୁଡ଼ା ମାଂସଠାରୁ ନାରୀ ମାଂସକୁ ସେ ଖୁବ୍ ଆଦର କରନ୍ତି । ମୋ’ପରି ଅନେକ ତରୁଣୀଙ୍କ ମାଂସ ସେ ଖାଇଲେଣି । ତଥାପି ତାଙ୍କର କ୍ଷୁଧା ମେଣ୍ଟିନାହିଁ ।

 

ଅଳ୍ପ ଦୂରରୁ ମୋତେ ଦେଖି ସେ ପଚାରିଲେ–ଆଲୋ ମଞ୍ଜୁ ତୁ କ’ଣ ମୋତେ ବିଲକୁଲ ଭୁଲିଗଲୁ ।

 

: ତୁମକୁ ମୁଁ ଭୁଲିବି ! ତୁମକୁ ଭୁଲିଯିବା ଏ ଜନ୍ମରେ ଆଉ ସମ୍ଭବ ନୁହେଁ ମଳୟଭାଇ । ତୁମେ ବରଂ ମୋତେ ଭୁଲି ଯାଇଛ । ଏ ଚାରିମାସ ମଧ୍ୟରେ ମୋ କଥା କ’ଣ ତୁମର ଥରେ ମନେପଡ଼ିଲାଣି ?

 

: କଥା କ’ଣ କୁହ ମଞ୍ଜୁ

 

ସବୁକଥା ମୁଁ କହିବି ମଳୟଭାଇ । ମୋତେ ଟିକେ ନିରୋଳା ସ୍ଥାନକୁ ନେଇଚାଲ ।

 

ମଳୟଭାଇ ତାଙ୍କ କଣ୍ଟ୍ରୋଲ ଦୋକାନ ପଛରେ ଯେଉଁ ଛୋଟ ଘରଟି ତୋଳିଛନ୍ତି ସେଠାକୁ ମୋତେ ନେଇଗଲେ । ଘରକୁ ଯାଇ ନ ପାରିଲେ ଅନେକ ରାତ୍ରୀରେ ସେ ସେହିଘରେ ବିଶ୍ରାମ ନିଅନ୍ତି । ଦୋକାନ ଛାଡ଼ି ମୋତେ ସେ ଛୋଟ ଘରକୁ ପାଛୋଟି ନେଉଥିବା ସମୟରେ ଦୋକାନର କର୍ମଚାରୀ ଓ ଖର୍ଦ୍ଦିଦାରମାନେ ଆଖିରେ ଇଙ୍ଗିତ ଦେଇ ମୁରୁକି ମୁରୁକି ହସିବା ମୁଁ ଲକ୍ଷ କରିଛି । ମୋତେ ଓ ମୋର ପରିବାରକୁ ସିନା ଅଜଣା ଥିଲା କିନ୍ତୁ ପରେ ମୁଁ ଜାଣିଲି ସମାଜସେବୀ ମଳୟଭାଇଙ୍କ ଚରିତ୍ର ସମ୍ବନ୍ଧରେ କାହାକୁ କିଛି ଅଜଣା ନଥିଲା ।

 

ଘରଟିକୁ ଅଧା ଖୋଲି ମଳୟଭାଇ ତାଙ୍କ ଶୋଇବା ଖଟ ଉପରେ ବସିଲେ । ମୁଁ ଦୂରରେ ଠିଆ ହେଉଥିଲି । କିନ୍ତୁ ଦୁଇ ହାତରେ ସେ ତାଙ୍କ ପ୍ରଶସ୍ଥ ଛାତି ପାଖକୁ ମୋତେ ଟାଣିନେଲେ । କିଛି ମୁଁ ପ୍ରତିବାଦ କଲିନି । ବନର ଲତାପରି ତାଙ୍କ ଶରୀରରେ ମୁଁ ଆଉଜି ଗଲି । ମୋର ଆଶ୍ରୟ ଦରକାର । ମନେ ପଡ଼ୁଥାଏ–କବିତା, ବନିତା ଲତା ନତିଷ୍ଠତି ବିନାଶ୍ରୟେ ।

 

ମଳୟଭାଇ ତାଙ୍କ ଜିଭରେ ମୋ ଚିବୁକକୁ ଘନ ଘନ ଚାଟିବାରେ ଲାଗିଥାନ୍ତି ସତେଅବା ଦୁନିଆର ସମସ୍ତ ମଧୁ ମୋ ଚିବୁକରେ ଲାଗି ରହିଛି । ମୁଁ କିନ୍ତୁ କିଛି ପ୍ରତିବାଦ କରୁ ନ ଥାଏ । ପ୍ରତିବାଦ କରି ଆଉ ଲାଭ କ’ଣ ? ଆଜି ମୁଁ ନିରାଶ୍ରୟା । ମା’, ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତେ ମୋତେ ଦୂରକୁ ଫିଙ୍ଗି ଦେଇଛନ୍ତି । ସମସ୍ତେ ସାଧୁ । ମୁଁ କେବଳ କଳଙ୍କିନୀ ହୋଇଯାଇଛି । ଆମ ଘରେ, ଆମ ଗାଁରେ, ଆମ ବ୍ରାହ୍ମଣ ସମାଜରେ ଆଉ ମୋର ସ୍ଥାନ ନାହିଁ । ତଥାପି ମୁଁ ବଞ୍ଚିବାକୁ ଚାହେଁ । ମୋର ଆଶ୍ରୟ ଲୋଡ଼ା ।

 

ଶ୍ମଶାନରେ ପଡ଼ିଥିବା ଶବର ଲୁଗାପଟାକୁ ବିଲୁଆ କୁକୁର ଯେପରି ନିଜ ଦାନ୍ତ ଓ ନଖରେ ବିଦାରି ପକାନ୍ତି ମୁଁ ପିନ୍ଧିଥିବା ଶାଢ଼ି, ସାୟା ଓ ବ୍ଲାଉଜକୁ ମଳୟଭାଇ ସେପରି ବିଦାରିବାରେ ଲାଗିଲେ । ମୁଁ ଭାବିପାରୁ ନଥାଏ ଶ୍ମଶାନର ସେହି ବିଲୁଆ କୁକୁରଙ୍କ ପ୍ରକୃତି ଓ ମଳୟଭାଇଙ୍କ ପ୍ରକୃତି ମଧ୍ୟରେ ତଫାତ୍‌ କ’ଣ ?

 

ମୁଁ କହିଲି–ମଳୟଭାଇ ମୋ କଥା ଶୁଣିବ ପରା ? ତୁମ ମନ ଓ ମସ୍ତିଷ୍କକୁ ଯଦି ଥୟ ନ କରିବ ମୁଁ ଆଉ କହିବି କ’ଣ ? ଛାଡ଼ ନିରାଶ ହୋଇ ଫେରିଯିବା ଭଲ ।

 

ମୋ ବ୍ଲାଉଜ ଭିତରେ ହାତଟା ପୂରାଇ ମଳୟଭାଇ କହିଲେ–ଆଲୋ–ନାଁ, ନାଁ ତୁ କହ-। ମୁଁ ଶୁଣିବାକୁ ପ୍ରସ୍ତୁତ ଅଛି । ଟଙ୍କା ଦରକାର, କେତେ ଟଙ୍କା, କହ ?

 

–ଟଙ୍କା କ’ଣ ମଣିଷର ସବୁ କିଛି ମଳୟଭାଇ ? କିନ୍ତୁ ମୋର ଟଙ୍କା ଲୋଡ଼ାନାହିଁ । ମୁଁ ଚାହେଁ ଟିକେ ଆଶ୍ରୟ ।

 

–କ’ଣ ତୁ କହୁଛୁ ମୁଁ ବୁଝି ପାରୁନି ମଞ୍ଜୁ ?

 

–ସବୁ ଜାଣି, ସବୁ ଶୁଣି, ସବୁ କରି ତୁମେ ଯଦି ବୁଝି ନ ପାରିବ ଆଉ ମୁଁ ବୁଝାଇବି କାହାକୁ । ମୁଁ ମା’ ହେବାକୁ ଯାଉଛି । କାହାର ସେ ସନ୍ତାନ ମୁଁ ଜାଣେନା । କାରଣ ଗୋଟାଏ ରାତ୍ରୀରେ ମୁଁ ତୁମ ଦୁଇ ଜଣଙ୍କର ଉପଭୋଗ୍ୟା ହୋଇଛି । ତୁମେ ଦୁହେଁ ଏଥର ସ୍ଥିରକର କିଏ ତା’ର ବାପା ହେବ ?

 

ମଳୟଭାଇ ହସିଲେ–ଖିଲି, ଖିଲି ହସ । ଆଉ କହିଲେ–ଏଇଥି ପାଇଁ ତୋର ଭାବନା । ଆଲୋ ଆଜିର ବିଜ୍ଞାନ ଯୁଗରେ କିଛି ଅସମ୍ଭବ ଅଛି ? ବୈଜ୍ଞାନିକମାନେ ଟେଷ୍ଟଟିଉବରେ ମଣିଷପିଲା ସୃଷ୍ଟିକରି ପାରୁଛନ୍ତି, ଆଉ ମା’ ଗର୍ଭରୁ ମଧ୍ୟ ଖୁବ୍‌ ସହଜରେ ଭ୍ରୁଣ ବାହାର କରି ଆଣୁଛନ୍ତି । ଠିକ୍‌ ଅଛି । ଆଜି ରାତ୍ରୀରେ ତୁ ଏଇଠ ରହ । କାଲି ସକାଳୁ ମୁଁ ତୋତେ କଟକ ନେଇଯିବି । ଦୁଇଦିନ ପରେ ପୁଣି ତୁ ନିଷ୍କଳଙ୍କ । ଏତେ ଛୋଟ ବୟସରୁ ତୁ କ’ଣ ମା’ ହେବୁ । ବର୍ତ୍ତମାନ ଜୀବନକୁ ଉପଭୋଗ କରିବା କଥା ।

 

–ତୁମ ସହିତ ମୁଁ ଏକମତ ମଳୟଭାଇ । ଆଜି ରାତ୍ରୀକ ପାଇଁ ମୁଁ ଏଠାରେ ରହିବାକୁ ଆସିନି । ଏଣିକି ସବୁରାତ୍ରୀରେ ମୁଁ ତୁମ କୋଳରେ ମୁଣ୍ଡଗୁଞ୍ଜି ଶୋଇବି । ତୁମକୁ ଛାଡ଼ି ମୁଁ ଆଉ କୁଆଡ଼େ ଯିବିନି । କୁହ ମୋତେ ଆଶ୍ରୟ ଦେବନି ।

 

ମୁଁ ଲକ୍ଷ୍ୟ କରିଛି ମୁହୂର୍ତ୍ତକ ପାଇଁ ମଳୟଭାଇଙ୍କ ମନ ଖରାପ ହୋଇଗଲା । କିଛି ସମୟ ନୀରବ ରହି ସେ କହିଲେ–“ଠିକ୍ ଅଛି, ବ୍ୟସ୍ତ ହୁଅନା । ମୁଁ ତୋତେ ନିଶ୍ଚୟ ଆଶ୍ରୟ ଦେବି । ”

 

ତା’ ପରଦିନ ମଳୟଭାଇ ସହିତ ମୁଁ କଟକ ଆସିଲି । କିଏ ଜଣେ ଡାକ୍ତର ମହାନ୍ତିବାବୁ ଗର୍ଭପାତ କରିବାରେ ଧୁରନ୍ଧର । ଆଗେ ଲୁଚା ଚୋରାରେ କରୁଥିଲେ । କିନ୍ତୁ ଗର୍ଭପାତ ଆଇନ୍‌ ସିଦ୍ଧ ହୋଇଯିବାରୁ ଏବେ ସେ ନିର୍ଭୟରେ ଗର୍ଭପାତ କରୁଛନ୍ତି । ଡାକ୍ତର ମହାନ୍ତିବାବୁଙ୍କ ପାଖକୁ ମଳୟଭାଇ ମୋତେ ନେଇଥିଲେ । ଡାକ୍ତର ମହାନ୍ତିବାବୁ ମଳୟଭାଇଙ୍କୁ ଡାକିନେଇ ଏକଲା ଯଦି କହିଥାନ୍ତେ–ନାଁ ଆଉ ଗର୍ଭପାତ କରି ହେବନି ? କାରଣ ବହୁତ ଡେରି ହୋଇଗଲାଣି । ବର୍ତ୍ତମାନ ଗର୍ଭପାତ କଲେ ମା’କୁ ବଞ୍ଚାଇବା ମୁସ୍କିଲ ହୋଇପଡ଼ିବ–ତା’ହେଲେ ମୋ ଜୀବନ ସହିତ ଖେଳ ଖେଳି ମୋର ଗର୍ଭପାତ କରିବାକୁ ମଳୟଭାଇ କେବେ କୁଣ୍ଠିତ ହୋଇ ନ ଥାନ୍ତେ । କିନ୍ତୁ ନିର୍ବୋଧ ଡାକ୍ତର ମୋ ସାମନାରେ ସବୁକଥା ଖୋଲା ଖୋଲି କହିଦେଲେ । ନିରାଶରେ ଆମେ ଫେରିଲୁ ।

 

ରାସ୍ତାର ଛକ ଉପରେ ଠିଆ ହୋଇ ମଳୟଭାଇ ଯେତେବେଳେ ରିକ୍‌ସା ଡାକୁଥିଲେ ସେହି ତ୍ରିଛକି ଉପରେ ଠିଆ ହୋଇ ମୁଁ ଭାବୁଥିଲି ଏଣିକି କେଉଁ ବାଟ ମୁଁ ଧରିନେବି ? ମୋର ଭାବ ଭଙ୍ଗି ଦେଖି ମଳୟଭାଇ ପଚାରିଲେ–

 

: କ’ଣ ଭାବୁଛୁ ମଞ୍ଜୁ ?

 

: ଉଁ…ହଁ…ମୁଁ ଭାବୁଛି କେଉଁ ବାଟରେ ଯିବି । ଏ ରାସ୍ତା ଷ୍ଟେସନ ଆଡ଼କୁ ପଡ଼ିଛି ବୋଧେ-। ଆଉ ଏ ରାସ୍ତାଟି କାଠଯୋଡ଼ୀ କୂଳକୁ । ଆଉ ଏ ପାଖ ରାସ୍ତାରେ ଗଲେ ଆମ ଗାଁ ମଟର ଷ୍ଟାଣ୍ଡ ପଡ଼ିବ । ଠିକ୍ ଅଛି ମଳୟଭାଇ ତୁମେ ତୁମ ବାଟରେ ଫେରିଯାଅ । ମୋତେ ଟିକେ ଭାବିବାକୁ ଦିଅ ମୁଁ ଷ୍ଟେସନ ଯିବି ନାଁ କାଠଯୋଡ଼ୀ କୂଳକୁ ଯିବି । କାଠଯୋଡ଼ୀରେ ବର୍ତ୍ତମାନ ଭରା ପାଣିଅଛି ନୁହେଁ-!!!

 

: ଛି ଏ କ’ଣ ଭାବୁଛୁ ମଞ୍ଜୁ ତୁ ପରା କହୁଥିଲୁ ମୋ ପାଖରେ ଆଶ୍ରୟ ନେବୁ ?

 

: ମୁଁ ଆଉ ଗାଁକୁ ଫେରିବିନି ମଳୟଭାଇ । ଗାଁରେ ଆଉ ମୁଣ୍ଡଟେକି ଚାଲି ପାରୁନି ।

 

: ଠିକ୍‌ ଅଛି ଆଜି ରାତ୍ରୀରେ ଆମେ ଲଜିଂରେ ରହିଯିବା । କଟକରେ ମୋର ଜଣେ ଆତ୍ମୀୟ ଅଛନ୍ତି । କାଲି ସକାଳୁ ତାଙ୍କ ଘରେ ତୋତେ ରଖିଦେଇ ମୁଁ ଗାଁକୁ ଯିବି ପୁଣି ସନ୍ଧ୍ୟାରେ ଫେରିଆସିବି ।

 

ତାହା ହିଁ ହେଲା । ସେ ରାତିଟା ଲଜିଂ ତା’ ପରଦିନ ମଳୟଭାଇଙ୍କ ଆତ୍ମୀୟଙ୍କ ଘରେ ଓ ତା’ପରେ ଭଡ଼ା ଘରେ ମୋତେ ରହିବାକୁ ପଡ଼ିଲା । ଲଜିଂରେ ରହିବା ଦିନ ଏକ ଟଙ୍କାର ଗାଢ଼ ସିନ୍ଦୂର କିଣି ମାତ୍ର ଠୋପାଏ ମୋତେ ବ୍ୟବହାର କରିବାକୁ ପଡ଼ିଥିଲା ପୁଲିସଙ୍କ ଭୟରେ । ତା’ପରେ ମୋତେ ପୁଣି ବିଧବା ବେଶ ସାଜିବାକୁ ପଡ଼ିଲା ମଳୟଭାଇଙ୍କ ନିର୍ଦ୍ଦେଶରେ ।

 

ଏଇ ଭଡ଼ା ଘରେ ରହିଥିବା ସମୟରେ ମୋର ପଡ଼ୋଶୀ ଥିଲେ ଲେଖକ ରମାକାନ୍ତବାବୁ । ତାଙ୍କର ଡାଏରୀଟିକୁ ପାଣ୍ଡୁଲିପି ଭାବି ମୁଁ ଭୁଲରେ ପଢ଼ି ଦେଇଥିଲି । ଲେଖକ ଦିନେ ପ୍ରେମିକ ଥିଲେ । ପ୍ରେମିକର ମନ ବଗିଚାରେ ସବୁବେଳେ ମଳୟ ବହେ ନାହିଁ । ସମୟେ, ସମୟେ ବିରହର ବାତ୍ୟା ମଧ୍ୟ ବହିଥାଏ । ଲେଖକଙ୍କର ପ୍ରିୟା କୁନି ଆଉ ଏ ଦୁନିଆରେ ନାହିଁ । ପ୍ରିୟା କୁନିର ବିରହରେ ଲେଖକ ରମାକାନ୍ତବାବୁ ଢାଳୁଛନ୍ତି ଅଶ୍ରୁ ।

 

ଲେଖକଙ୍କ ପ୍ରିୟା କୁନିର ତ୍ୟାଗ ବିରଳ । ସେ ଜଣେ ନାରୀ ଆଉ ମୁଁ ମଧ୍ୟ ଜଣେ ନାରୀ-। ଲେଖକ ଜଣେ ବିଦଗ୍‌ଧ ପ୍ରେମିକ ଆଉ ମଳୟଭାଇ ??? ଲେଖକ ତାଙ୍କ କଳ୍ପନାରେ ତିଆରି କରୁଛନ୍ତି ଅନେକ କାହାଣୀ । ସେହି କାହାଣୀ ପଢ଼ି ପାଠକ ହସୁଛି ଓ କାନ୍ଦୁଛି । କିନ୍ତୁ ମୋ ଜୀବନ କାହାଣୀ ଶୁଣିଲେ ଲେଖକ କ’ଣ ସୁନ୍ଦର ଉପନ୍ୟାସ ଲେଖି ପାରିବେନି ??? ହୁଏ ପଛେ ମୁଁ କଳଙ୍କିତା ନାୟିକା ତଥାପି ମୁହଁ ଖୋଲି ମୋ ଜୀବନ କାହାଣୀ ସବୁ ମୁଁ ଲେଖକଙ୍କୁ କହିଦେବି । ପୁଣି ଚିନ୍ତାକରେ–ନାଁ । ମୋ ଜୀବନ କାହାଣୀ ଅସମ୍ପୂର୍ଣ୍ଣ । ଅସମ୍ପୂର୍ଣ୍ଣ କାହାଣୀ କେବେ ପାଠକଙ୍କୁ ଆନନ୍ଦ ଦେବନି ।

 

ମଳୟଭାଇଙ୍କର ମୋତେ କଡ଼ା ନିର୍ଦ୍ଦେଶ–ମଞ୍ଜୁ ଭୁଲରେ ତୁ ସେ ଲେଖକ ସହିତ କଥାବାର୍ତ୍ତା କରିବୁନି । ଦୁନିଆରେ ସବୁ ଲେଖକ ଓ କବି ଭଲ ଲୋକ ନୁହଁନ୍ତି । ସେମାନଙ୍କ ଚରିତ୍ର ଠିକ୍‌ ନଥାଏ । ଆଙ୍ଗୁଠି ଦେଖାଇଲେ ସେମାନେ ବାହୁ ପର୍ଯ୍ୟନ୍ତ ଗିଳିଯିବେ । ଟିକିଏ ସତକଥା ଶୁଣିଲେ ମନକୁ ଅନେକ କଥା ସେଥିରେ ଯୋଡ଼ି ବହିଲେଖି ଦେବେ । ତେଣୁ ଖୁବ୍‌ ସାବଧାନରେ ଚଳିବୁ । ଆମ ସମ୍ପର୍କ କଥା ଯେପରି ସେ କିଛି ନ ଜାଣନ୍ତି । ମୁଁ ସବୁବେଳେ କାର୍ଯ୍ୟବେସ୍ତ । ତୋ ପାଖରେ ସବୁ ସମୟରେ ରହିବା ମୋ ପକ୍ଷରେ ସମ୍ଭବପର ନୁହେଁ । ତେଣୁ ସାବଧାନରେ ଚଳିବୁ ।

 

ଜଣେ ସଚ୍ଚୋଟ, ସତ୍‌ଚରିତ୍ର ସୁପୁରୁଷ ପରି ମଳୟଭାଇ ମୋତେ ଉପଦେଶ ଦିଅନ୍ତି ଲେଖକଙ୍କ ସହିତ କଥାବାର୍ତ୍ତା ନ କରିବାକୁ । କିନ୍ତୁ ନିଜେ ବଳେ, ବଳେ ରମାକାନ୍ତବାବୁଙ୍କ ସହିତ ବେଶ୍‌ ଗପ ଜମାନ୍ତି । ଆମଠାରୁ କିଛି ନ ଶୁଣିଲେ ମଧ୍ୟ ଲେଖକ ଅନୁମାନ କରି ନେଇଛନ୍ତି ମୁଁ ହେଉଛି ମଳୟଭାଇଙ୍କର ରକ୍ଷିତା ସ୍ତ୍ରୀ । ମଳୟଭାଇ କିନ୍ତୁ ପରିଚୟ ଦିଅନ୍ତି ମୁଁ ତାଙ୍କ ଧର୍ମପତ୍ନୀର ସାନ ଭଉଣୀ । ବିବାହପରେ ମୋର ସ୍ଵାମୀ ମରି ଯାଇଛନ୍ତି । ଚାକିରି ଅନ୍ୱେଷଣରେ ମୁଁ କଟକରେ ଅଛି । ମଳୟଭାଇ ହେଉଛନ୍ତି ମୋର ଅଭିଭାବକ ।

 

(ପାଞ୍ଚ)

 

ମଣିଷ ଜୀବନରେ ଏପରି ଅନେକ କିଛି ଘଟଣା ଘଟେ ଯାହାକୁ ସମସ୍ତଙ୍କ ଆଗରେ ପ୍ରକାଶ କରି ହୁଏ ନାହିଁ ଠିକ୍‌ ମୋ ଜୀବନରେ ଘଟିଥିବା ଘଟଣାପରି । ଦୁନିଆ ଚକ୍ଷୁରେ ମୁଁ ହେଲି ଚରିତ୍ରହୀନା । ବାପା, ବୋଉ, ସମାଜ ସମସ୍ତେ ଗୋଟିଏକଥା କହିଲେ ମୁଁ ଚରିତ୍ରହୀନା । କାହାରି ପାଖରେ ମୁଁ ପ୍ରତିବାଦ କରେନି କି ସଫେଇ ଦେଇନି । ଏ ଯୁଗରେ ନାରୀନେତ୍ରୀ, ନାରୀକଳାକାର, ନାରୀ ସୈନିକ ଅଭାବ ନାହାଁନ୍ତି । ତଥାପି ସେହି ଯୁଗ ଯୁଗର ପୁରୁଣାକଥା ନାରୀ ଅବଳା ବୋଲି ମୁଁ ମାନିନେଲି ।

 

ମୋ ଜୀବନର କରୁଣ ଓ କଳଙ୍କିତ କାହାଣୀ ମୁଁ କାହାକୁ କହିବି ? କାହା ଆଗେ କହିବି-?? କାହା ଆଗେ କହିବି । ଏପରି ଭାବୁ, ଭାବୁ ମୋ ଜୀବନର ଅଧା ସମୟ ଚାଲିଗଲା । ଏବେ ମୁଁ ନୁହେଁ ବିବାହିତା ନୁହେଁ ବିଧବା, ନୁହେଁ କୁମାରୀ କନ୍ୟା । ତଥାପି ମଳୟଭାଇଙ୍କ ନିର୍ଦ୍ଦେଶରେ ମୋତେ ବହୁରୂପ ଧରି ଅଭିନୟ କରିବାକୁ ପଡ଼ୁଛି ।

 

କଲିକତାର ଏକ ଘରୋଇ ଡାକ୍ତଖାନାରେ ମୋର ପୁଅଟିଏ ହେଲା । ସମାଜସେବୀ ମଳୟଭାଇ ଓ ମନ୍ତ୍ରୀ ମହାଶୟଙ୍କୁ ଯାହା କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବ । ଦଶ ମାସର ଗର୍ଭକଷ୍ଟ ଓ ତିନିଦିନ ପ୍ରସବ ବେଦନା ମୋତେ ସହିବାକୁ ପଡ଼ିଲା । ପେଟ ଚିରି ପିଲାଟିକୁ ବାହାର କରିବାକୁ ପଡ଼ିଥିଲା ନ ହେଲେ ସେହି ଡାକ୍ତର ଖାନାରେ ମୋତେ ଚିର ବିଦାୟ ନେବାକୁ ପଡ଼ି ଥାଆନ୍ତା । ସମାଜସେବୀ ମଳୟଭାଇ କିମ୍ବା ମନ୍ତ୍ରୀ ମହାଶୟ କେହି ମୋ ପାଖରେ ନଥିଲେ । ସେମାନଙ୍କ ଦ୍ୱାରା ପ୍ରେରିତ ଜଣେ ତଥାକଥିତ ସମାଜସେବୀ ମୋର ଦାୟିତ୍ଵ ନେଇଥିଲେ । ସେଥିପାଇଁ ତାଙ୍କୁ ମୋଟା ଆକାରରେ କିଛି ଆର୍ଥିକ ସାହାଯ୍ୟ ଦିଆ ଯାଇଥିଲା । ମଳୟଭାଇଙ୍କ ପରାମର୍ଶ ଅନୁଯାୟୀ ସେହି ଡାକ୍ତରଖାନାରେ ମୋର ବନ୍ଧ୍ୟାକରଣ ଅପରେସନ ମଧ୍ୟ ହୋଇଗଲା ।

 

ଡାକ୍ତରଖାନାର କାଗଜ ପତ୍ରରେ ମୋର ପରିଚୟ କ’ଣ ଥିଲା ମୁଁ ଜାଣେନା । କେଉଁ ଡାକ୍ତର ମୋର ଅପରେସନ କରିଥିଲେ ତାଙ୍କୁ ଥରଟିଏ ମଧ୍ୟ ମୁଁ ଦେଖିନି । କେବଳ ନର୍ସ ଓ କମ୍ପାଉଣ୍ଡରଙ୍କ ସହିତ ଯାହା କଥାବାର୍ତ୍ତା ହୋଇଛି । କଲିକତାର କେଉଁ ଘରୋଇ ଡାକ୍ତରଖାନାରେ ମୋର ଅପରେସନ ହେଲା ତାହା ମଧ୍ୟ ଏପର୍ଯ୍ୟନ୍ତ ମୋତେ ଜଣା ନାହିଁ ।

 

ଡାକ୍ତରଖାନାରେ ମୁଁ ପନ୍ଦର ଦିନ ରହିଲି । ବୁଢ଼ୀ ନର୍ସଟି ମୋ ସହିତ ଆଳାପ କରି ଥରେ ପଚାରିଲା–ହଇଲୋ ଝିଅ ତୋର ସ୍ଵାମୀ କ’ଣ କରନ୍ତି ? କିଛି ମୁଁ କହି ପାରିଲି ନାହିଁ । କଅଣ ବା କହିବି ? ବୁଢ଼ୀର ଏପରି ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଆଗରୁ ପ୍ରସ୍ତୁତ ନ ଥିଲି । ସବୁକଥା ପୁଣି କହି ହୁଏନା ।

 

ପନ୍ଦର ଦିନ ପରେ ଦେହ ଟିକିଏ ଭଲ ଲାଗିବାରୁ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ କିଛି ନଜଣାଇ ମୁଁ ଚାଲି ଆସିଲି । ପୁଅଟିକୁ ଛାଡ଼ି ଆସିଲି ସେହି ଅଜଣା ଡାକ୍ତରଖାନାରେ । ପନ୍ଦର ଦିନର ଶିଶୁଟିକୁ କିଏ ଲାଳନ ପାଳନ କରିଥିବ ମୁଁ ଜାଣେନା । ମଳୟଭାଇଙ୍କର ନିର୍ଦ୍ଦେଶଥିଲା ହୁଗୁଳି ନଦୀରେ ପିଲାଟିକୁ ପକାଇ ଦେବାକୁ କିନ୍ତୁ ମୁଁ ପାରିଲିନି । ଜାଣିଶୁଣି ନିଃସହାୟ ଶିଶୁଟିକୁ ଡାକ୍ତରଖାନାରେ ଛାଡ଼ିଦେଇ ମୁଁ ସେହିଦିନ କଟକ ଚାଲି ଆସିଲି ।

 

ବର୍ତ୍ତମାନ ମୁଁ ନିଷ୍କଳଙ୍କ । ଭବିଷ୍ୟତରେ ଗର୍ଭର ସମ୍ଭାବନା ନାହିଁ । ମୋ’ଠାରୁ ବେଶି ଖୁସି ମଳୟଭାଇ । କଟକରେ ପୁଣି ସେହି ଭଡ଼ା ଘରେ ମୁଁ ରହିଲି । ସାହି ଟୋକାମାନେ ପରିହାସ କରି କୁହନ୍ତି ଗାଡ଼ି ଅଏଲିଙ୍ଗ ହୋଇ ଆସିଲା ଏଥର ଠିକ୍‌ ଚାଲିବ । ସବୁଶୁଣେ, କିନ୍ତୁ କିଛି ନ ଶୁଣିବା ପରି ନୀରବ ରୁହେ । ମନ୍ତ୍ରୀଙ୍କ ଦୟାରୁ ମୋତେ ସରକାରୀ ଚାକିରିଟିଏ ମଧ୍ୟ ମିଳିଛି । ଆଜି ମୋର କିଛି ଅଭାବ ନାହିଁ ।

 

ପ୍ରଥମେ, ପ୍ରଥମେ ମଳୟଭାଇ ସବୁ ରାତ୍ରୀରେ ମୋ ବସାରେ ରହୁଥିଲେ । ଏବେ କିନ୍ତୁ ଦିନେ ଛାଡ଼ି ଦିନେ ରହନ୍ତି । ଗୋଟିଏ ରାତ୍ରୀ ବୋଧହୁଏ ସେ ତାଙ୍କର ଧର୍ମପତ୍ନୀ ପାଖରେ କଟାଉଥିଲେ । ରାଜନୀତି କରୁଛନ୍ତି ତ ସମସ୍ତଙ୍କୁ ଖୁସି କରାଇବା ତାଙ୍କର ଧର୍ମ ।

 

ଦୁନିଆର କୌଣସି କଥା କେବେ ଲୁଚି ରହେ ନାହିଁ । ମଳୟଭାଇଙ୍କ ସହ ମୋର ଅବୈଧ ପ୍ରଣୟ କଟକରୁ ଆମ ଗାଁ ପର୍ଯ୍ୟନ୍ତ କାହାରିକୁ ଅଜଣା ନ ଥିଲା । ଏବେ ମୋ ଉପରେ ନୂଆ ଦୋଷ ଲଦି ଦିଆଯାଇଥିଲା ଯେ ମୁଁ ଶିଶୁହତ୍ୟା କରିଛି । ସବୁ ଦୋଷ ମୋର । କେହି ବୁଝନ୍ତି ନାହିଁ ମୋ ମନ ବେଦନା ।

 

ମଳୟଭାଇଙ୍କ ପୁଅ ଝିଅ ଏବେ କଟକ କଲେଜରେ ପଢ଼ୁଛନ୍ତି ।

 

ଦିନକର ଘଟଣା । ମୁଁ ବସାରେ ଏକଲା ଥାଏ । ମନ ଭଲ ନଥିବାରୁ ଗୋଟିଏ ଉପନ୍ୟାସ ପଢ଼ୁଥାଏ । ଉପନ୍ୟାସ “କଳଙ୍କିତା ନାୟିକା” ମନଧ୍ୟାନ ଦେଇ ମୁଁ ପଢ଼ିବାରେ ବେସ୍ତଥାଏ-। ହଠାତ୍ ମଳୟଭାଇଙ୍କ ପୁଅ ତା’ର ସାଙ୍ଗମାନଙ୍କୁ ଆଣି ମୋର ବସାଘର ସାମନାରେ ଖୁବ୍ ପାଟିତୁଣ୍ଡ କଲା । ଚାରି, ଛଅଟା ଟୋକା । ସମସ୍ତେ ହିପି ବେଶଧାରୀ । ମୁଣ୍ଡରେ ଗୋଛାଏ, ଗୋଛାଏ କେଶ, ଛିଟକାନର ସାର୍ଟ୍‍ । ଢିଲାପ୍ୟାଣ୍ଟ ଓ ଅଣ୍ଟାରେ ମୋଟା ବେଲଟ୍ । ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କଲାପରି ସେମାନେ ମୋ ଘର ସାମନାରେ ପାଟି କରୁଥାନ୍ତି । ମୁଁ କୁଆଡ଼େ ଚରିତ୍ରହୀନା, ବେଶ୍ୟା, ତା’ର ବାପାକୁ ମୁଁ କୁଆଡ଼େ ମୋହିନୀ ମନ୍ତ୍ରରେ ବସ କରି ରଖିଛି ତା’ର ବାପା କିନ୍ତୁ ଜଣେ ସତ୍‌ଚରିତ୍ର ଓ ସୁପୁରୁଷ ଅଟନ୍ତି ।

 

ଆଉ ଦିନକର ଘଟଣା । ମଳୟଭାଇଙ୍କ ଝିଅ ଆସି ସମସ୍ତଙ୍କ ସାମନାରେ ମୋତେ ଚପଲରେ ପିଟିବାକୁ କହିଲା । ସାହିର ଅନେକ ଲୋକ ଜମାହୋଇଥାନ୍ତି ମୁଁ ତାକୁ କହିଲି–ସେ ଚପଲରେ ତୋ ବାପାକୁ ଦୁଇ ଚପଲ ମାର ସୁନ୍ଦର ହେବ । ଏଇଟା ମୋର ଭଡ଼ାଘର । ତୋର ବାପା କାହିଁକି ଏଠାକୁ ଆସୁଛନ୍ତି ତୁ ମନା କରୁନୁ ।

 

ସେଦିନ ରାତ୍ରୀରେ ମଳୟଭାଇ ମୋ ବସାକୁ ଆସିଲେ । ମୁଁ ତାଙ୍କୁ କଥା କହିଲି ନାହିଁ । ସବୁଦିନ ପରି ତାଙ୍କ ଖଦଡ଼ ପଞ୍ଜାବିରୁ ବୋତାମ ଖୋଲିଲି ନାହିଁ । ସେ ବଜାରରୁ ଖାଇକରି ଆସିଛନ୍ତି କି ବସାରେ ଖାଇବେ କୌଣସିକଥା ମୁଁ ତାଙ୍କୁ ପଚାରିଲି ନାହିଁ ।

 

କିଛି ସମୟପରେ ସେ ପଚାରିଲେ–ତୋର ଆଜି କ’ଣ ହୋଇଛି ମଞ୍ଜୁ ।

 

ତଥାପି ମୁଁ କିଛି ଉତ୍ତର ଦେଲିନି ପୋଷା ବିଲେଇ ପରି ସେ ମୋ ଦେହରେ ଖୁବ୍ ଘସି ହେଲେ । ବିଲେଇ ମିଆଁଉ ମିଆଁଉ ହେବାପରି ମୋ ପାଖରେ ଫୁସ୍, ଫୁସ୍ ହୋଇ ଖୁବ୍ ମିଠା କଥା କହିଲେ । ମୁଁ ଦେଖିଲି ଆଉ ବେଶି ସମୟ ନୀରବ ରହିବା ମୋ ପକ୍ଷରେ ଉଚିତ୍ ହେବନି ତେଣୁ ଛଳ, ଛଳ ଆଖିରେ ଅଭିମାନ କରି ମୁଁ ତାଙ୍କ ପୁଅ ଝିଅଙ୍କ ସମସ୍ତ ବୃତାନ୍ତ ବର୍ଣ୍ଣନା କଲି । ସମ୍ମାନ ଦୃଷ୍ଟିରୁ ଏ ସାହିରେ ଓ ଏ ଭଡ଼ା ଘରେ ଆଉ ରହିବା ନିରାପଦ ନୁହେଁ ବୋଲି କହିଲି । ତୁରନ୍ତ କିଛି ବ୍ୟବସ୍ଥା ନ କଲେ ଘର ଛାଡ଼ି ଚାଲିଯିବି ବୋଲି ଧମକ ଦେଲି ।

 

ମଳୟଭାଇ କହିଲେ–ଠିକ୍ ଅଛି, କାଲି ମୁଁ ଏ ଭଡ଼ା ଘର ବଦଳାଇ ଦେବି ।

 

: ଘର ବଦଳାଇଲେ କ’ଣ ହେବ ? ସେ ନୂଆ ବସାକୁ ତମ ପୁଅ ଝିଅ କ’ଣ ଯିବେନି ?

 

: ସେମାନେ ଯିବେ ବୋଲି କ’ଣ ତୁ କଟକ ଛାଡ଼ି ଚାଲି ଯିବୁ ।

 

: ସେଇକଥା ତ ମୁଁ କହୁଛି କ’ଣ କରିବା ।

 

: କ’ଣ କରିବା ତୁ କହ ।

 

: ମୋ କଥା କ’ଣ ତୁମେ ରଖିବ ।

 

: ନିଶ୍ଚୟ ରଖିବି ।

 

: ଆମର କଟକରେ ଗୋଟାଏ କୋଠା କିଣିବା ।

 

: କୋଠା କିଣିବା । କିନ୍ତୁ ଏତେଟଙ୍କା କେଉଁଠୁ ଆସିବ ?

 

: ମୁଁ ଜାଣେ ମଳୟଭାଇ ତୁମେ ମୋ ପାଖରେ ଆଦୌ ଖୋଲା ହୃଦୟ ନୁହଁ । ଚାହିଁଲେ କ’ଣ ତୁମ ପାଖରେ ପଚାଶ ହଜାର ଟଙ୍କା ହେବନି । ତୁମପାଇଁ ମୁଁ ସବୁକିଛି ତ୍ୟାଗ କଲି । ମୋ’ପାଇଁ ତୁମେ ଏତିକି କରି ପାରିବନି ? ଠିକ୍ ଅଛି ତୁମକୁ ମୋର ଏତିକି ଅନୁରୋଧ ଆଉ ତୁମେ ଏଠାକୁ ଆସନି । ଯାଅ ତୁମେ ତୁମ ସ୍ତ୍ରୀ, ପୁତ୍ର କନ୍ୟା ସହିତ ସୁଖରେ ସଂସାର କର । ମୋ ଭାଗ୍ୟରେ ଯାହାଅଛି ମୁଁ ଭୋଗିବି । ଏତିକି କହି ମୁଁ ଜୋରରେ କାନ୍ଦିବାକୁ ଲାଗିଲି । ନାରୀ ପକ୍ଷରେ ଆଖିରୁ ଲୁହ ଢାଳିବା କଷ୍ଟକର ନୁହେଁ । ମୁଁ ଜାଣେ ନାରୀ ଆଖିର ଲୁହ ପୁରୁଷ ପାଇଁ ଅମୋଘଅସ୍ତ୍ର ।

 

କିଛି ସମୟ ନୀରବରହି ମଳୟଭାଇ କହିଲେ–ଠିକ୍ ଅଛି କଟକରେ ମୁଁ କୋଠା କିଣିବି-! କଣ୍ଟ୍ରୋଲ ଦୋକାନ ଓ ସିମେଣ୍ଟ ଗୋଦାମ ମୁଁ ବିକ୍ରିକରି ଦେବି । କ’ଣ ହେବ ସେସବୁ ମୋର । ତୁ ଥିଲେ ମୋର ସବୁଅଛି । ଆଉ ଯଦି ଟଙ୍କା ନିଅଣ୍ଟ ହୁଏ ମଟରସାଇକେଲ ମଧ୍ୟ ବିକିବି-। ଛି ତୁ କାନ୍ଦନା ମଞ୍ଜୁ । କଟକରେ ଆମର କୋଠା ନିଶ୍ଚୟ କିଣା ହେବ ।

 

ମନେ ମନେ ମୁଁ ଭାବୁଥାଏ ମୋର ବାଣ ଠିକ୍ ଲକ୍ଷଭେଦ କରିଛି । ଯଥାରୀତିରେ ସେଦିନ ମୁଁ ମଳୟଭାଇକୁ ସତ୍କାରକଲି । ତାଙ୍କରି ପାଖରେବସି ତାଙ୍କରି ହାତରୁ ମଦ ପିଇଲି । ଚାକରକୁ ପଠାଇ କେଉଁ ହୋଟେଲରୁ କୁକୁଡ଼ାରୋଷ୍ଟ କିଣିଆଣିଲେ । ଦୁହେଁବସି ଖୁବ୍ ମଜାକଲୁ ।

 

ସତକୁ ସତ ଆଠଦିନ ପରେ ମଳୟଭାଇ ତାଙ୍କର କଣ୍ଟ୍ରୋଲ ଦୋକାନ ଓ ସାର ଗୋଦାମ ଜଣେ ମାରୱାଡ଼ିକୁ ବିକିଦେଲେ । ତଥାପି ଟଙ୍କା ନିଅଣ୍ଟ ହେଲା । ସ୍ତ୍ରୀକୁ ଲୁଚାଇ ସେ କଟକ ରେଜେଷ୍ଟ୍ରୀ ଅଫିସରେ ତାଙ୍କ ପୈତୃକ ସମ୍ପତ୍ତିରୁ ମଧ୍ୟ କିଛି ବିକିଦେଲେ । କଟକରେ କୋଠା କିଣାହେଲା । କିନ୍ତୁ କୋଠା କିଣା ହେବା ସମୟରେ ତାଙ୍କ ସହିତ ମୋର ପୁଣି ଟିକିଏ ମତଭେଦ ହେଲା । ମଳୟଭାଇ କହିଲେ–କୋଠା ତାଙ୍କ ନାଁରେ କିଣାହେବ । ମୁଁ କିନ୍ତୁ ଜିଦ୍‌ ଧରିବସିଲି; କୋଠା ମୋ ନାଁରେ କିଣାହେବ । ମୋ ଜିଦ୍‌ ପାଖରେ ମଳୟଭାଇ ହାର ମାନିଲେ । ଶେଷରେ କୋଠା ମୋ ନାଁରେ କିଣାହେଲା ।

 

ନାଟକୀୟ ଭାବରେ ସବୁ ଘଟଣା ଘଟିଗଲା । ଏସବୁଜାଣି ମଳୟଭାଇଙ୍କୁ ତାଙ୍କ ସ୍ତ୍ରୀ ଆଉ ଘରେ ପୂରାଇ ଦେଉନି । ବିଚରା ପୁରୁଣା ମଟର ସାଇକେଲଟିକୁ ଧରି ସବୁବେଳେ ବାହାରେ ବୁଲୁଥାନ୍ତି । ସାଇକେଲରେ ପେଟ୍ରୋଲ ପକାଇବାକୁ ପଇସା ନଥାଏ । ହାତ ପତେଇ ମୋ’ଠାରୁ ଟଙ୍କା ନିଅନ୍ତି । ଦିନସାରା ବୁଲି ବୁଲି ରାତ୍ରୀରେ ଆସି ମୋ କୋଠାରେ ଆଶ୍ରୟ ନିଅନ୍ତି । ଚାରିଆଡ଼େ ବୁଲି, ବୁଲି ଗୁଡ଼ାଏ ବଡ଼, ବଡ଼ କଥା ଗପିଲେ କୁଆଡ଼େ ରାଜନୀତି କରାଯାଏ ।

 

ଆଉ ଏବେ ମୋତେ ସରକାରୀ ଚାକିରି କରିବାକୁ ପଡ଼ୁନି । ମୁଁ ନିଜେତ ପଚାସ ହଜାର ଟଙ୍କା ସମ୍ପତ୍ତିର ମାଲିକ । ମୋର ଆଉ ଚାକିରି କରିବା କି ପ୍ରୟୋଜନ ? ମୁଁ କୋଠାଟିର ନାଁ ଦେଇଛି “ମଞ୍ଜୁ ନିବାସ” ତଳ ଉପର ହୋଇ ଆଠ ବଖରା ଘର । ଜଣେ ଲୋକକୁ ଏତେଘର ମୋର କ’ଣ ଦରକାର । ତେଣୁ ତଳ ଚାରି ବଖରା ମୁଁ ଭଡ଼ା ଦେଇଛି ଗୋଟାଏ ଘରୋଇ ସ୍କୁଲକୁ । ଭଡ଼ାବାବଦ ସ୍କୁଲ ପରିଚାଳନା କତୃପକ୍ଷଙ୍କଠାରୁ ମାସକୁ ଚାରିଶହ ଟଙ୍କା ମୁଁ ଭଡ଼ା ପାଏ । ମଝିରେ ମଝିରେ ମନ୍ତ୍ରୀ ମହାଶୟ ଅର୍ଦ୍ଧ ରାତ୍ରୀରେ ମୋ ଘରକୁ ଆସନ୍ତି । କାରରେ ଆସିଲେ କାଳେ କିଏ ଜାଣିବ ସେଥିପାଇଁ ମଟର ଷ୍ଟାଣ୍ଡରୁ ରିକ୍‌ସାରେ ଆସନ୍ତି । ମୋ ଘରେ ମୁଁ ଫୋନ ଲଗାଇଛି କେବଳ ମନ୍ତ୍ରୀ ମହାଶୟଙ୍କ ସୁବିଧା ପାଇଁ । ଯେଉଁ ରାତ୍ରୀରେ ମଳୟଭାଇ ନଥାନ୍ତି ମୁଁ ମନ୍ତ୍ରୀ ମହାଶୟଙ୍କ ପାଖକୁ ଫୋନ କରେ ସେ ଆସନ୍ତି । ସେ ରାତି, ରାତି ଫେରି ଯାଅନ୍ତି । ଫୋନ ବିଲ୍ ଦିଆହୋଇନି-। ଏ ମାସରେ ଇଲେକ୍ଟ୍ରିବିଲ୍ ନଦେଲେ ଲାଇନ୍‌ କଟିଯିବ । ମ୍ୟୁନିସ୍‌ପାଲଟି ବାଲା ଟିକସ ମାଗୁଛି । ପାଣିକଳ ବାଲା ନୋଟିସ୍ ଦେଇଛନ୍ତି । ଏପରି ଅନେକ ସତ, ମିଛ କଥାକହି ମୁଁ ମନ୍ତ୍ରୀ ମହାଶୟଙ୍କଠାରୁ ଶହ, ଶହ ଟଙ୍କା ଆଦାୟ କରେ । ଯାହା କିଛି ଅନ୍ୟାୟ ଦୁର୍ନିତି, ଧପାବାଜ ସବୁ ସେଇମାନେ ମୋତେ ଶିଖାଇଛନ୍ତି । ତାଙ୍କରି ବିଦ୍ୟା ମୁଁ ତାଙ୍କରି ଉପରେ ପ୍ରୟୋଗ କରୁଛି । ଦେଖାଯାଉ ସେମାନେ ମୋର ଗୁରୁ କି ମୁଁ ସେମାନଙ୍କ ଗୁରୁ । ମଳୟଭାଇ ଓ ମନ୍ତ୍ରୀ ମହାଶୟଙ୍କ ଭାଷାକୋଷରେ ନାରୀ ଅବଳା କେବଳ ବହୁଳ ବ୍ୟବହୃତ ଶବ୍ଦ ହୋଇରହିଥାଉ । ମୁଁ ଏ ଦୁନିଆ ଓ ଏସମାଜକୁ ଦେଖାଇ ଦେବାକୁ ଚାହେଁ ମଞ୍ଜୁ ମହାପାତ୍ର ଜଣେ ନାରୀହେଲେ ମଧ୍ୟ ଅବଳା ନୁହେଁ । ଏହି ଶାନ୍ତ କପୋତିଟିର ମଧ୍ୟ ତୀକ୍ଷ୍‌ଣ ଚଞ୍ଚୁ ଓ ନଖ ଅଛି । ‌‌ସ୍ନେହମୟୀ, କରୁଣାମୟୀ, ପ୍ରେମମୟୀ, ନାରୀ ମଧ୍ୟ ବିଭୀଷିକାମୟୀ ହୋଇପାରେ ।

 

ଦୁନିଆର ସବୁ ପୁରୁଷଙ୍କପ୍ରତି ମୋର ବିଦ୍ୱେଷ ଭାବ ନାହିଁ । ଏଇ ସମାଜରେତ ପୁଣି ମୋର ବାପା, ଲେଖକ ରମାକାନ୍ତବାବୁ ଓ ମନର ଦେବତା ଶିଶିରବାବୁ ଜନ୍ମ ନେଇଛନ୍ତି । ଯିଏ ମୋର ସର୍ବନାଶ କରିଛି ମୁଁ ତାକୁ ସର୍ବହରା କରିଦେବି । ଶିଶିରବାବୁ ତୁମେ ନିର୍ବୋଧ । ଶୁଣୁଛି ଏବେ ମଧ୍ୟ ତୁମେ ଅବିବାହିତ ରହି, ବାପା, ମା’ଙ୍କୁ ଛାଡ଼ି ବାହାରେ କୁଆଡ଼େ ରହୁଛ । ଜାଣିଶୁଣି ମୁଁ ତୁମକୁ ଧୋକା ଦେଇଥାଆନ୍ତି କିପରି କହିଲ ??? ଆଶାରଖ । ପୁନର୍ଜନ୍ମ ଯଦି ଥାଏ ଆର ଜନ୍ମରେ ଆମେ ସ୍ୱାମୀ ସ୍ତ୍ରୀ ନିଶ୍ଚୟ ହେବା ।

 

(ଛଅ)

 

ବିଚିତ୍ର ଏ ସମାଜ ଓ ବିଚିତ୍ର ଏ ସମାଜର କର୍ଣ୍ଣଧାରମାନେ । ଯାହାକୁ ଦିନେ ସେମାନେ ଅନ୍ୟାୟ କହିଥାନ୍ତି ତାକୁ ପୁଣି ନ୍ୟାୟ କହନ୍ତି । ତାଙ୍କ ଇଚ୍ଛାହିଁ ସମାଜର ଆଇନ୍ । ଦିନେ ଭ୍ରୁଣହତ୍ୟା ମହାପାପ ଥିଲା ଆଜି ତାହା ଆଇନ୍‌ସିଦ୍ଧି । ଯେଉଁ ମନ୍ତ୍ରୀକୁ ଦୁର୍ନୀତି ପରାୟଣ କହି ଏ ସମାଜର ତଦନ୍ତ କମିଶନ ବସାନ୍ତି ସେହି ଲୋକକୁ ଭୋଟ ଦେଇ ପୁଣି ଉଚ୍ଚ ଆସନରେ ବସାନ୍ତି । ଏପରି ଓଲଟ, ପାଲଟ ଚାଲିଛି, ଚାଲି ଆସୁଛି ଓ ଚାଲୁଥିବ ।

 

ମୁଁ ଦିନେ ବ୍ରାହ୍ମଣକୁଳର କଳଙ୍କ ଥିଲି । ଯେଉଁମାନେ ମୋତେ ଦିନେ କଳଙ୍କିନୀ ଆଖ୍ୟା ଦେଇଥିଲେ ସେମାନେ ଆଜି ମୋତେ ସମାଜସେବିକା ଆଖ୍ୟା ଦେଇଛନ୍ତି । ମୁଁ ଗାଁ ଦାଣ୍ଡରେ ଚାଲିଗଲେ ମୋ ଯିବା ବାଟରେ ଯେଉଁ ବୃଦ୍ଧ ବ୍ରାହ୍ମଣମାନେ ଗୋବରପାଣି ଛିଞ୍ଚୁଥିଲେ ସେଇମାନେ ମୋ ଘରକୁ ଆସି ଟଙ୍କା ନେଇ ନିଜ ପୁଅ ନାତିମାନଙ୍କର ବ୍ରତ କରୁଛନ୍ତି, ଝିଅ ବିବାହ କରୁଛନ୍ତି । ମୋ ବୋଉ ଦିନେ ମୋତେ ଛତରକୁ ଠେଲି ଦେଇଥିଲା କିନ୍ତୁ ଆଜି ମୋ’ଠାରୁ ଟଙ୍କା ନେଇ ସେ ମୋ ଭଉଣୀମାନଙ୍କୁ ବିଭା ଦେଇଛି ଓ ଭାଇକୁ ପାଠ ପଢ଼ାଉଛି । ଗାଁ ଲାଇବ୍ରେରୀ, ଗାଁ ଦେବାଳୟ, ଗାଁ ମହିଳା ସମିତି ସବୁ ଅନୁଷ୍ଠାନକୁ ମୁଁ ଆର୍ଥିକ ସାହାଯ୍ୟ ଦେଇଛି । ମୋରି ଘରକୁ ଆସି ହାତ ପତେଇ ସମସ୍ତେ ମୋ’ଠାରୁ ଅର୍ଥ ନେଇଛନ୍ତି ।

 

ମଳୟଭାଇ ଆଜି ଆଉ ଏ ଦୁନିଆରେ ନାହାନ୍ତି । ମଦଖାଇ ମଟରସାଇକେଲ ଚଳାଉଥିଲେ ରାସ୍ତା ଉପରେ ଟ୍ରକ ଚଢ଼ିଗଲା । ମଳୟଭାଇ ନିଶାରେ ଟ୍ରକ ଭିତରେ ପଶିଗଲେ କି ଟ୍ରକ ଚାଳକ ନିଶାରେ ମଳୟଭାଇଙ୍କ ଉପରେ ଟ୍ରକ ଚଢ଼ାଇଦେଲା ଏକଥା କେହି କହି ପାରୁନାହାଁନ୍ତି-। ଡାକ୍ତର ରିପୋର୍ଟରୁ ଜଣାଯାଇଛି ଉଭୟ ମଦ ପିଇଥିଲେ ।

 

ମଳୟଭାଇ ମଲାପରେ ଏକଲକ୍ଷଟଙ୍କା ଇନ୍‌ସୁରେନ୍‌ସ୍ କମ୍ପାନୀରୁ ମୋତେ ମିଳିଛି । ମଳୟଭାଇ ଜୀବନବୀମା କରିଥିଲେ । ସ୍ତ୍ରୀ, ପୁଅ ଓ ଝିଅ ତାଙ୍କୁ ନପଚାରିବାରୁ ସେ ମୋତେ ଉତ୍ତରାଧିକାରୀ Nominee କରିଥିଲେ । ଯାହାହେଉ ତାଙ୍କ ମୃତ୍ୟୁପରେ ଜୀବନବୀମା କମ୍ପାନୀ ମୋତେ ଏକଲକ୍ଷ ଟଙ୍କା ଦେଲେ । ସବୁ ମୋର ଭାଗ୍ୟ । ମଳୟଭାଇଙ୍କ ପୁଅ, ଝିଅ ଏବେ ଦାଣ୍ଡର ଭିକାରୀ । ବୟସ ବଢ଼ିଚାଲିଛି; ଝିଅ ବିଭା ହୋଇପାରୁନି । ମା’ର ଗହଣାଗାଣ୍ଠି ବିକି ପୁଅ ମଦ ଖାଉଛି । କଲେଜ ସାମନାରେ ଠିଆହୋଇ ଝିଅମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବାରୁ ଏବେ ପୋଲିସ ତାକୁ ଧରିନେଇ ଥାନାରେ ଦୁଇଦିନ ଅଟକାଇ ରଖିଥିଲେ । ଆହା ! ବିଚରା ମଳୟଭାଇ ଆଜି ଏ ଦୁନିଆରେ ନାହିଁ । ଥିଲେ ସେ ଦେଖନ୍ତା ତା’ କର୍ମର ଫଳ ତାରି ପିଲାମାନେ ଭୋଗୁଛନ୍ତି ।

 

ମନ୍ତ୍ରୀ ମହାଶୟ ଭୋଟରେ ହାରିଯାଇଛନ୍ତି । ନୂଆ ସରକାର ତାଙ୍କ ବିରୁଦ୍ଧରେ ତଦନ୍ତ କମିଶନ ବସାଇଛନ୍ତି । ମୋ ସହିତ ମନ୍ତ୍ରୀଙ୍କର ଅବୈଧ ପ୍ରଣୟଥିଲା ଓ ମୋ ପାଇଁ ମନ୍ତ୍ରୀ ରାଜକୋଷରୁ ଅନେକ ଅର୍ଥ ବରବାଦ କରିଛନ୍ତି ତାହା ତଦନ୍ତ ପରିସରଭୁକ୍ତ । ମନ୍ତ୍ରୀ ଏବେ ଆଉ ମୋ ଘରଆଡ଼େ ଆସନ୍ତି ନାହିଁ । ମଝିରେ ମଝିରେ ମୋ ସହିତ ଫୋନରେ କଥାବାର୍ତ୍ତା କରନ୍ତି ।

 

ସମସ୍ତେ ଭଗବାନଙ୍କୁ ମାନନ୍ତୁ ବା ନମାନନ୍ତୁ ମୁଁ କହିବି ଦୁନିଆରେ ଭଗବାନ ନିଶ୍ଚୟ ଅଛନ୍ତି । ମଣିଷ ତା’ର କର୍ମଫଳ ନିଶ୍ଚୟ ଭୋଗିବ । ମଳୟଭାଇ ଓ ମନ୍ତ୍ରୀ ମହାଶୟ ସେଥିରୁ ବାଦଯିବେ କିପରି ?

 

ମନେପଡ଼େ ମୋର ଅତୀତ କଥା । ଦଶବର୍ଷତଳେ କେଉଁ ଏକ ଅଜ୍ଞାତ ସ୍ଥାନରେ ମୁଁ ମୋର ରକ୍ତର ସନ୍ତାନକୁ ଛାଡ଼ିଦେଇ ଆସିଲି । ପନ୍ଦର ଦିନର ଶିଶୁ ବଞ୍ଚିଲା କି ମୋତେ ଝୁରି, ଝୁରି…ନା…ନା ଏ ଅମଙ୍ଗଳ କଥା ମୋ ମନରେ ସ୍ଥାନ ନପାଉ । ମୋରି କୋଠାରେ ଛୋଟ ପିଲାମାନଙ୍କ ପାଇଁ ସ୍କୁଲ । କେତେ କୁନି, କୁନି ପୁଅଝିଅ ମୋ ଘରକୁ ପ୍ରତିଦିନ ଆସୁଛନ୍ତି । ସେମାନଙ୍କୁ କୋଳରେ ଧରି ଗୋଟାଏ ଚୁମା ଦେବାକୁ ମଧ୍ୟ ମୋର ସାହସ ହୁଏନା । ମନେପଡ଼ିଯାଏ ସେଇ ପନ୍ଦର ଦିନର ନିର୍ବୋଧ ଶିଶୁର କଥା–ଆଖିରୁ ଲୁହ ଝରାଏ–କିନ୍ତୁ କାହା ଆଗରେ କହିବି–

 

ଶିଶିରବାବୁ କାହିଁକି ତୁମେ ତୁମ ଜୀବନକୁ ଜାଳିଦେଲ । କାହିଁକି ସାରା ଜୀବନ ତୁମେ ଅବିବାହିତ ରହିଲ । କେଉଁଠି ତୁମେ ଅଛ, କିପରି ଅଛ ଯଦି ମୁଁ ଜାଣନ୍ତି ହୁଏତ ତୁମ ପାଖକୁ ଯାଇ ପଚାରନ୍ତି–କାହାପାଇଁ ତୁମର ଏ ସନ୍ନ୍ୟାସବ୍ରତ ? ମୁଁ ଜାଣେ ମଳୟଭାଇପରି ତୁମେ ମୋର ରୂପକୁ ଭଳପାଇନଥିଲ । । ମନ ପ୍ରାଣ ଓ ହୃଦୟ ଦେଇ ତୁମେ ମୋତେ ଭଲପାଇଥିଲ । ତୁମେ ମୋ ମନମନ୍ଦିରର ଦେବତା । ମୁଁ ତୁମର ପୂଜାରିଣୀ । କିନ୍ତୁ କ’ଣ ଦେଇ ମୁଁ ତୁମର ପୂଜାକରିଥାନ୍ତି ? ମୋ ପାଖରେ ତ କିଛି ନଥିଲା । ସବୁକିଛି ମୁଁ ହରାଇ ଦେଇଥିଲି । ଅନ୍ୟର ଉଚିଷ୍ଟ ତୁମ ପାଖରେ ଅର୍ଘ୍ୟଦେବା କ’ଣ ଉଚିତ୍ ହୋଇଥାନ୍ତା !!!

 

ଖବରକାଗଜଟା ମୋ ଘରକୁ ଫିଙ୍ଗିଦେଇ ହକର ପୁଣି ତା’ ବାଟରେ ଚାଲିଗଲା । ସବୁଦିନ ହକର ମୁହଁରେ ସେହି ଗୋଟିଏ ଭାଷା, ତାଜା ଖବର । ସେ ତାଜା ଖବର ପଢ଼ି ମୋର କିଛି ଲାଭ ନାହିଁ । ଦୁନିଆରେ ଆଜି ମୋର କେହି ନାହିଁ । ଏଡ଼େ ସୁନ୍ଦର କୋଳାହଳମୟ କଟକ ସହର ମୋତେ ଏକ ନିର୍ଜନ ଦ୍ଵୀପପରି ମନେହୁଏ ।

 

ଖବରକାଗଜ ଓଲଟାଉ, ଓଲଟାଉ ଦେଖିଲି ରମାକାନ୍ତବାବୁଙ୍କର ଦୁଇଟି ଉପନ୍ୟାସ ପ୍ରକାଶ ପାଇଛି । ପ୍ରକାଶକ ଓ ପ୍ରାପ୍ତିସ୍ଥାନର ନାମ ଲେଖାଅଛି । ପୁସ୍ତକ ସମାଲୋଚନା ସ୍ତମ୍ଭରେ ସେହି ପାରମ୍ପରିକ ରୀତିରେ ସମ୍ପାଦକ ମତଦେଇଛନ୍ତି–ଖୁବ୍ ଭଲ ହୋଇଛି । ତରୁଣ ଲେଖକଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ–ଅମୁକ ଚରିତ୍ରକୁ ଆହୁରି ଟିକିଏ ଫୁଟାଇଥିଲେ ଭଲ ହୋଇଥାନ୍ତା ଇତ୍ୟାଦି, ଇତ୍ୟାଦି । ପ୍ରଥମ ଉପନ୍ୟାସଟି ଏକ ନାରୀ ଜୀବନର କରୁଣ କାହାଣୀ । ମୋ ଜୀବନଠାରୁ ଆହୁରି କରୁଣ ଓ କଳଙ୍କିତ କାହାଣୀ କ’ଣ ଅଛି ??? ତଥାପି ଆଗ୍ରହ ହେଲା ପଢ଼ିବାକୁ । ଟଙ୍କା ଦେଇ ମୁଁ ଚାକରକୁ ପଠାଇଲି ସେ ଦୁଇଟି ଉପନ୍ୟାସ କିଣି ଆଣିବା ପାଇଁ । ପୁଣି ଖବର କାଗଜ ପଢ଼ିବାରେ ଲାଗିଲି–

 

ଦରଦାମ୍ କମିବାପାଇଁ ପଦକ୍ଷେପ ନିଆଯାଉଛି । ଦେଶର ଗୋଟିଏ ଲୋକକୁ ସୁଦ୍ଧା ଅନାହାରରେ ମରିବାକୁ ଦିଆଯିବନି । ଆଉ ଦୁଇବର୍ଷ ପରେ ଦେଶରୁ ଖାଦ୍ୟଶସ୍ୟ ରପ୍ତାନି କରାଯିବ ଇତ୍ୟାଦି, ଇତ୍ୟାଦି ଏପରି ଅନେକ ତାଜା ଖବର । ହକର ଭାଷାରେ ଏସବୁ ତାଜା ଖବର । ସେ ବୋଧେ କେବେ ଖବର କାଗଜ ପଢ଼େନାହିଁ । କାରଣ ଏପରି ଖବର ଦେଶ ସ୍ଵାଧୀନ ହେବାପରଠାରୁ କ୍ରମାଗତ ବାହାରୁଛି । ତେଣୁ ଏ ତାଜା ଖବର ହେବ କିପରି ?

 

ପ୍ରଥମ ପୃଷ୍ଠାର ଏସବୁ ଖବରକୁ ବାଦଦେଇ ମୁଁ ଭିତର ପୃଷ୍ଠା ଓଲଟାଇଲି । ଏ କ’ଣ ଶିଶିରବାବୁଙ୍କ ଫଟୋ !!! ଶିଶିରବାବୁ ବୋଧେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଛନ୍ତି । ଆଗ୍ରହ ବଢ଼ିଲା । ଫଟୋ ତଳକୁ ଲେଖାଥିବା କେତୋଟି ଧାଡ଼ି ମୁଁ ଅପଲକ ନୟରେ ପଢ଼ିଦେଲି–

 

ଶିଶିର,

 

ବାପା ଶଯ୍ୟାଶାୟୀ । ବେଶିଦିନ ହୁଏତ ସେ ଆଉ ବଞ୍ଚିବେ ନାହିଁ । ରୋଗ ଶଯ୍ୟାରେ ପଡ଼ି ସବୁବେଳେ ସେ ତୋତେ ଖୋଜୁଛନ୍ତି । କେଉଁଠାରେ ଅଛୁ ଶୀଘ୍ର ଘରକୁ ଚାଲିଆ । ଆଉବୋଧେ ତୁ ତୋର ଜନ୍ମଦାତାଙ୍କୁ ଦେଖି ପାରିବୁନି ।

 

ତୋର ଅଭାଗିନୀ

ବୋଉ

 

ଆଖିରୁ ମୋର ଝରିପଡ଼ିଲା ଦୁଇ ଟୋପା ଲୁହ । ଶିଶିରବାବୁ ! କାହା ଉପରେ ଅଭିମାନ କରି ତୁମେ ଘରଦ୍ୱାର ବାପ, ମା’ ସମସ୍ତଙ୍କୁ ଛାଡ଼ି ଦୂରେଇ ରହିଛ ? ମୋ’ପାଇଁ ? ମଞ୍ଜୁ ବେଶ୍ୟା ପାଇଁ ତୁମର ଏ ଅଭିମାନ ! ତୁମେ କ’ଣ ଏ ଯୁଗର ବିଲ୍ୱ ମଙ୍ଗଳ ? କିନ୍ତୁ ଚିନ୍ତାମଣି ବେଶ୍ୟାଠାରୁ ମୁଁ ଆହୁରି ହୀନ । ଆହୁରି ତୁଚ୍ଛ । ମନେ ମନେ ମୁଁ ଭଗବାନଙ୍କୁ ପ୍ରାର୍ଥନା କଲି–ପ୍ରଭୁହେ ! ଶିଶିରବାବୁଙ୍କୁ ତାଙ୍କ ବାପା ମା’ ପାଖକୁ ଫେରାଇ ଆଣ ।

 

ଚାରିଦିନ ପରେ ଆମ ଗାଁରେ ଗୋଟାଏ ଦାତବ୍ୟ ଚିକିତ୍ସାଳୟ ଖୋଲିବ । ଚିକିତ୍ସାଳୟଟି ଗ୍ରାମବାସୀଙ୍କ ଉଦ୍ୟମରେ ହେଉଛି । ସମସ୍ତ ଟଙ୍କା ମୁଁ ଯୋଗାଇ ଦେଇଛି । ନିରାଶ୍ରୟା ହୋଇ ମୁଁ ସହରରେ ରହିଲି କିନ୍ତୁ ମୋର ସେ ସୁଜଳା, ସୁଫଳା ଗାଁକୁ ମୁଁ ଭୁଲି ପାରୁନି । ମୋ ଗାଁର ରଜଉତ୍ସବ, ଖୁଦୁରୁକୁଣି ଓଷା, କୁମାରପୂର୍ଣ୍ଣମୀ ପୁଚିଖେଳ ମାଣବସା ବସନ୍ତପଞ୍ଚମୀ, ଦୋଳଉତ୍ସବ, ଚନ୍ଦନଯାତ୍ରା ମୁଁ କେଭେ ଭୁଲିପାରୁନି । ଖୁଦୁରୁକୁଣି ପାଇଁ ସକାଳୁ ଫୁଲ ତୋଳା, ଗାଁ ପୋଖରୀ ତୁଠରେ ବାଲୁଙ୍କାତୋଳା, ଆମରି ଗାଁ ଝିଅ, ଝୁମ, ପାରା, ସୀତା, ଲତା ଏବେବି ମଧ୍ୟ ମୋର ମନେ ପଡ଼ନ୍ତି । ସେମାନଙ୍କ ସହିତ କୁଆଁର ପୁନେଇଁ ରାତ୍ରୀରେ ମୁଁ କେତେ ପୁଚି ଖେଳିଛି । ବାଲୁଙ୍କାତୁଠରେ କେତେ ହୁଳହୁଳି ଦେଇଛି । ଗାଁ ପୋଖରୀର କଇଁଫୁଲ, ବିଲର କାଶତଣ୍ଡି ଫୁଲ ଏବେ ମଧ୍ୟ ମୋତେ ଡାକୁଛନ୍ତି । ହାୟ ମୋର ଭାଗ୍ୟ । ଗୋଟାଏ କାଳରାତ୍ରୀର ବିଭିଷିକା ସବୁ ଗୋଳମାଳ କରିଦେଲା ।

 

ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ମୁଁ ଡାକ୍ତରଖାନାର ଉଦ୍‌ଘାଟନ କରିବି । ଏଥିପାଇଁ ଏକ ଛୋଟ ଉତ୍ସବ ଆୟୋଜନ କରାଯାଇଛି । ଯେଉଁ ଗାଁରେ ମୋର ସ୍ଥାନ ନଥିଲା ସେଇ ଗାଁରେ ମୋତେ ଡାକ୍ତରଖାନା ଉଦ୍‌ଘାଟନ କରିବାକୁ ପଡ଼ିବ । ମନେ, ମନେ ମୁଁ ଭଗବାନଙ୍କୁ ଡାକୁଥାଏ ଏଇ ଚାରି ଦିନ ମଧ୍ୟରେ ଶିଶିରବାବୁ ଗାଁକୁ ଫେରି ଆସନ୍ତେକି ?

 

କଟକରୁ ଟାକ୍‌ସି ଭଡ଼ାକରି ମୁଁ ଆମ ଗାଁକୁ ଯାଇଥିଲି । ସଭାମଞ୍ଚଠାରୁ ଅଳ୍ପ ଦୂରରେ ତୋରଣ କରି ଗ୍ରାମବାସୀମାନେ ମୋତେ ଅପେକ୍ଷା କରିଥିଲେ । ମୁଁ ପହଞ୍ଚିବାକ୍ଷଣି ନାରୀ ନେତ୍ରୀ ଜିନ୍ଦାବାଦ ମଞ୍ଜୁଦେବୀ ଜିନ୍ଦାବାଦ, ସମାଜସେବିକା ଜିନ୍ଦାବାଦ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଲା । ପରିବର୍ତ୍ତନଶୀଳ ଦୁନିଆ, କଳଙ୍କିତ ମଞ୍ଜୁ ମହାପାତ୍ର ଏତେ ଶୀଘ୍ର କିପରି ସମାଜସେବିକା, ନାରୀନେତ୍ରୀ, ଓ ମଞ୍ଜୁ ଦେବୀ ହୋଇଗଲା ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ ।

 

ଗ୍ରାମ୍ୟଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବି.ଡି.ଓ. ମହାଶୟ ସଭାରେ ସଭାପତିତ୍ୱ କରୁଥିଲେ । ତାଙ୍କ ପାଖ ଚେୟାରରେ ବସିଥିଲି ମୁଁ । ଛୋଟ ପୁଅଟିଏ ଆସି ଆମ ଦୁହିଁଙ୍କ ବେକରେ ଫୁଲମାଳ ପିନ୍ଧାଇଦେଲା । ଖୁସିରେ ମୁଁ ମୋ ଫୁଲମାଳଟି ପୁଅଟିର ବେକରେ ପିନ୍ଧାଇଦେଲି ତା’ ଚିବୁକରେ ଗୋଟାଏ ଚୁମାଦେଲି । କିଛି ସମୟ ପରେ ମୋତେ କିଛି କହିବାକୁ ପଡ଼ିବ । କ’ଣ କହିବି ତାହା ମୁଁ କଟକରୁ ଲେଖି ନେଇଥିଲି ଗୋଟାଏ ଦୈନିକ ସମ୍ବାଦପତ୍ରର ସମ୍ପାଦକ ମୋ ପାଇଁ ଭାଷଣ ପ୍ରସ୍ତୁତ କରିଦେଇଥିଲେ । ସେହି ଭାଷଣଟିକୁ କେବଳ ମୁଁ ସଭାମଞ୍ଚରେ ଠିଆହୋଇ ପଢ଼ିଦେବି ।

 

ଲିଖିତ ଭାଷଣକୁ କେବଳ ପଢ଼ିଦେଲେତ ହେବନି । ଭାଷଣ ଦେବାକୁ ହେଲେ ଆଉ କେତେକ ପରମ୍ପରାକୁ ମାନିବାକୁ ପଡ଼ିବ । ମଝିରେ ମଝିରେ ମୋତେ ନରମ ଗଳାରେ ଓ ଚଢ଼ା ଗଳାରେ କହିବାକୁ ହେଉଥାଏ । ହାତ ହଲେଇ, ରୁମାଲରେ ମୁହଁ ପୋଛି କାଶ ନମାଡ଼ୁଥିଲେ ମଧ୍ୟ ଛୋଟ କାଶ କାଶି ମୁଁ ମୋର ଭାଷଣ ଦେବାରେ ଲାଗିଥାଏ । ହଠାତ୍‌ ମୋର ଦୃଷ୍ଟିପଡ଼ିଲା ସେହି ଛୋଟ ପୁଅଟି ଉପରେ ଯିଏକି ଅଳ୍ପ ସମୟ ଆଗରୁ ମୋ ଗଳାରେ ଫୁଲମାଳ ପିନ୍ଧାଇ ଦେଇଥିଲା ।

 

ଶ୍ରଦ୍ଧାରେ ମୁଁ ତା’ ବେକରେ ଫୁଲହାର ପିନ୍ଧାଇ ଦେଇଥିଲି । ଏପର୍ଯ୍ୟନ୍ତ ସେ ତା’ ବେକରେ ଫୁଲହାରଟି ସେପରି ପକାଇଛି । ଆଉ ତା’ପାଖ ଚେୟାରରେ ବସିଛନ୍ତି ମୋର ଆକାଂକ୍ଷିତ ଶିଶିରବାବୁ ।

 

ନାଲି ରିବନ କାଟି ମୁଁ ଡାକ୍ତରଖାନା ଉଦ୍‌ଘାଟନ କଲି । ସଭାସ୍ଥଳୀ କରତାଳିରେ ଉଛୁଳି ପଡ଼ିଲା । ତା’ପରେ ସେ ପିଲାଟି ଆସି ସୁପରିଚିତ ଭଜନ–

 

ତ୍ୱମେବ ମାତା ଚ

ପିତା ତ୍ୱମେବ

ତ୍ୱମେବ ବନ୍ଧୁଶ୍ଚ

ସଖା ତ୍ୱମେବ.......

 

ଅତି ଲଳିତ ମଧୁର ସ୍ୱରରେ ଗାଇଲା । ଆଖିରୁ ମୋର ଝରି ପଡ଼ିଲା ଦୁଇଧାର ଅଶ୍ରୁ । ପିଲାଟିକୁ ମୁଁ କୁଣ୍ଢାଇ ପକାଇଲି । ମାତୃସ୍ନେହ ମୋ ଶିରା, ପ୍ରଶିରାଦେଇ ପ୍ରବାହିତ ହେଲା । ସ୍ନେହରେ ମୁଁ ପଚାରିଲି–

 

: ହେ ପୁଅ ତୋ ନାଁ କ’ଣ ?

 

: ଦେବଦତ୍ତ ।

 

: ତୋ ବାପାଙ୍କ ନାଁ କ’ଣ ?

 

: ଶ୍ରୀ ଶିଶିର ମିଶ୍ର । ଏଇତ ମୋ ବାପ ସେଠାରେ ଠିଆ ହୋଇଛନ୍ତି । ହଠାତ୍‌ ମୋ ଦେହରେ ବିଜୁଳିର ଚମକ ଲାଗିଲା । ‘ଦେବଦତ୍ତ’ ଶିଶିରବାବୁଙ୍କ ପୁଅ । ଶିଶିରବାବୁ ତାହାହେଲେ ବିବାହ କରିଛନ୍ତି ?

 

କିନ୍ତୁ ଚାରିଆଡ଼େ ପ୍ରଚାର ହୋଇଛି ମୋ’ପାଇଁ ଶିଶିରବାବୁ ସାରା ଜୀବନ ଅବିବାହିତ ରହିଲେ । ପିଲାଟିକୁ ସାଙ୍ଗରେ ଧରି ମୁଁ ଶିଶିରବାବୁଙ୍କ ପାଖକୁ ଗଲି–

 

: ନମସ୍କାର

 

: ନମସ୍କାର ! କ’ଣ ମଞ୍ଜୁ ଏହା ମଧ୍ୟରେ ତୁମେ ବହୁତ ଆଗେଇ ଯାଇଛ ।

 

: ସବୁ ଆପଣଙ୍କ ଆଶୀର୍ବାଦରୁ । ଆଚ୍ଛା ଦେବଦତ୍ତ କ’ଣ ଆପଣଙ୍କ ପୁଅ ?

 

: କାହିଁକି ଏଥିରେ ସନ୍ଦେହ କରିବାର କ’ଣ ଅଛି ?

 

: ନାଇଁ ମୁଁ କ’ଣ କହୁଥିଲିକି–ଭାଉଜ ଠିକ୍‌ ଏପରି ଦେବଦତ୍ତ ପରି ସୁନ୍ଦର ହୋଇଥିବେ । ଆଚ୍ଛା ଆପଣଙ୍କ ସହିତ ମୁଁ ଆପଣଙ୍କ ଘରକୁ ଗଲେ କିଛି ଆପତ୍ତି ଅଛିକି ? ଟିକେ ଭାଉଜଙ୍କ ସହିତ କଥାବାର୍ତ୍ତା ହୋଇ ଆସିଥାନ୍ତି ।

 

: ଆଚ୍ଛା ମଞ୍ଜୁ, ବିଭାହେଲେ କ’ଣ ଖାଲି ପୁଅ ହୁଏ ? ବିଭାନହୋଇ କ’ଣ ଲୋକେ ପୁଅ ପାଉ ନାହାଁନ୍ତି ।

 

ଏକଥା ଶିଶିରବାବୁ ମୋ ଉଦ୍ଦେଶ୍ୟରେ କହିଲେ କି ଆଉ କିଛି ଉଦ୍ଦେଶ୍ୟ ନେଇ କହିଲେ ମୁଁ ଜାଣେନା । ତଥାପି ସତେ ଯେପରି ଗୋଟାଏ ମହୁମାଛି ଉଡ଼ିଆସି ମୋତେ ବିନ୍ଧି ଦେଲା । କ୍ଷଣକ ପାଇଁ ସେ ଜ୍ୱାଳା ମୁଁ ଅନୁଭବ କଲି । ଶିଶିରବାବୁ ପଚାରିଲେ କ’ଣ ଭାବୁଛ ମଞ୍ଜୁ–

 

: ନା ମୁଁ କିଛି ଭାବୁନି । ଆଚ୍ଛା ମଉସାଙ୍କର ଦେହ କିପରି ଅଛି ?

 

: ସେତେ ଭଲ ନାହିଁ ।

 

: କ’ଣ ହୋଇଛି ତାଙ୍କର ?

 

: ବାର୍ଦ୍ଧକ୍ୟ ଅବସ୍ଥା । ତା’ପରେ ମନରେ ସବୁବେଳେ ଅଶାନ୍ତି । ଆଉ ହୁଏତ ସେ ବେଶିଦିନ ବଞ୍ଚିବେନି । ବାପାଙ୍କର ଅନ୍ତିମ ଇଚ୍ଛା ମଲାପୂର୍ବରୁ ସେ ମୋର ବିଭା ଘର ଦେଖିବେ । କିନ୍ତୁ ଏବୟସରେ ପୁଣି ମୋତେ ବିବାହ କରିବ କିଏ ?

 

: ଆପଣ ତା’ହେଲେ.......

 

: ବିବାହ କରିନି । ଏଇ କଥା ପଚାରୁଛତ ? ବିବାହ କେତେ ଜଣକ ପାଇଁ ଗୋଟିଏ ଉତ୍ସବ ହୋଇପାରେ । କିନ୍ତୁ ମୋ’ପାଇଁ ତାହା ନୁହେଁ । ଥରେ ଯେଉଁଥିରୁ ମୋର ମନ ତୁଟିଯାଇଛି ଆଉ ମୁଁ ବିବାହ କରନ୍ତି କିପରି ? ବୟସ କ’ଣ ଆଉ ଅପେକ୍ଷା କରିଛି ? ଦେଖୁଛ ମୋ ମୁଣ୍ଡ କେଶସବୁ କିପରି ଗୋଟି, ଗୋଟି ହୋଇ ପାଚିବାରେ ଲାଗିଲାଣି । ଛାଡ଼ ! ତୁମେ କହୁଥିଲନା ଦେବଦତ୍ତ ତା’ ମା’ପରି ସୁନ୍ଦର ତୁମର ଅନୁମାନ ଠିକ୍‌ । ଦେବଦତ୍ତର ମା’ ଖୁବ୍‌ ସୁନ୍ଦରୀ ।

 

: କିଏ ତା’ର ମା’ ? କିଏ ତା’ର ବାପା । କେଉଁଠୁ ଆପଣ ଦେବଦତ୍ତକୁ ପାଇଲେ ?

 

: ଦେବଦତ୍ତର ମା’କୁ ମୁଁ ଜାଣେ । କିନ୍ତୁ କିଏ ତା’ର ବାପା ଏପର୍ଯ୍ୟନ୍ତ ମୁଁ ଜାଣେନା । ଆକସ୍ମିକ ଭାବରେ ମୁଁ ଦେବଦତ୍ତକୁ ପାଇଲି ତେଣୁ ତା’ର ନାଁ ଦେଲି ଦେବଦତ୍ତ ।

 

: ଦେବଦତ୍ତ କ’ଣ ତା’ର ବାପ, ମା’ଙ୍କୁ ଖୋଜେନା ।

 

: ଦେବଦତ୍ତ ଜାଣେ ମୁଁ ତା’ର ବାପ । ସମୟେ, ସମୟେ ସେ ତା’ର ମା’ କଥା ପଚାରେ-। ମୁଁ ତାକୁ କଥା ଦେଇଛି ଦିନେ ନା ଦିନେ ତା’ର ମା’ ପାଖରେ ତାକୁ ପହଞ୍ଚାଇ ଦେବି ।

 

ଦୂରରେ ଦେବଦତ୍ତ ଠିଆହୋଇ ଉଇଁ ଆସୁଥିବା ପୂର୍ଣ୍ଣିମା ଚାନ୍ଦକୁ ଏକଲୟରେ ଚାହିଁଥିଲା । ହଠାତ୍‌ ଦୌଡ଼ି ଆସି କହିଲା–ବାପା ଆସ ଘରକୁଯିବା । ଅଜାଙ୍କ ଦେହ ଭଲ ନାହିଁ ପରା । ଅଜା ଖୋଜୁଥିବେ । ଆସନା–

 

ଶିଶିରବାବୁଙ୍କୁ ଟାଣି, ଟାଣି ଦେବଦତ୍ତ ନେଇଗଲା । ପଛକୁ ଫେରିଚାହିଁ ସେ କହିଲେ–ଆଚ୍ଛା ମଞ୍ଜୁ ତୁମେ ଯାଅ । ଆଉ କେବେ ପୁଣି ଦେଖାହେଲେ କଥାବାର୍ତ୍ତା ହେବା । ଆଉ ବୋଧେ ଘର ଛାଡ଼ି ମୁଁ ଯାଉନି । ଗ୍ରାମବାସୀମାନେ କହୁଛନ୍ତି ଏଇ ଡାକ୍ତରଖାନାରେ ରହିବାକୁ । ଶିଶିରବାବୁ ଓ ଦେବଦତ୍ତ ଚାଲିଥାନ୍ତି ଗାଁ ଅଭିମୁଖେ । ମୁଁ ଅପଲକ ନୟନରେ ଚାହିଁଥାଏ ତାଙ୍କର ଯିବା ବାଟକୁ ।

 

ଦିଦି, ଡେରି ହେଉଛି ଆସନ୍ତୁ ଫେରିଯିବା କଟକ–କହିଲା ମୋର ବିଶ୍ୱସ୍ତ ଭୃତ୍ୟ ଶଙ୍କର-

 

ହଁ ଚାଲ ଫେରିଯିବା । ଡ୍ରାଇଭର କୁଆଡ଼େ ଗଲା ? ତାକୁ କୁହ ଗାଡ଼ି ବୁଲାଇ ଦେଉ.....

 

(ସାତ)

 

ଲେଖକମାନେ ଯେ ଏତେ ଦୀନ, ହୀନ ଓ ଦୟନୀୟ ଅବସ୍ଥାରେ ଦିନ କାଟନ୍ତି ମୋର ଆଗରୁ ଆଦୌ ଧାରଣା ନଥିଲା । ସେଦିନ ମୁଁ ବଜାରକୁ ସଉଦା କରିବା ପାଇଁ ଯାଇଥିଲି ହଠାତ୍‌ ରମାକାନ୍ତବାବୁଙ୍କ ସହିତ ଦେଖାହେଲା । ହାତରେ ପାଣ୍ଡୁଲିପିଟିଏ ଧରି ଲେଖକ ବର୍ଷାରେ ଭିଜି, ଭିଜି ଚାଲିଥାନ୍ତି । ତାଙ୍କ ପାଖରେ ରିକ୍‌ସା ଅଟକାଇ ମୁଁ କହିଲି–

 

: ନମସ୍କାର, ରମାକାନ୍ତବାବୁ । କ’ଣ ଚିହ୍ନି ପାରୁଛନ୍ତି ?

 

: ନମସ୍କାର ! ଆରେ ମଞ୍ଜୁ ଦେବୀ !

 

: ହଁ ଆଜ୍ଞା । କୁଆଡ଼େ ଏପରି ଭିଜି, ଭିଜି ଚାଲିଛନ୍ତି ।

 

: କୁଆଡ଼େ ଆଉ ଯିବି । ପୁସ୍ତକ ପ୍ରକାଶକ ଓ ପୁସ୍ତକ ବ୍ୟବସାୟୀମାନଙ୍କ ପାଖରେତ ଆମର କାମ ।

 

: ହାତରେ ସେ କ’ଣ ଧରିଛନ୍ତି ।

 

: ମୋର ମାନସ ସନ୍ତାନ ।

 

: ମାନେ ବୁଝିପାରିଲିନି !

 

: ଅବୁଝା ଆଉ କ’ଣ ରହିଲା । ମା’ ଦଶମାସ ଗର୍ଭରେ ଧରି, ଗର୍ଭ ବେଦନା ସହି ଶିଶୁକୁ ଜନ୍ମଦିଏ । ସନ୍ତାନ ଯେତେବେଳେ ଖନି, ଖନି କଥା କହି ମା’ ସାମନାରେ ଖେଳେ, ବୁଲେ ସେତେବେଳେ ଗର୍ଭଧାରିଣୀ ମା’ ତା’ର ସମସ୍ତ ଦୁଃଖ ଭୁଲିଯାଏ । ଠିକ୍‌ ସେହିପରି କେତେ ରାତ୍ରୀ ଅନିଦ୍ରାହୋଇ, କେତେ ଭାବନା ସାଗରେ ପହଁରି ଲେଖକ ତା’ର ପାଣ୍ଡୁଲିପି ତିଆରି କରେ । ଯେତେବେଳେ ସେ ପାଣ୍ଡୁଲିପିଟି ବହି ରୂପରେ ପ୍ରକାଶପାଏ ସେତେବେଳେ ଲେଖକର ଆନନ୍ଦ କହିଲେ ନସରେ ।

 

: ଆପଣଙ୍କର ଏ ଉପକ୍ରମର ଉଦ୍ଦେଶ୍ୟ ମୁଁ ବୁଝିପାରୁନି ରମାକାନ୍ତବାବୁ । ଆପଣ ଏହାଭିତରେ ଖୁବ୍‌ ନାଁ କରି ଯାଇଛନ୍ତି । ଆପଣଙ୍କ ରଚିତ ଉପନ୍ୟାସ ସବୁ ପାଠକ ମହଲରେ ବେଶ ଆଦୃତ ହେଉଛି ।

 

: ତୁମେ ଠିକ୍‌ କହିଛ ମଞ୍ଜୁ ଦେବୀ । ପାଠକ ମୋ ଉପନ୍ୟାସକୁ ଆଦର କରୁଛନ୍ତି ସତ କିନ୍ତୁ ପ୍ରକାଶକମାନେ କରୁନାହାଁନ୍ତି । କେଉଁ ପାଠକ ଭାବୁଥିବ ଲେଖକର ଏ ଦୀନ, ହୀନ ଅବସ୍ଥା କଥା ?

 

: ଆପଣ ବହୁତ ଭାବପ୍ରବଣ ରମାକାନ୍ତବାବୁ । କ’ଣ ହୋଇଛି ଆପଣଙ୍କର । ବହି ଲେଖି ଆପଣ ବେଶ ଦୁଇ ପଇସା ପାଉଛନ୍ତି । କିନ୍ତୁ ଆପଣଙ୍କର ଏ ବେଶଭୂଷା ଟିକେ ବଦଳାଇ ଦିଅନ୍ତୁନା ।

 

: ଟିକିଏ ଆଗରୁ କହୁଥିଲି ତୁମରି ପରି ସବୁ ପାଠକମାନଙ୍କର ଧାରଣା ଲେଖକ ବହି ଲେଖି ପଇସା ପାଆନ୍ତି । ଖୁବ୍‌ ସୁଖରେ ଦିନ କଟାନ୍ତି । ତୁମେ ଜାଣିନ ମଞ୍ଜୁ ମୋର ପିଲାମାନେ ଦୁଇବେଳା ପେଟ ପୂରା ଖାଇବାକୁ ପାଆନ୍ତି ନାହିଁ । ମୋର ପ୍ରଥମ ଉପନ୍ୟାସଟିକୁ ମୁଁ ମୋର ପୈତୃକ ସମ୍ପତ୍ତିରୁ କିଛି ବିକି ଛପାଇଥିଲି । ଯେଉଁ ପ୍ରକାଶକଙ୍କ ପାଖକୁ ଥରେ ନୁହେଁ ଅନେକଥର ଯାଇଛି ବହିଟି ଛପାଇବା ପାଇଁ ସେଇ ପୁଣି ମୋ’ଠାରୁ କେବଳ ଛପାଇବା ଖର୍ଚ୍ଚ ଦେଇ ପୁସ୍ତକଟି କିଣିନେଲେ । ଯେଉଁ ଭଦ୍ରଲୋକ ମୋତେ କହିଥିଲେ ମୋର ପାଣ୍ଡୁଲିପିଟି ଛପା ହେବାର ଯୋଗ୍ୟ ନୁହେଁ । ସେହି ମହାଶୟ ପୁଣି ଉକ୍ତ ବହିର ସତ୍ତ୍ୱମଧ୍ୟ ମୋ’ଠାରୁ କିଣି ନେଲେ ସେ ବାବଦ ମୋତେ ଗୋଟାଏ ପଇସା ନ ଦେଇ ।

 

: ବହି ଛପାଇବା ପାଇଁ ଏତେ କାରସାଦି !

 

: ସେତିକି ନୁହଁ ଶୁଣ । ମୋର ଗୋଟାଏ ଉପନ୍ୟାସ ଆଦୃତ ହେଲାପରେ ମୁଁ ଆହୁରି ବହି ଲେଖିଲି । ଏଥର ପ୍ରକାଶକ ଅଭାବ ହେଲେନି । କିନ୍ତୁ ଲେଖକର ପାରିଶ୍ରମିକ ଦେବାକୁ ସମସ୍ତେ କୁଣ୍ଠିତ । ତୁମେ ବିଶ୍ୱାସ କରିବନି ମଞ୍ଜୁ ପ୍ରକାଶକଙ୍କ ପାଖରେ ହାତ ପତେଇ ମୁଁ ପାଞ୍ଚ ଟଙ୍କା, ଦଶ ଟଙ୍କା, ନିଏ ମୋର ଘର ଖର୍ଚ୍ଚ ପାଇଁ । ଆଜି ସମସ୍ତଙ୍କଠାରୁ ନିରାଶ ହୋଇ ଫେରିଲି । ମଟର ଷ୍ଟାଣ୍ଡ ପର୍ଯ୍ୟନ୍ତ ରିକ୍‌ସା କରି ଯିବାକୁ ମଧ୍ୟ ପଇସା ନାହିଁ । ତେଣୁ ବର୍ଷାରେ ଭିଜି, ଭିଜି ଯାଉଛି-

 

ଦୁଃଖ ଲାଗିଲା । ମୋ ରିକ୍‌ସାରେ ବସାଇ ସେଦିନ ଲେଖକ ରମାକାନ୍ତବାବୁଙ୍କୁ ମୁଁ ମୋ ଘରକୁ ଆଣିଥିଲି । କଥା ପ୍ରସଙ୍ଗରେ ସେ ମୋତେ ତାଙ୍କ ଜୀବନର ଏକ କାହାଣୀ କହିଲେ–ତାଙ୍କର ପ୍ରିୟା କୁନି ଥରେ କଲିକତା ବୁଲିବାକୁ ଯାଇଥିଲା । ତା’ର ଅନିଛା ସତ୍ତ୍ୱେ ତାକୁ ଯିବାକୁ ପଡ଼ିଥିଲା । କାରଣ ପରିବାରର ସମସ୍ତେ ଯେତେବେଳେ ଯାଉଛନ୍ତି ସେ ଏକଲା ରହନ୍ତା କିପରି ? ଆଠଦିନ ମଧ୍ୟରେ ସେ ଫେରି ଆସିବ ବୋଲି ପ୍ରତିଶ୍ରୁତି ଦେଇଥାଏ ।

 

ପୁରୀ ହାଓଡ଼ା ଏକ୍‌ସପ୍ରେସରେ ତା’ ପରିବାରର ସମସ୍ତେ ବସିଥାନ୍ତି । କୁନି ବସିଥାଏ କମ୍ପାର୍ଟମେଣ୍ଟର ଝରକାପାଖକୁ । ଗାର୍ଡ଼ ହୁଇସିଲି ଦେଲେ । ଧିରେ, ଧିରେ ଗାଡ଼ିର ଚକ ଗଡ଼ିବାକୁ ଲାଗିଲା । କୁନି ହାତ ହଲେଇ ବିଦାୟ ଜଣାଇଲା । କାନ୍ଦି, କାନ୍ଦି ହଠାତ୍‌ ଲେଖକ ପ୍ଲାଟଫର୍ମ ଉପରେ ବେହୋସ ହୋଇପଡ଼ିଲେ । ସାଙ୍ଗରେ ବନ୍ଧୁ ରାଧାଶ୍ୟାମ ଥିବାରୁ ଲେଖକ ଖୁବ୍‌ ଶୀଘ୍ର ନିଜର ଚେତନା ଫେରି ପାଇଲେ ।

 

ଭାଗ୍ୟର ବିଡ଼ମ୍ବନା ଯାହା ପାଇଁ ଆଠଦିନର ବିଚ୍ଛେଦ ବେଦନା ଲେଖକ ସହି ପାରୁନଥିଲେ ସେ ପୁଣି ଚିର ବିଦାୟ ନେଇ ତାଙ୍କଠାରୁ ଚାଲିଗଲା । ପ୍ରତି କଥାରେ ରମାକାନ୍ତବାବୁ ତାଙ୍କ ପ୍ରିୟା କୁନି ପ୍ରସଙ୍ଗ ଆଣୁଥାନ୍ତି ସତେ ଅବା ତାଙ୍କ ମନ, ପ୍ରାଣ ଓ ହୃଦୟ ଭିତରେ କୁନିର ସ୍ମୃତି ଭରି ରହିଛି । ମୋର ମନେହେଲା କୁନିର ସ୍ମୃତିକୁ ଦୂରକୁ ଫିଙ୍ଗିଦେବାକୁ ଲେଖକ ରାଜି ନୁହନ୍ତି ।

 

ମୁଁ ପଚାରିଲି–

 

ରମାକାନ୍ତବାବୁ ଆପଣ ପୁର୍ନଜନ୍ମରେ ବିଶ୍ୱାସ କରନ୍ତି ?

 

: କାହିଁକି ?

 

: ପୁର୍ନଜନ୍ମ ଯଦିଥାଏ ଆପଣଙ୍କ ପ୍ରିୟା କୁନି କାହା କୋଳରେ ଛୋଟ ଶିଶୁ ହୋଇ ବର୍ତ୍ତମାନ ହସୁଥିବ । କିନ୍ତୁ ଆପଣ ସବୁବେଳେ ତା’ପାଇଁ କାହିଁକି ନିଜ ତନୁ କ୍ଷୟ କରୁଛନ୍ତି ।

 

ଦୁନିଆ ଜାଣୁଛି କୁନି ମୋ’ଠାରୁ ଦୂରେଇ ଯାଇଛି । କିନ୍ତୁ ମୁଁ ଭାବୁଛି କୁନି ମୋର ପାଖେ ପାଖେ ରହିଛି । ତାକୁ ମୁଁ ଦେଖି ପାରୁନି ସତ କିନ୍ତୁ ତା’ର ଉପସ୍ଥିତି ଅନୁଭବ କରୁଛି । ମୋର ସୁଖରେ ସେ ହସୁଛି । ମୋ ଦୁଃଖରେ ସେ କାନ୍ଦୁଛି । ମୋରି ପାଖେ ପାଖେ ରହି ସେ ମୋତେ ପଥ ଦେଖାଉଛି । ତାରି ପାଇଁ ମୁଁ ହେଲି ଲେଖକ । ତାରି ଅଭୁଲା ଅସରନ୍ତି କାହାଣୀ ମୋର ସର୍ବସ୍ୱ । ମୋର ପ୍ରତ୍ୟେକ ଉପନ୍ୟାସରେ ତୁମେ ମୋ ପ୍ରିୟାକୁ ନିଶ୍ଚୟ ପାଇବ ।

 

: ପ୍ରକାଶ ପାଇଥିବା ଆପଣଙ୍କ ସମସ୍ତ ଉପନ୍ୟାସ ମୁଁ ପଢ଼ିଛି । କିନ୍ତୁ କାହିଁ କେଉଁଥିରେତ ମୁଁ ଆପଣଙ୍କ ପ୍ରିୟାର କାହାଣୀ ପାଉନି ।

 

: ଖାଲି ମାଟି, ଗୋବର ଓ କୁଟାଦେଇ ମୂର୍ତ୍ତି ଗଢ଼ାଯାଏନା । ସେଥିରେ ରଙ୍ଗ ଦେଇ ତାକୁ ସୁନ୍ଦର କରିବାକୁ ପଡ଼େ । ସେପରି ସତ କଥା ଭିତରେ କିଛି କଳ୍ପନାର ବସ୍ତୁ ନ ପଶିଲେ ଲେଖା ସୁନ୍ଦର ହୁଏନା । ବହି ପଢ଼ି ପାଠକ ଭାବନ୍ତି ଲେଖକ ଯାହା ଅଙ୍ଗେ ଅଙ୍ଗେ ଲିଭାଇଛନ୍ତି, ଯାହା ଅନୁଭବ କରିଛନ୍ତି ତାକୁ ହିଁ ବହିରେ ଲେଖିଛନ୍ତି । ଏକଥା ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ । ଲେଖକ ଏଇ ପୃଥିବୀର ମନୁଷ୍ୟ । ସେ ଯାହା ଦେଖେ ଯାହା ଶୁଣେ, ଯାହା ସବୁ ନିଜ ଅଙ୍ଗରେ ଲିଭାଇଥାଏ ତାକୁହିଁ କାଗଜ କଲମରେ ରୂପଦେଇ ଚିତ୍ରଣକରେ । କିନ୍ତୁ ଖାଲି ସତ ଘଟଣା ଉପରେ ବହି ଲେଖାହୁଏନା । ସେଥିରେ କିଛି ଖାଦ ଦରକାର । ସୁନାରେ ଖାଦ ନମିଶିଲେ ଗହଣା ଗଢ଼ି ହୁଏନା ।

 

ଏଥିମଧ୍ୟରେ ଅନେକ ସମୟ ବିତି ଯାଇଥିଲା । ଭାବବିହ୍ୱଳ ହୋଇ ରମାକାନ୍ତବାବୁ ତାଙ୍କ ପ୍ରିୟାର କଥା କହୁଥାନ୍ତି ଆଉ ମୁଁ ଶୁଣୁଥାଏ । ହଠାତ୍‌ ହାତ ଘଣ୍ଟାକୁ ଦେଖି ସେ ଚେୟାରରୁ ଉଠିଲେ ।

 

: ବହୁତ ଡେରି ହୋଇଗଲାଣି ମଞ୍ଜୁ ଦେବୀ..... ମୁଁ ଯାଉଛି । ଘରେ ପିଲାମାନେ ଅପେକ୍ଷା କରିଥିବେ ।

 

: କ୍ଷମା କରିବେ । ଆପଣଙ୍କ କଥାରେ ମୁଁ ଏପରି ମଜିଯାଇଥିଲି ଯେ କପେ ଚା’ ମଧ୍ୟ ଆପଣଙ୍କୁ ଦେଇ ପାରିଲିନି । କିଛି ଯଦି ମନେ ନ କରନ୍ତି ଆଉ ଟିକିଏ ବସିଲେ....

 

: ମୁଁ ଚା’ ଖାଏନାହିଁ ମଞ୍ଜୁ ଦେବୀ ଆଚ୍ଛା ମୁଁ ଆସୁଛି ।

 

: ଆଉ କେବେ ଆସିବେ ?

 

: ମଝିରେ, ମଝିରେ ମୁଁ କଟକ ଆସୁଛି । ସମୟ ଓ ସୁବିଧା ମିଳିଲେ ମୁଁ ତୁମ ଘରକୁ ନିଶ୍ଚୟ ଆସିବି ।

 

ରମାକାନ୍ତବାବୁ ଚାଲିଗଲେ ତାଙ୍କ ବାଟରେ । ଦାଣ୍ଡ ଦରଜା ପାଖରେ ଠିଆହୋଇ ମୁଁ ଚାହିଁଥାଏ ତାଙ୍କ ଯିବା ବାଟକୁ । ହାୟରେ ହତଭାଗ୍ୟ ଦେଶ । ସମସ୍ତେ କେବଳ ସେମାନଙ୍କର ନକଲି ରୂପ ଦେଖାଇବାରେ ବ୍ୟସ୍ତ । ଏଇ ଦୁସ୍ଥ, କବି, କଳାକାରମାନଙ୍କ ପାଇଁ ସମସ୍ତେ ଦରଦ ଭରା ଭାଷଣ ଦେଉଛନ୍ତି । କିନ୍ତୁ ପ୍ରକୃତ ସେମାନଙ୍କ କଥା ଭାବୁଛି କିଏ ? ରମାକାନ୍ତବାବୁଙ୍କୁ ମୁଁ ବହି ଛାପିବା ପାଇଁ ଟଙ୍କା ସାହାଯ୍ୟ କରିବିବୋଲି କହିଥିଲି । କିନ୍ତୁ ସେ କହିଲେ–ମୋତେ ସାହାଯ୍ୟ କଲେ ସବୁ ଲେଖକ, ସବୁ କବିଙ୍କ ଅବସ୍ଥା ସୁଧୁରି ଯିବନି ମଞ୍ଜୁ ଦେବୀ । ପୁଣି ବହି ବ୍ୟବସାୟ କଲେ ଲେଖକଙ୍କର ସେ ଲେଖିବା ମନୋବୃତ୍ତି ରହେ ନାହିଁ । ଏଇ ଦୀନ, ହୀନ ଅବସ୍ଥାରେ ମୁଁ ମୋର କଲମ ଚାଳନା କରିବାକୁ ପସନ୍ଦ କରୁଅଛି ।

 

ରମାକାନ୍ତବାବୁ ଚାଲିଯିବା ପରେ ମୋର ମନେପଡ଼ିଲା–ମୁଁ ତାଙ୍କୁ ମୋ ମନର କଥା କହି ପାରିଲିନି । ମୁଁ ଚାହେଁ ମୋ ଜୀବନର ଏହି କଳଙ୍କିତ ଓ କରୁଣ କାହାଣୀ ଲେଖକଙ୍କୁ ଶୁଣାଇବି-। ସେ ତାଙ୍କ କଲମ ମୁନରେ ତାକୁ ରୂପ ଦେବେ । ଯେଉଁ କାହାଣୀକୁ ମୁଁ କାହା ଆଗେ କହିବି, କାହା ଆଗେ କହିବି ଏପରି ଭାବି, ଭାବି ଅନେକ ଦିନ, ଅନେକ ମାସ, ଅନେକ ବର୍ଷ କଟାଇଛି ତାକୁହିଁ ମୁଁ ରମାକାନ୍ତବାବୁଙ୍କୁ କହିବି । ଜଣେ ବ୍ୟର୍ଥ ପ୍ରେମିକର ହୃଦୟ ନେଇ ସେ ମୋର କରୁଣ କାହାଣୀ ନିଶ୍ଚୟ ଶୁଣିବେ । ବହୁତ ଦିନ ପରେ ଲେଖକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । କିନ୍ତୁ ମୋ କାହାଣୀ ମୁଁ ତାଙ୍କୁ ଶୁଣାଇ ପାରିଲିନାହିଁ । ପଛରେ ଅନୁତାପ କଲି ।

 

ସମସ୍ତେ ଜାଣନ୍ତି ମୁଁ ମଞ୍ଜୁ ମହାପାତ୍ର ଜଣେ ବିଟପି, ଚରିତ୍ରହୀନା ଓ କଳଙ୍କିନୀ । ଯୌନକ୍ଷୁଧା ମୋର ଯେପରି ଥିଲା ଧନ ଲୋଭ ମଧ୍ୟ ସେପରି ଥିଲା । ସେଥିପାଇଁ ଜାଣି ଶୁଣି ମୁଁ ସମାଜସେବୀ ମଳୟ ବିଶ୍ୱାଳ ଓ ମନ୍ତ୍ରୀ ମହାଶୟଙ୍କ ପାଖରେ ନିଜକୁ ବିକିଦେଲି । ସବୁ ନିନ୍ଦା ଅପମାନ ଓ ଲାଞ୍ଛନା ମୁଁ ନୀରବରେ ସହିଛି । କେଉଁ ପରିସ୍ଥିତିରେ ପଡ଼ି ମୁଁ ମୋର ନାରୀ ସୁଲଭ ସମସ୍ତ ସୁଗୁଣଗୁଡ଼ିକ ତ୍ୟାଗ କଲି ତାହା ଏପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ ।

 

ମୁଁ ନିଜକୁ ନିଜେ ଘୃଣା କରେ । ଆଜି ମୁଁ ଅନୁଭବ କରୁଛି ମୋର ଆତ୍ମହତ୍ୟା କରିବା ଉଚିତଥିଲା । ସେ କାଳରାତ୍ରୀର କଳଙ୍କିତ କାହାଣୀ ମୁଁ ସମସ୍ତଙ୍କୁ କହି ନପାରିଲେ ମଧ୍ୟ କାଗଜ କଲମରେ ଲେଖିଦେଇ ଆତ୍ମହତ୍ୟା କରିଥିଲେ ଭଲ ହୋଇଥାନ୍ତା । କିଛି ମୁଁ କରିପାରିଲି ନାହିଁ । ଦୟା, କ୍ଷମା, ସ୍ନେହ, ଶ୍ରଦ୍ଧା, ପ୍ରୀତି, ଭକ୍ତି ସବୁ ସୁଗୁଣଗୁଡ଼ିକ ମୋ’ଠାରୁ ଅଲଗା ହୋଇଗଲା । କାଳନାଗୁଣି ପରି ମୁଁ ପ୍ରତିଶୋଧ ପରାୟଣା ହୋଇଗଲି । ପ୍ରତିହିଂସାର ବହ୍ନୀ ମୋ ହୃଦୟ ଭିତରେ ଜଳି ଉଠିଲା । ଯିଏ ମୋର ସର୍ବସ୍ୱ ଲୁଟିକରି ନେଲା ସେମାନଙ୍କୁ ମୁଁ ସର୍ବହରା କରିଦେଲି । କିନ୍ତୁ କି ଲାଭ ପାଇଲି ମୁଁ ଏଥିରେ ?

 

ମୋ ହାତରେ ଆଜି ଅମାପ ଧନ । ସମାଜରେ ମୋର ସମ୍ମାନ ବଢ଼ିଛି । ତଥାପି ମୁଁ ନିଜକୁ ଅସହାୟ ମନେକରେ । ଭାବି, ଚିନ୍ତି, ମୁଁ ମୋ ଜୀବନର କଳଙ୍କିତ କାହାଣୀ ଲେଖିଗଲି । ଯେଉଁ କାହାଣୀ ମୁଁ ଅନ୍ୟମାନଙ୍କୁ କହିପାରିନି ତାକୁ କାଗଜ କଲମରେ ଲେଖିଗଲି । ମୋର ମୃତ୍ୟୁପରେ କେହି ହୁଏତ ମୋ କାହାଣୀ ପଢ଼ିବ ।

 

ମଣିଷର ସବୁଆଶା କେବେ ପୂରଣ ହୁଏନା । ମଣିଷ ଭାଗ୍ୟ ଆକାଶରେ ପୂର୍ଣ୍ଣିମାରାତ୍ରୀ ସବୁବେଳେ ଲାଗି ରୁହେନା । ମଣିଷର ମନ ବଗିଚାରେ ସବୁବେଳେ ମଳୟ ବହେନା । ଆଜି ମୋର ଭାବନା ଯେପରି ବଢ଼ି, ବଢ଼ି ଚାଲିଛି ବୟସ ମଧ୍ୟ ସେପରି ବର୍ଷ ପରେ ବର୍ଷ ବଢ଼ିଚାଲିଛି କ’ଣ ମୋର ଭବିଷ୍ୟତ ? କିଏ ମୋର ଉତ୍ତରାଧିକାରୀ କିଛି ମୁଁ ଠିକ୍‌କରି ପାରେନା ।

 

(ଆଠ)

 

ଜୀବନରେ ସବୁକିଛି ମୁଁ ହଜାଇ ଦେଇଛି । ସେସବୁ ଏବେ ଖୋଜିଲେ ଲାଭ କ’ଣ । କେବଳ ମନସ୍ତାପ । କେତେକ ଜାଣିଶୁଣି ମୁଁ ହଜାଇଛି କେତେକ ପରିସ୍ଥିତିରେ ପଡ଼ି ହଜାଇଛି । ଆଜି ମୁଁ ସର୍ବହରା । ଦୁନିଆରେ ମୋର କେହିନାହିଁ । ମୁଁ ଅନୁଭବ କରୁଛି ଧନ, ଦୌଲତ କେବେ ମଣିଷକୁ ସୁଖ ଦିଏନା । ତାହା ଯଦି ହୋଇଥାନ୍ତା ଏତେ ଧନଥାଇ ମୋ ମନରେ ସୁଖଟିକେ ଆସନ୍ତାନି କାହିଁକି ? ମୁଁ ଭଲଭାବରେ ଜାଣେ ଆଜି ଯେଉଁମାନେ ମୋତେ ସମାଜସେବିକା ଓ ନାରୀନେତ୍ରୀ ଆଖ୍ୟା ଦେଇଛନ୍ତି ତା’ ମୂଳରେ ରହିଛି ମୋର ଧନ । ଟଙ୍କାଦେଇ କଳଙ୍କିତା ମଞ୍ଜୁ ମହାପାତ୍ର ଆଜି ହୋଇଛି ସମାଜସେବିକା । ଟଙ୍କାଥିଲେ ପଦ୍ମଶ୍ରୀ ପଦ୍ମଭୂଷଣ ଉପାଧି ମିଳିବା ମଧ୍ୟ କଷ୍ଟକର ନୁହେଁ ।

 

ଛଅମାସ ତଳେ ପେଟରେ ଯନ୍ତ୍ରଣା ହେବାରୁ ମୁଁ ଡାକ୍ତର ପରାମର୍ଶ କରିଥିଲି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପେଟର ଫଟୋ ଉଠାଇଲି ଫଟୋରୁ ଜଣାଗଲା କ୍ୟାନସର । ଏଥିରେ ମୁଁ ଭୟଭୀତ ହୋଇନଥିଲି ମୁଁ ଜାଣିଥିଲି ଦୁନିଆ ରଙ୍ଗମଞ୍ଚରୁ ମୋର ଅଭିନୟ ସରି ଆସୁଛି-। କେବଳ ଶେଷ ଦୃଶ୍ୟବାକି । ଶେଷ ଦୃଶ୍ୟପରେ ଯବନିକା ପଡ଼ିଯିବ । କାଳର କରାଳ ଗର୍ଭରେ ମଞ୍ଜୁ ମହାପାତ୍ର ଲୀନ ହୋଇଯିବ । ଦୁନିଆରେ ତା’ପାଇଁ ଅଶ୍ରୁ ଢାଳିବାକୁ କେହିନାହିଁ ।

 

ବହୁତ ଭାବି, ଚିନ୍ତି ମୁଁ ସ୍ଥିରକଲି ମରିବା ପୂର୍ବରୁ ମୁଁ ଦୁଇଜଣଙ୍କୁ ଡାକିବି । ସେମାନେ ଆସନ୍ତୁ ବା ନଆସନ୍ତୁ । କିନ୍ତୁ ମୋର ଶେଷ ମୁହୂର୍ତ୍ତରେ ସେ ଦୁଇଜନଙ୍କ ଉପସ୍ଥିତି ନିତାନ୍ତ ଦରକାର । ଶଙ୍କରକୁ ପଠାଇ ଶିଶିରବାବୁ ଓ ଲେଖକ ରମାକାନ୍ତବାବୁଙ୍କ ପାଖକୁ ଟେଲିଗ୍ରାମ କଲି ।

 

ସନ୍ଧ୍ୟା ହୋଇ ଆସୁଥାଏ । ସେଦିନ ଡାକ୍ତରଖାନାରେ ରେଡ଼ିଅମ ଲାଇଟ୍‌ ପକାଇ ଆସି ମୁଁ ଘରେ ବିଶ୍ରାମ ନେଉଥାଏ । ସନ୍ଧ୍ୟା ଆଗତ ପ୍ରାୟ । ଦୂର ଦେବାଳୟରୁ ଭାଷି ଆସୁଛି ଘଣ୍ଟ ମୃଦଙ୍ଗର ସ୍ୱର । ଆଳତୀ ହେଉଛି ବୋଧେ । ଜୀବନରେ କେବେହେଲେ କୌଣସି ମନ୍ଦିରକୁ ମୁଁ ଯାଇନି । ତଥାପି ସ୍ୱତଃପ୍ରବୃତ ହୋଇ ହାତ ଦୁଇଟିମୋର ଉପରକୁ ଉଠିଗଲା । କେଉଁ ଅଜଣା ଦେବତା ଉଦ୍ଦେଶ୍ୟରେ ମୁଁ ପ୍ରଣାମକଲି ।

 

ହଠାତ୍‌ ମୋ ଘରକୁ ପଶିଆସିଲେ ଲେଖକ ରମାକାନ୍ତବାବୁ ।

 

: ମଞ୍ଜୁ ଦେବୀ !

 

: ଆଜ୍ଞା ନମସ୍କାର !

 

: କ’ଣ ହୋଇଛି ତୁମର ? କାହିଁକି ଜରୁରୀ ଟେଲିଗ୍ରାମ ପଠାଇଲେ

 

: ବସନ୍ତୁ ଆଜ୍ଞା ଜରୁରୀ ଦରକାର ଅଛି । ମଞ୍ଜୁ ମହାପାତ୍ରର ବିଦାୟ ବେଳରେ ଆପଣଙ୍କ ଉପସ୍ଥିତି ନିତ୍ୟାନ୍ତ ପ୍ରୟୋଜନ ।

 

: କ’ଣ ହୋଇଛି ତୁମର । ତୁମେ କାହିଁକି ଏପରି ନିସ୍ତେଜ ଦେଖାଯାଉଛ ।

 

: ଛାଡ଼ନ୍ତୁ ସେସବୁକଥା ରମାକାନ୍ତବାବୁ । ଦୁନିଆରେ ସବୁକଥା ସମସ୍ତଙ୍କୁ କହିହୁଏ ନାହିଁ-। ମୋ ଜୀବନ କାହାଣୀ କାହା ଆଗେ କହିବି, କାହାଆଗେ କହିବି ଏପରି ଭାବୁ, ଭାବୁ ମୋର ଶେଷ ସମୟ ଆସିଗଲା । ତଥାପି ମୁଁ ମୋର କଳଙ୍କିତ କାହାଣୀ କାହାକୁ କହିପାରିଲି ନାହିଁ-। ଏଇ ଦେଖନ୍ତୁ ମୋ ଟେବୁଲ ଉପରେ ଯେଉଁ ମୋଟା ଖାତାଟି ଥୁଆ ହୋଇଛି ସେଥିରେ ମୋ ଜୀବନର ସମସ୍ତ କାହାଣୀ ଲେଖାଅଛି । ମରିବା ପୂର୍ବରୁ ତାକୁହିଁ ମୁଁ ଆପଣଙ୍କ ହାତରେ ସମର୍ପି ଦେଇ ଗଲି । ଆଣନ୍ତୁନା ସେ ଖାତା ।

 

ବିମର୍ଷ ବଦନରେ ରମାକାନ୍ତବାବୁ ଖାତାଟିକୁ ଆଣି ମୋତେ ଦେଲେ । ଉଠିବାକୁ ମୋର ଶକ୍ତି ନଥାଏ । ଖାତାଟିକୁ ଖୋଲି ତା’ ମଧ୍ୟରେ ଆଗରୁ କାଟିକରି ରଖିଥିବା ଗୋଟାଏ ଚେକ୍‌ ମୁଁ ରମାକାନ୍ତବାବୁଙ୍କୁ ଧରାଇଦେଲି ।

 

–ଧରନ୍ତୁ ଏ ଚେକ୍‌ । ବ୍ୟାଙ୍କରୁ ଭଙ୍ଗାଇ ଆପଣ ପଚିଶି ହଜାର ଟଙ୍କା ଆଣିବେ । ଉକ୍ତ ଟଙ୍କାରେ ମୋ ଜୀବନକାହାଣୀ ଛପାଇଦେଇ ସେ ବହିସବୁ ବାଣ୍ଟିଦେବେ । ଆରେ ମୋ ଆଡ଼େ ଟିକେ ଚାହଁନା ! ଏସମୟରେ ଆପଣ ଅନ୍ୟମନସ୍କ ହେଲେ ମୋ’କଥା ଆଉ କାହାଆଗେ କହିବି ।

 

: ମଞ୍ଜୁ ଦେବୀ ।

 

: ଆଃ ମୋତେ disturb କରନ୍ତୁ ନାହିଁ । ଭାବନା ସାଗରରେ ପହଁରୀ କଳ୍ପନାରେ ଆପଣ ଏତେ ଉପନ୍ୟାସ ଲେଖିଛନ୍ତି । କିନ୍ତୁ ମୋର ଏ ଜୀବନ୍ତ କାହାଣୀଟିକୁ ଥରେ ଆଗ ପଢ଼ିବେ-। ତା’ପରେ ମୋ କାହାଣୀ ଉପରେ ଲେଖିବେ ଉପନ୍ୟାସ । ଆପଣଙ୍କ ସେ ଉପନ୍ୟାସର କଳଙ୍କିତା ନାୟିକା ମୁଁ । ସେଥିରେ କିଛି କଳ୍ପନାର କାହାଣୀ ଦେବେନି । ଉପନ୍ୟାସଟିକୁ ଛପାଇବା ପାଇଁ ଆପଣଙ୍କୁ ପ୍ରକାଶକଙ୍କ ପାଖକୁ ଯିବାପାଇଁ ପଡ଼ିବନି । ସେଥିପାଇଁ ମୁଁ ପଚିଶି ହଜାରଟଙ୍କା ଆପଣଙ୍କୁ ଦେଉଛି ।

 

ରମାକାନ୍ତବାବୁ ନୀରବରେ ଠିଆ ହୋଇଥାନ୍ତି ମୋ ଖଟ ପାଖରେ । ମୋତେ ସାନ୍ତ୍ୱନା ଦେବାକୁ ସେ ଭାଷାଖୋଜି ପାଉନଥିଲେ ବୋଧେ । ବାହାରେ କାହାରି ରିକ୍‌ସା ଅଟକିବାପରି ଜଣାଗଲା । ଦୂରରୁ ଜୋତାର ମଚ ମଚ ଶବ୍ଦ ଶୁଣାଯାଉଥାଏ । ଜୋତାର ସେ ଶବ୍ଦ କ୍ରମଶଃ ନିକଟତର ହେଲା । ଦରଜା ଟେକି ମୋ ଘରକୁ ପଶିଆସିଲେ ଶିଶିରବାବୁ... । ହାତଯୋଡ଼ି ମୁଁ ନମସ୍କାର କଲି ।

 

: ମଞ୍ଜୁ.....

 

: ବସନ୍ତୁ ଆଜ୍ଞା ।

 

: କ’ଣ ହେଲା ! କାହିଁକି ଡକାଇଲ ?

 

: ଆପଣଙ୍କଠାରୁ କାହାଣୀ ଶୁଣିବାକୁ ମୋର ଭାରିଇଚ୍ଛା ହେଉଛି ମୋତେ କାହାଣୀ କହିବେତ ?

 

: ହଁ କହିବି । ଆଗ କହନ୍ତୁତ କ’ଣ ତୁମର ହୋଇଛି ?

 

: ଓଃ ସେଥିରୁ ଆପଣ କ’ଣ ପାଇବେ । ଦୁନିଆରେ ସମସ୍ତଙ୍କୁ ରୋଗହୁଏ ମୋତେ ହୋଇଛି । ଆଗ ଆପଣ ମୋ ଦେହଛୁଇଁ ନିଅମ କରନ୍ତୁ ମୁଁ ଯାହା ପଚାରିବି ସତ କହିବେ ।

 

: ମୁଁ ରାଣଖାଇ କହୁଛି ଯାହା ପଚାରିବ ସତ କହିବି ।

 

: ମୋ ଦେହ ଛୁଅଁନ୍ତୁନା !

 

: ହଉ ଦେହ ଛୁଇଁଲି ।

 

: ବେସ୍ତ ହେବେନି ଶିଶିରବାବୁ ମୋ ପେଟରେ କ୍ୟାନସର ହୋଇଛି । ମୋ ଜୀବନ ଦୀପ ଲିଭି, ଲିଭି ଆସୁଛି । ମରିବା ପୂର୍ବରୁ ମୋର ସମସ୍ତ ସମ୍ପତ୍ତି ମୁଁ ଆପଣଙ୍କ ନାମରେ କରିଯାଇଛି । ଦିନେ ଆପଣ ମୋର ଦେହ ଓ ମନକୁ ଚାହିଁଥିଲେ । କିନ୍ତୁ ମୁଁ ଦେଇନଥିଲି । କାହିଁକି ଦେଲିନି ତାହା ଆପଣଙ୍କୁ କହିବେ ରମାକାନ୍ତବାବୁ । ରମାକାନ୍ତବାବୁଙ୍କ ହାତରେ ବର୍ତ୍ତମାନ ମୋର ଡାଏରୀ । ମୋର ଶେଷ ମୁହୂର୍ତ୍ତରେ ମୋତେ ଥରେ କୁହନ୍ତୁ ଦେବଦତ୍ତ କିଏ ? କେଉଁଠୁ ଆପଣ ତାକୁ ପାଇଲେ । ମୋର ଅନ୍ତିମ ଇଚ୍ଛା ପୂରଣ କରନ୍ତୁ ଶିଶିରବାବୁ....

 

ଶିଶିରବାବୁ କହିଲେ ଏଇକଥା ପାଇଁ ଏତେବଡ଼ ରାଣ । ତେବେ ଶୁଣ–

 

“ମୋତେ ବିଭାହେବାପାଇଁ ତୁମେ ପ୍ରତ୍ୟାଖ୍ୟାନାକଲ । ମନମୋର ଭାଙ୍ଗିଗଲା । ହୃଦୟରେ ମୁଁ ଆଘାତ ପାଇଲି । ଦୁଇଦିନ ପରେ ଘର ଛାଡ଼ି ମୁଁ ଚାଲିଗଲି । ମୋର ଡାକ୍ତରୀ ପରୀକ୍ଷାର ଫଳ ବାହାରି ଯାଇଥିଲା । ମୁଁ ପରୀକ୍ଷାରେ ପାସ୍‍ କରିଥିଲି । ବାପାଙ୍କର ଯୌତୁକ ଲୋଭ ଓ ତୁମର ପ୍ରତ୍ୟାଖ୍ୟାନ ମୋ ମନରେ ଭୀଷଣ ଆଘାତ ଦେଲା । ଜନ୍ମମାଟି ଛାଡ଼ି ମୁଁ ଚାଲିଗଲି ସୁଦୂର କଲିକତା । ଭାଗ୍ୟକୁ ଗୋଟାଏ ଘରୋଇ ଡାକ୍ତର ଖାନାରେ ମୋତେ ଚାକିରି ମିଳିଲା ।

 

ଦିନକର କଥା । ହଠାତ୍‌ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ମୁଁ ଡାକରାପାଇଲିଯେ ଗୋଟିଏ ରୋଗୀର ଅବସ୍ଥା ସାଙ୍ଘାତିକ । ରୋଗୀକୁ ବଞ୍ଚାଇବାପାଇଁ ଜରୁରୀ ଅପରେସନ ଦରକାର-। ଅପରେସନ ଦକ୍ଷତା ଯୋଗୁଁ ଡାକ୍ତରଖାନାରେ ମୋର ସୁନାମଥିଲା । ମୋର ଦେହ ଅସୁସ୍ଥତା ଥିବାରୁ ମୁଁ ଚାରିଦିନ ଆଗରୁ ଛୁଟି ନେଇଥିଲି । ସେଦିନ ମୁଁ ଛୁଟିରେ ଥିଲି । କିନ୍ତୁ ରୋଗୀଙ୍କ ପାଇଁ ସମୟେ, ସମୟେ ଡାକ୍ତରଙ୍କୁ ନିଜର ସୁଖ, ଦୁଃଖ ଭୁଲିଯିବାକୁ ହୁଏ । ତାହା ମୋ’ପାଇଁ ନୂଆକଥା ନୁହେଁ ।

 

ଜରୁରୀ ଡାକରା ପାଇ ମୁଁ ଡାକ୍ତରଖାନା ଆସିଲି । ଅପରେସନ କରିବାକୁ ପ୍ରସ୍ତୁତ ହୋଇ ମୁଁ ଅପରେସନ ଥିଏଟରରେ ପଶିଲି । କିନ୍ତୁ ଏ କ’ଣ ! ଯେଉଁ ରୋଗୀକୁ ଅପରେସନ କରିବାକୁ ଯାଉଛି ସେ ମୋର ପ୍ରିୟା ମଞ୍ଜୁ । କୁମାରୀ ମଞ୍ଜୁ ମହାପାତ୍ର ଅର୍ଥାତ୍‌ ତୁମେ ।

 

: ଥାଉ, ଥାଉ କୁହନ୍ତୁନି ସେ କଳଙ୍କିତ କାହାଣୀ ଶିଶିରବାବୁ ମୁଁ କେବଳ ଜାଣିବାକୁ ଚାହେଁ ‘ଦେବଦତ୍ତ’ କିଏ ? କେଉଁଠୁ ଆପଣ ତାକୁ ପାଇଲେ ?

 

: ଦେବଦତ୍ତର କାହାଣୀ ସରିନି ମଞ୍ଜୁ । ଏବେ ଶୁଣ । ଯେଉଁ ମଞ୍ଜୁ ମହାପାତ୍ର ଉପରେ ମୁଗ୍‌ଧ ହୋଇ ଦିନେ ତା’ର ଦେହଟାକୁ ପାଇବାପାଇଁ ମୁଁ ପାଗଳ ହୋଇଥିଲି ତାରି ସେଇ ସୁନ୍ଦର ଦେହରେ ମୁଁ ଅସ୍ତ୍ର ପ୍ରଚାରକଲି । ତାରି ପେଟଚିରି ମୁଁ ବାହାରକଲି ଗୋଟାଏ ଶିଶୁ ସନ୍ତାନ । ସେଇ ଶିଶୁ ସନ୍ତାନଟିଥିଲା ଗୋଟାଏ ସୁନ୍ଦରପୁଅ ଠିକ୍‌ ତା’ର ମା’ପରି । ବିଧିର ବିଧାନ ସେହି ଶିଶୁପୁତ୍ର ମୋରି କୋଳରେ ବଢ଼ି ଶିଶୁରୁ ହେଲା ବାଳକ । ସେଇ ବାଳକ ‘ଦେବଦତ୍ତ’ ।

 

ମୋ ପାଟିରୁ କଥା ବାହାରୁ ନଥିଲା । ମୁଁ ଅନ୍ୟ ଆଡ଼କୁ ମୁହଁ ବୁଲାଇ ଦେଇ ଖାଲି କାନ୍ଦୁଥିଲି । ମୋ ଆଖିରୁ ଝରୁଥିଲା ଧାରା ଶ୍ରାବଣ । କ’ଣ କହି ମୁଁ ଶିଶିରବାବୁଙ୍କ ପାଖରେ କ୍ଷମା ମାଗିବି ଭାବିପାରୁନଥିଲି । ଲେଖକ ରମାକାନ୍ତବାବୁ ନୀରବରେ ବସି କ’ଣ ଭାବୁଥାନ୍ତି । ଶିଶିରବାବୁ କହିଲେ–

 

ତୁମେ ବେସ୍ତ ହୁଅନି ମଞ୍ଜୁ ମୁଁ ଆଜି ଗାଁକୁ ଫେରିଯାଉଛି । ଆସନ୍ତା କାଲି ସନ୍ଧ୍ୟାସୁଦ୍ଧା ଦେବଦତ୍ତକୁ ଆଣି ତୁମ ପାଖରେ ପହଞ୍ଚାଇ ଦେବି । କିଛି ମୁଁ କହିପାରିଲିନି । କେବଳ କହିଲି–ମୁଁ ଦେବଦତ୍ତର କେହିନୁହେଁ ଶିଶିରବାବୁ । ତୁମେ ତା’ର ସବୁକିଛି । ଠିକ୍‌ ଭଜନ ତୁମେ ତାକୁ ଶିକାଇଛ-। ମନେଅଛି ସେଦିନ ସଭାରେ ସେ ଗାଉଥିଲା–

 

ତ୍ୱମେବ ମାତାଚ

ପିତା ତ୍ୱମେବ

ତ୍ୱମେବ ବନ୍ଧୁଶ୍ଚ

ସଖା ତ୍ୱମେବ......

 

କାଳ ବିଳମ୍ବ ନକରି ଶିଶିରବାବୁ ସେଦିନ ଫେରିଗଲେ ତାଙ୍କ ଗାଁକୁ ମୁଁ ରମାକାନ୍ତବାବୁଙ୍କୁ କହିଲି–

 

–କ’ଣ ଭାବୁଛନ୍ତି ଆପଣ । ବହି ଲେଖିବା ପୂର୍ବରୁ ଏତେ ଭାବନା ଆଉ ବହି ଲେଖିବା ସମୟରେତ ପାଗଳ ହୋଇଯିବେ । ଯାଆନ୍ତୁ ସେଘରେ ବିଶ୍ରାମ ନିଅନ୍ତୁ । ଦେବଦତ୍ତ ଆସିବ । ଆପଣ ତାକୁ ଦେଖିବେନି ? ଆପଣ ତାକୁ ଆଶୀର୍ବାଦ କରିବେନି ? ଦେବଦତ୍ତ ମୋ ପୁଅ....

 

ରୁମାଲରେ ଲୁହ ପୋଛି ପୋଛି ରମାକାନ୍ତବାବୁ ସେଘରକୁ ଚାଲିଗଲେ । ସେପରି ବିଛଣାରେ ପଡ଼ି ମୁଁ ଭାବିବାରେ ଲାଗିଲି–

 

କ’ଣ ଏସବୁ ମୋ ଜୀବନରେ ଘଟିଗଲା । ଦେବଦତ୍ତ ମୋର ପୁଅ । ହଁ ଦେବଦତ୍ତ ମୋର ପୁଅ ହୋଇପାରେ କିନ୍ତୁ ମୁଁ ତା’ର ମା’ ନୁହେଁ ଯେଉଁ ମା’ ଶିଶୁପୁତ୍ରକୁ ନିଃସହାୟ ଅବସ୍ଥାରେ ଡାକ୍ତରଖାନାରେ ଛାଡ଼ିଦେଇ ଆସେ ସେ କେବେ ମା’ ହୋଇ ପାରେନା । ଦେବଦତ୍ତ ଆସିବ । ମୋତେ ମା’ ବୋଲି ଡାକିବ । ଦେବଦତ୍ତକୁ ମୁଁ ମୋ କୋଳରେ ବସାଇ ଗୋଟାଏ ଚୁମା ଦେବି ।

 

ତାପରଦିନ ଘଟଣା । ସହରର ସେହି କୋଳାହଳ ପରିବେଶ ମଧ୍ୟରେ ସନ୍ଧ୍ୟା ନଇଁ ଆସୁଛି । ଆକାଶରେ ଗୋଟି, ଗୋଟି ହୋଇ ତରା ଦେଖାଗଲେଣି । ବିଜୁଳି ଆଲୁଅ ସବୁ ଗୋଟି, ଗୋଟି ହୋଇ ଜଳି ଉଠୁଛି ଆକାଶର ତରା ସହିତ ପ୍ରତିଯୋଗିତା କରି’ କୋଠାର ଉପର ମହଲାରେ ଶୋଇଛି ମଞ୍ଜୁ । ଦୃଷ୍ଟି ତା’ର ଦୂର ଦିଗ୍‌ବଳୟ ଆଡ଼େ । ସନ୍ଧ୍ୟାର ଶୀତଳ ପବନ ପରଶପାଇ ସେ ଶୋଇପଡ଼ିଛି ବୋଧେ ।

 

ଦେବଦତ୍ତକୁ ସାଙ୍ଗରେଧରି ପହଞ୍ଚିଲେ ଶିଶିରବାବୁ । ଶିଶିରବାବୁଙ୍କ ପଛେ, ପଛେ ରମାକାନ୍ତବାବୁ ବାହାରି ଆସିଲେ ଅନ୍ୟଘରୁ । ମଞ୍ଜୁର ଶୋଇବାଘରେ ପ୍ରବେଶକଲେ ତିନିଜଣ । ଶାନ୍ତ ପରିବେଶ । କାହାରି ପାଟିରୁ କଥା ବାହାରୁନି । କିଏ ପ୍ରଥମେ ନୀରବତା ଭଙ୍ଗ କରିବ ଭାବୁଛନ୍ତି ବୋଧେ । ଶିଶିରବାବୁ କହିଲେ–

 

“ମଞ୍ଜୁ ଦେବଦତ୍ତ ଆସିଛି” । କିଛି ଉତ୍ତର ମିଳିଲାନି । ଦେବଦତ୍ତ ଏଇ ତୋର ମା’ । ମା’ଙ୍କୁ ଦେଖିବୁବୋଲି ଜିଦ୍‌ କରୁଥିଲୁପରା ? ଏଇ ତୋର ମା’ ଖଟରେ ଶୋଇଛି ।

 

: ମା.....ଆ

 

ତଥାପି କିଛି ଉତ୍ତର ମିଳିଲାନି । ସମସ୍ତେ ଆଶ୍ଚର୍ଯ୍ୟ । ସନ୍ଧ୍ୟା ସମୟରେ ଏତେ ଗାଢ଼ ନିଦରେ ମଞ୍ଜୁ ଶୋଇଛି କ’ଣ ? ମଞ୍ଜୁ ଦେହରେ ଧିରେ ହାତଦେଇ ହଲାଇଦେଲେ ଶିଶିରବାବୁ । ଏ କ’ଣ ଦେହଠାରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଦୋହଲୁଛି । ହଠାତ୍‌ ଶିଶିରବାବୁଙ୍କ ପାଟିରୁ ବାହାରିପଡ଼ିଲା ମଞ୍ଜୁ.... ମ....ଞ୍ଜୁ ଶିଶିରବାବୁଙ୍କ ମଞ୍ଜୁ.....ମଞ୍ଜୁ ଚିତ୍କାର ସହିତ ଦେବଦତ୍ତର ମା’....ମା’....ଡାକ ମିଶିଗଲା ଶୂନ୍ୟଘରୁ କେବଳ ପ୍ରତିଧ୍ୱନି ସୃଷ୍ଟିହେଲା ମ....ଞ୍ଜୁ.....ମ....ଞ୍ଜୁ....ମା’....ଆ....ମା’....ଆ....

 

ଦୁଃଖରେ ଦେବଦତ୍ତକୁ କୁଣ୍ଢାଇ ଧରିଲେ ଶିଶିରବାବୁ । ରମାକାନ୍ତବାବୁ କାଠପରି ଠିଆ ହୋଇଥାନ୍ତି । ଖଟ ଉପରେ ଚିର ନିଦ୍ରାରେ ଶୋଇଯାଇଛି ମଞ୍ଜୁ ମହାପାତ୍ର । ପଡ଼ିଶାଘର ପିଲାଏ ସନ୍ଧ୍ୟାକରୁଥିଲେ ବୋଧେ । ପିଲାଙ୍କ ଲଳିତ କଣ୍ଠରୁ ଶୁଣାଯାଉଥାଏ–

 

ତ୍ୱମେବ ମାତାଚ

ପିତା ତ୍ୱମେବ

ତ୍ୱମେବ ବନ୍ଧୁଶ୍ଚ

ସଖା ତ୍ୱମେବ.........

ତ୍ୱମେବ ବିଦ୍ୟା

ଦ୍ରବିଣଂ ତ୍ୱମେବ

 

ତ୍ୱମେବ ସର୍ବଂ

ମମ ଦେବ ଦେବ ।

Image